ଚେନ୍ନାଇର ଶେଷ ଓଭର ଚମକ ୪ ରନ୍‌ରେ ହାରିଲା ହାଇଦ୍ରାବାଦ୍‌

ହାଇଦ୍ରାବାଦ: ପୂର୍ବ ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍‌ରେ ଆଉ ଏକ ଶେଷ ଓଭର ବିଜୟ ହାସଲ କରିଛି। ରବିବାର ଉତ୍କଣ୍ଠାପୂର୍ଣ୍ଣ ଭାବେ ୪ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଦେଇଛି। ଆଜିର ସଂଘର୍ଷପୁର୍ଣ୍ଣ ମୁକାବିଲାରେ ବିଜୟ ପାଇଁ ପ୍ରତିପକ୍ଷ ହାଇଦ୍ରାବାଦକୁ ଅନ୍ତିମ ଓଭରରୁ ୧୯ ରନ୍‌ର ଦରକାର ଥିଲା ବେଳେ ଅଲରାଉଣ୍ଡର ଡେ୍ଵନ୍‌ ବ୍ରାଭୋ ୧୫ ରନ୍‌ ବ୍ୟୟ କରି ଚେନ୍ନାଇକୁ ଏହି ରୋମାଞ୍ଚଭରା ବିଜୟ ଉପହାର ଦେଇଥିଲେ। ଆଫଗାନ ତାରକା ରସିଦ ଖାନ୍‌ ବ୍ରାଭୋଙ୍କ ଚତୁର୍ଥ ଏବଂ ପଞ୍ଚମ ବଲ୍‌କୁ ଛକା, ଚୌକା ମାରି ହାଇଦ୍ରାବାଦକୁ ଆଶା ଦେଇଥିଲେ। ହେଲେ ଶେଷ ବଲ୍‌ରୁ ବିଜୟ ପାଇଁ ୬ ରନ୍‌ର ଆବଶ୍ୟକ ଥିଲା ବେଳେ ସେ ମାତ୍ର ୧ ରନ୍‌ ନେଇ ପାରିଥିଲେ। ବ୍ରାଭୋ ଏକ ସୁନ୍ଦର ୟର୍କର ପକାଇ ତାଙ୍କୁ ବଡ଼ ସଟ୍‌ ଖେଳିବାର କୌଣସି ସୁଯୋଗ ଦେଇ ନଥିଲେ। ଚେନ୍ନାଇ ରବିବାର ହାଇଦ୍ରାବାଦକୁ ୧୮୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ (୮୪ ରନ୍‌, ୫୧ ବଲ୍‌, ୫ ଚୌକା, ୫ ଛକା) ଓ ୟୁସୁଫ ପଠାନ (୪୫ ରନ୍‌, ୨୭ ବଲ୍‌, ୧ ଚୌକା, ୪ ଛକା)ଙ୍କ ଧମାକାଦାର ବ୍ୟାଟିଂ ସତ୍ତ୍ୱେ ହାଇଦ୍ରାବାଦ ନିର୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୭୮ ରନ୍‌ କରି ପାରିଥିଲା। ଫଳରେ ୪ ରନ୍‌ରେ ପରାଜିତ ହୋଇଥିଲା। ଚେନ୍ନାଇ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ହାସଲ କରି ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନକୁ ଫେରିଥିଲା। ଏହି କ୍ରମରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଦ୍ୱିତୀୟ ସ୍ଥାନକୁ ହଟାଇ ଦେଇଥିଲା। ସେପଟେ ହାଇଦ୍ରାବାଦ ପଞ୍ଚମ ମ୍ୟାଚ୍‌ରୁ ଦ୍ୱିତୀୟ ପରାଜୟ ବରଣ କରିଥିଲା। ଏହା ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଚେନ୍ନାଇ ସୁରେଶ ରାଇନା (୫୪* ରନ୍‌, ୪୩ ବଲ୍‌, ୫ ଚୌକା, ୨ ଛକା)ଙ୍କ ଚିତ୍ତାକର୍ଷକ ଅର୍ଧଶତକ ସହ ଅମ୍ବାତି ରାୟୁଡୁ (୭୯ ରନ୍‌, ୩୭ ବଲ୍‌, ୯ ଚୌକା, ୪ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ୍‌ ହରାଇ ୧୮୨ ରନ୍‌ କରି ନେଇଥିଲା। ରାୟୁଡୁଙ୍କୁ ତାଙ୍କ ଚୌକା, ଛକା ଭରା ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସଂକ୍ଷିପ୍ତ ସ୍କୋର: ଚେନ୍ନାଇ ସୁପରକିଙ୍ଗ୍ସ ୨୦ ଓଭରରେ ୧୮୨/୩ (ଅମ୍ବାତି ରାୟୁଡୁ ୭୯, ସୁରେଶ ରାଇନା ୫୪*, ଭୁବନେଶ୍ୱର କୁମାର ୧/୨୨, ରସିଦ ଖାନ୍‌ ୧/୨୯)। ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୭୮/୬ (କେନ୍‌ ଓ୍ଵିଲିୟମସନ୍‌ ୮୪, ୟୁସୁଫ ପଠାନ ୪୫, ସକିବ-ଅଲ୍‌-ହାସନ ୨୪, ଦୀପକ ଚହର ୩/୧୫, କର୍ନ ଶର୍ମା ୧/୩୦)।

ସମ୍ବନ୍ଧିତ ଖବର