ଅଟକିଲା ଏଟିକେ, ଗୋଆ କ୍ୱାର୍ଟରରେ

ଭୁବନେଶ୍ୱର: ଗୋଆ ଏଫ୍‌ସି ପଞ୍ଚମ ଦଳ ଭାବେ ଚଳିତ ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ରାତିରେ ଖେଳା ଯାଇଥିବା ଏକ ମହତ୍ୱପୂର୍ଣ୍ଣ ପ୍ରି-କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ଏହି ଦଳ ୩-୧ ଗୋଲ୍‌ରେ ଆଇଏସ୍‌ଏଲ୍‌ର ଦୁଇ ଥର ବିଜେତା ଏଟିକେକୁ ଏକତରଫା ଭାବେ ହରାଇ ଏହି ସଫଳତା ଲାଭ କରିଛି। ଚଳିତ ବର୍ଷର ଆଇଏସ୍‌ଏଲ୍‌ରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରି ନବମ ସ୍ଥାନରେ ଅଭିଯାନ ଶେଷ କରିିଥିବା ଏଟିକେ ମଙ୍ଗଳବାର ଗୋଆର ଶକ୍ତି ଓ ସାମର୍ଥ୍ୟ ସହ ସମକକ୍ଷ ହୋଇ ନପାରି ଆଉ ଏକ ବୃହତ୍‌ ପରାଜୟ ସହ ସୁପରକପ୍‌ରୁ ବିଦାୟ ନେଇଛି। ଅନ୍ୟପକ୍ଷରେ ସେମିଫାଇନାଲ୍‌ ଖେଳିଥିବା ଗୋଆ ଏହି ଦଳ ବିପକ୍ଷରେ ନିଜ ଅପରାଜେୟ ଧାରାକୁ ଆହୁରି ଆଗେଇ ନେଇଛି। ଏଥି ସହିତ ପ୍ରଥମ ଥର ଖେଳା ଯାଉଥିବା ସୁପରକପ୍‌ର ଶ୍ରେଷ୍ଠ ୮ ଦଳ ମଧ୍ୟରେ ନିଜକୁ ସାମିଲ କରିଛି ଗୋଆ।
କଳିଙ୍ଗ ଷ୍ଟାଡିୟମ ଫୁଟ୍‌ବଲ୍‌ ପଡ଼ିଆରେ ଦୁଇ ଆଇଏସ୍‌ଏଲ୍‌ ଦଳ ମଧ୍ୟରେ ହୋଇଥିବା ମଙ୍ଗଳବାର ଲଢ଼େଇର ପ୍ରଥମାର୍ଧ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ଏପରିକି ଏଟିକେ ଆରମ୍ଭରୁ ଆକ୍ରମଣ କରି ପ୍ରଥମ ମିନିଟ୍‌ରେ ହିଁ କର୍ନର ଅର୍ଜନ କରି ନେଇଥିଲା। ହେଲେ ଏହାକୁ ଗୋଲ୍‌ରେ ରୂପାନ୍ତର କରି ପାରି ନଥିଲା। ଗୋଆ ମଧ୍ୟ ବେଶୀ ପଛରେ ରହି ନଥିଲା। ଅଳ୍ପ ସମୟ ଭିତରେ ଲୟକୁ ଫେରି ଏଟିକେ ରକ୍ଷଣଭାଗ ଉପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିିଥିଲା। ହେଲେ ଏଟିକେର ସଜାଗ ରକ୍ଷଣଭାଗକୁ ଭେଦ କରି ପାରି ନଥିଲା। ସେପଟେ ଏଟିକେ ୨୫ରୁ ୨୭ ମିନିଟ୍‌ ଭିତରେ ଦୁଇଟି ସୁଯୋଗ ସୃଷ୍ଟି କରିଥିଲା। ଦୁଇଥର ଯାକ ଅଧିନାୟକ ରବର୍ଟ କିଆନେଙ୍କ ସଟ୍‌ କିନ୍ତୁ ଗୋଲ୍‌ପୋଷ୍ଟର ଉପର ଦେଇ ଚାଲି ଯାଇଥିଲା। ଫଳରେ ଏଟିକେ ଆଗୁଆ ହେବାର ଭଲ ସୁଯୋଗ ହାତଛଡ଼ା କରିଥିଲା। ସେହିଭଳି ୪୩ ମିନିଟ୍‌ରେ ଗୋଆ ଅଧିନାୟକ ଫେରାନ କରୋମନାସ ମଧ୍ୟ ଏକ ନିଶ୍ଚିତ ଗୋଲ୍‌ ସୁଯୋଗକୁ ବେକାର ଯିବାକୁ ଦେଇଥିଲେ। ଫଳରେ ପ୍ରଥମ ୪୫ ମିନିଟ୍‌ର ଖେଳରେ ଗୋଟିଏ ହେଲେ ବି ଗୋଲ୍‌ ଦେଖିବାକୁ ମିଳିନଥିଲା।

୩ ମିନିଟ୍‌ର ଆହତ ସମୟରେ କିନ୍ତୁ କରୋମିନାସ ତାଙ୍କ କମାଲ ଦେଖାଇଥିଲେ। ମଧ୍ୟଭାଗ ଖେଳାଳି ଏଡଓ୍ଵାର୍ଡ ବେଡିଆ ଏଟିକେ ରକ୍ଷଣ ଭାଗକୁ ଦୁଇଭାଗ କରିବାର ସୁଯୋଗ ନେଇ କରୋମିନାସ (୪୫ +୧) ପ୍ରଥମ ମିନିଟ୍‌ରେ ହିଁ ସିଧାସଳଖ ବଲ୍‌କୁ ଗୋଲ୍‌ ପୋଷ୍ଟ ଭିତରକୁ ପୂରାଇ ଦେଇଥିଲେ। ଗୋଆ ଏକ ଆକର୍ଷଣୀୟ ଗୋଲ୍‌ କରି ପ୍ରଥମାର୍ଧ ଶେଷ ସୁଦ୍ଧା ୧-୦ରେ ଆଗୁଆ ରହିଥିଲା। ମଧ୍ୟାନ୍ତର ପରେ ଗୁରୁମନ୍ତ୍ର ନେଇ ଫେରିଥିବା ଏଟିକେ ମାତ୍ର ୫ ମିନିଟ୍‌ ଭିତରେ ଏହି ଗୋଲ୍‌ଟିକୁ ଶୁଝି ଦେଇଥିଲା। ଗୋଆ ଅଧିନାୟକ କରୋମିନାସଙ୍କର ଜବାବ ଏଟିକେର ଅଧିନାୟକ ରବର୍ଟ କିଆନେ ନିଜ ସୁନ୍ଦର ପାଦ ଚାଳନାରେ ଦେଇଥିଲେ। ଅନଓ୍ଵର ଅଲ୍ଲୀଙ୍କ ହେଡରକୁ ଚତୁରତାର ସହ ଗୋଲ୍‌ ପୋଷ୍ଟ୍‌ର ଡାହାଣ କୋଣକୁ ପଠାଇ ସେ ତୁରନ୍ତ ସ୍ଥିତି ୧-୧ କରି ନେଇଥିଲେ। ଗୋଆ ବି ପଛରେ ରହି ନଥିଲା। ୮ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ କରି ବିଜୟ ସୁନିଶ୍ଚିତ କରି ନେଇଥିଲା। ଠିକ୍‌ ୧୯ ମିନିଟ୍‌ ପରେ ଅର୍ଥାତ୍‌ ୬୯ ମିନିଟ୍‌ରେ ଫରାସି ଖେଳାଳି ହୁଗୋ ଅଦନାନ ବୌମସ୍‌ଙ୍କ ଗୋଲ୍‌ ବଳରେ ସ୍ଥିତି ୨-୧ କରିଥିଲା। ୭୭ ମିନିଟ୍‌ରେ ବ୍ରାଣ୍ଡନ ଫର୍ନାଣ୍ଡିସ୍‌ ବ୍ୟକ୍ତିଗତ ଭାବେ ପ୍ରଥମ ଏବଂ ମ୍ୟାଚ୍‌ର ଚତୁର୍ଥ ଗୋଲ୍‌ ଦେବା ପରେ ଗୋଆ ୩-୧ରେ ଆଗୁଆ ହୋଇ ଯାଇଥିଲା। ପରବର୍ତୀ ୧୩ ମିନିଟ୍‌ ସହ ଆହତ ସମୟର ୪ ମିନିଟ୍‌ରେ ମଧ୍ୟ ଏଟିକେ ଆଉ ଗୋଲ୍‌ କରି ପାରି ନଥିଲା। ଫଳରେ ଦୁଇଟି ଗୋଲ୍‌ ବ୍ୟବଧାନରେ ପରାଜିତ ହୋଇ ବିଦାୟ ନେଇଥିଲା। ଫର୍ନାଣ୍ଡିଜ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ୨୫୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପାଇଥିଲେ।
ପ୍ରତିଶୋଧ ନୋହିଲା
ଆଇଏସଏଲ୍‌-୨୦୧୮ର ନବମ ସ୍ଥାନରେ ରହିଥିବା ଏଟିକେ ମଙ୍ଗଳବାର ଗୋଆ ଏଫ୍‌ସିଠାରୁ ପ୍ରତିଶୋଧ ନେବାର ଭଲ ସୁଯୋଗ ହାତଛଡ଼ା କରିଥିଲା। ଚଳିତ ବର୍ଷର ଆଇଏସଏଲ୍‌ ଋତୁରେ ଗୋଆ କୋଲ୍‌କାତାରେ ଖେଳିଥିବା ମ୍ୟାଚ୍‌ରେ ଏଟିକେ ସହ ପଏଣ୍ଟ ବାଣ୍ଟିଥିଲା। ହେଲେ ନିଜ ଘରୋଇ ମାଟି ଅର୍ଥାତ୍‌ ଗୋଆରେ ଖେଳିଥିବା ପାଲଟା ମୁକାବିଲାରେ ଏକତରଫା ଭାବେ ୫-୧ରେ ଏଟିକେକୁ ଧୂଳି ଚଟାଇଥିଲା। ଏଣୁ ଭୁବନେଶ୍ୱରରେ ଏହି ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେବାର ସୁଯୋଗ ଏଟିକେ ପାଖରେ ଥିଲା। ହେଲେ ରକ୍ଷଣଭାଗ ଦୁର୍ବଳତା ଏଟିକେ ପାଇଁ ପୁଣି ମହଙ୍ଗା ସାବ୍ୟସ୍ତ ହେଲା। ସେପଟେ ଆଉ ଏକ ଜବରଦସ୍ତ ବିଜୟ ସହ ଗୋଆ ତା’ର ବିଜୟ ଧାରାକୁ ଆଗେଇ ନେଲା। ଏଟିକେ ଦୁଇଥର ଆଇଏସ୍‌ଏଲ୍‌ ବିଜେତା ହୋଇଥିଲା ବେଳେ ଚଳିତ ବର୍ଷ ଏହି ଦଳ ଆଶାଜନକ ପ୍ରଦର୍ଶନ କରି ପାରି ନାହିଁ।
କଳିଙ୍ଗରେ ଗୋଆ ସେନା
ମଙ୍ଗଳବାର ମ୍ୟାଚ୍‌ରେ ଗୋଆ ଦଳର ସମର୍ଥକ ‘ଗୌରେସନ୍‌ ଆର୍ମି’ର ଉପସ୍ଥିତି କଳିଙ୍ଗ ମାହୋଲକୁ ବେସ୍‌ ରଙ୍ଗୀନ କରି ଦେଇଥିଲା। ସୁଦୁର ଗୋଆରୁ ଆସିଥିବା ଏହି ପ୍ରଶଂସକ ଦଳର ସଦସ୍ୟମାନେ ମ୍ୟାଚ୍‌ ସାରା ଭୁଭୁଜେଲା ଏବଂ ଅନ୍ୟ ବାଦ୍ୟ ଯନ୍ତ୍ର ବଜାଇ ନିଜ ଦଳକୁ ଉତ୍ସାହିତ କରିଥିଲେ। କଳିଙ୍ଗ ଗ୍ୟାଲେରିରେ ବ୍ୟାନର ଟାଙ୍ଗି ନିଜ ଉପସ୍ଥିତିକୁ ଜାହିର କରିଥିଲେ। ଗୋଆ ଖେଳାଳିମାନେ ମଧ୍ୟ ସେମାନଙ୍କ ସମ୍ମାନ ରଖିଥିଲେ। ପ୍ରଥମାର୍ଧରେ ଆଗୁଆ ହୋଇ ବିଜୟ ଆଶା ସୃଷ୍ଟି କରିଥିଲେ। ସେହିଭଳି ଦ୍ୱିତୀୟାର୍ଧରେ ଆଉ ଦୁଇଟି ଗୋଲ୍‌ ଦେଇ ଏହାକୁ ପକ୍କା କରି ନେଇଥିଲେ। ଗୋଆ ପ୍ରଶଂସକମାନେ ଆନନ୍ଦର ସହ ପଡ଼ିଆ ଛାଡ଼ିଥିଲେ। ଏଟିକେ ପ୍ରଶଂସକଙ୍କ ମନ କିନ୍ତୁ ଆମ୍ବିଳା ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର