ହଜିଲା କଶ୍ମୀର ଖେଳାଳିଙ୍କୁ ଖୋଜିଲା ସେନା

ଶ୍ରୀନଗର: ଜମ୍ମୁ କଶ୍ମୀରର ବାରାମୁଲାରେ ରହୁଥିବା ଈଶରତ୍ ଅଖତର ଚଳିତ ବର୍ଷ ଥାଇଲାଣ୍ଡରେ ହେବାକୁ ଥିବା ଏସିଆ-ଓସେନିଆ ହୁଇଲ୍ ଚେୟାର ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଏଥିଲାଗି ତାଙ୍କୁ ଗତମାସ ୨୭ ତାରିଖରେ ଚେନ୍ନାଇରେ ଆୟୋଜିତ ହେଉଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବାର ଥିଲା। ହେଲେ ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଈଶରତ ଏହି ବିଷୟରେ କୌଣସି ସୂଚନା ପାଇ ନଥି‌ଲେ। ସେନା ହିଁ ତାଙ୍କୁ ଠାବ କରି ଚେନ୍ନାଇ ଆସିବା ଖବର ଦେଇଥିଲା। ଈଶରତ କଠୋର ପରିସ୍ଥିତିରେ କିଭଳି ଚେନ୍ନାଇରେ ପହଞ୍ଚିଥିଲେ, ସେହି ରୋଚକ କାହାଣୀ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚିତ ହେବାରେ ଲାଗିଛି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ସରକାର ସେଠାରେ ଫୋନ୍ ଏବଂ ଇଣ୍ଟରନେଟ୍ ସେବା ଉପରେ ଅଙ୍କୁଶ ଲଗାଇଥିଲେ। ଏହି ସମୟରେ ଭାରତୀୟ ହୁଇଲ ଚେୟାର ବାସ୍କେଟବଲ୍ ମହାସଂଘ ଈଶରତଙ୍କ ସହ ସଂପର୍କ ସ୍ଥାପନ କରିବାକୁ ଚେଷ୍ଟା କରୁଥିଲା। ଶେଷରେ ପ୍ରଶିକ୍ଷକ ନବି ଦୁଇ ଜଣ ବନ୍ଧୁଙ୍କ ସହାୟତାରେ ତାଙ୍କୁ ଠାବ କରିବାକୁ ସକ୍ଷମ ହୋଇଥିଲେ। ସେଥିମଧ୍ୟରୁ ଜଣେ ବନ୍ଧୁ ଈଶରତଙ୍କ ଫଟୋ ଜମ୍ମୁ କଶ୍ମୀର ପୁଲିସକୁ ପଠାଇଥିଲେ। ପୁଲିସ ସେନା ସହାୟତାରେ ତାଙ୍କୁ ଖୋଜି ପାଇଥିଲା। ଈଶରତ ବାରାମୁଲାର ବଂଗଡାରା ଗ୍ରାମରେ ରହୁଥିବା ଜାଣିବା ପରେ ସେନା ଯବାନମାନେ ତାଙ୍କ ଘରକୁ ଯାଇ ଚେନ୍ନାଇ ଯିବାର ସୂଚନା ଦେଇଥିଲେ। ଯବାନମାନେ ଦିନେ ହଠାତ୍ ତାଙ୍କ ଘର କବାଟ ବାଡ଼େଇବା ପରେ ଈଶରତଙ୍କ ପିତା ଭୟଭୀତ ହୋଇ ଯାଇଥିଲେ। ହେଲେ ଝିଅ ଭାରତୀୟ ଦଳରେ ସ୍ଥାନ ପାଇଥିବା ଜାଣି ବହୁତ ଖୁସି ହୋଇଥିଲେ। ଏହା ପରେ ସେ ଚେନ୍ନାଇ ଆସି ଜାତୀୟ ଶିବିରରେ ଯୋଗ ଦେଇଥିଲେ। ଈଶରତ ଏବେ ନଭେମ୍ବର ୨୭ରୁ ଡିସେମ୍ବର ୮ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି।

ସମ୍ବନ୍ଧିତ ଖବର