ଅରବିନ୍ଦ ସ୍ମାରକୀ କ୍ରିକେଟ୍‌ ଫାଇନାଲ୍‌ରେ ପ୍ରଗତି

ଭୁବନେଶ୍ବର: ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ ଆସନ୍ତା ୨୦ ତାରିଖ ଦିନ ଖେଳାଯିବ। ଏଥିରେ ଟ୍ରଫି ପାଇଁ ପ୍ରଗତି ସ୍ପୋର୍ଟିଂ ସହ ମୁକାବିଲା କରିବ ଆୟୋଜକ ପାରାମାଉଣ୍ଟ୍‌। ଗୁରୁବାର କଟକର ୟୁନିଅନ୍‌ ସ୍ପୋର୍ଟିକୁ ପରାସ୍ତ କରି ପାରାମାଉଣ୍ଟ୍‌ ଫାଇନାଲ୍‌ ପ୍ରବେଶ କରିସାରିଥିଲା ବେଳେ ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍‌ରେ ନିଜ ସହରର ରାମେଶ୍ବର ସ୍ପୋର୍ଟିଂକୁ ୫ ୱିକେଟ୍‌ରେ ପରାସ୍ତ କରି ଭୁବନେଶ୍ବରର ପ୍ରଗତି ସ୍ପୋର୍ଟିଂ ଫାଇନାଲ୍‌ ପହଞ୍ଚିଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ରାମେଶ୍ବର ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୦.୨ ଓଭରରେ ୧୦୬ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଆଦିତ୍ୟ ଜେନା ୨୧ ରନ୍‌ କରିଥିଲା ବେଳେ ପ୍ରଗତି ପକ୍ଷରୁ ଆୟୂଷ ସାମନ୍ତରାୟ ଓ ସୌମ୍ୟରଞ୍ଜନ ମହାରଣା ୩ ଲେଖାଏଁ ୱିକେଟ୍‌ ଦଖଲ କରିଥିଲେ। ଜବାବରେ ଶୁଭମ୍‌ ନାୟକଙ୍କ ଅପରାଜିତ ୪୪ ରନ୍‌ ବଳରେ ପ୍ରଗତି ସ୍ପୋର୍ଟିଂ ୨୭.୪ ଓଭରରେ ୫ ୱିକେଟ୍‌ ହରାଇ ୧୦୯ ରନ୍‌ ସହ ମ୍ୟାଚ୍‌ ଜିତି ନେଇଥିଲା। ରାମେଶ୍ବର ପକ୍ଷରୁ ଆଶୁତୋଷ ସାହୁ ଓ ସାଇ ପାତ୍ର ୨ ଲେଖାଏଁ ୱି‌କେଟ୍‌ ପାଇଥିଲେ। ଶୁଭମ୍‌ଙ୍କୁ ଉଭୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଏବଂ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ଅତିଥି ଓଡ଼ିଶା କ୍ରିକେଟ୍‌ ସଂଘର ସିଇଓ ବିଦ୍ୟୁତ୍‌ କୁମାର ନାୟକ ପ୍ରଦାନ କରିଥିଲେ। ଏହି ମ୍ୟାଚ୍‌କୁ ଶରତ ଚନ୍ଦ୍ର ସାହୁ ଓ ପ୍ରଦୀପ ଜେନା ପରିଚାଳନା କରିଥିଲେ। ‌

ସମ୍ବନ୍ଧିତ ଖବର