ସାର୍ଜା: ଚଳିତ ଏଏଫ୍ସି ଏସୀୟ କପ୍ରେ ନକ୍ଆଉଟ୍ ଯୋଗ୍ୟତା ହାସଲ କରି ଇତିହାସ ରଚିବାର ସୁଯୋଗ ଭାରତ ପାଇଁ ରହିଛି। ପ୍ରଥମ ମ୍ୟାଚ୍ରେ ଥାଇଲାଣ୍ଡ୍କୁ ୪-୧ ଗୋଲ୍ରେ ପରାସ୍ତ କରିବା ପରେ ଦ୍ବିତୀୟରେ ଆୟୋଜକ ୟୁଏଇ ନିକଟରୁ ୦-୨ ଗୋଲ୍ରେ ହାରିଯିବା ଭାରତର ଐତିହାସିକ ଅଭିଯାନ ପଥରେ ପ୍ରତିବନ୍ଧକ ସାଜିଥିଲା। ତେବେ ସୋମବାର ନିଜ ଗ୍ରୁପ୍ (ଏ)ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ଭେଟିବ ବାହାରିନ୍କୁ। ଆଉ ଏହି ମ୍ୟାଚ୍ ଜିତିଲେ କିମ୍ବା ଅତି କମ୍ରେ ଅମୀମାଂସିତ ରଖିପାରିଲେ ଭାରତ ୫୩ ବର୍ଷ ପରେ ପ୍ରଥମ ଥର ଲାଗି ନକ୍ଆଉଟ୍ (୧୬ ଦଳୀୟ) ପର୍ଯ୍ୟାୟକୁ ଯୋଗ୍ୟତା ହାତେଇ ଇତିହାସ ରଚିବ। ଶେଷ ଥର ପାଇଁ ୧୯୬୪ ସଂସ୍କରଣରେ ଉପବିଜେତା ହେବା ଭାରତର ସର୍ବଶ୍ରେଷ୍ଠ ସଫଳତା ରହିଆସିଛି। ଏହାପରେ ୧୯୮୪ ଓ ୨୦୧୧ରେ ଦୁଇଥର ଭାରତ ନକ୍ଆଉଟ୍ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଥିଲା। ଭାରତ ଚଳିତ ପ୍ରତିଯୋଗିତାରେ ୨ ମ୍ୟାଚ୍ରୁ ୩ ପଏଣ୍ଟ୍ ପାଇ ଦ୍ବିତୀୟରେ ରହିଥିଲା ବେଳେ ୟୁଏଇ ୨ ମ୍ୟାଚ୍ରୁ ୪ ପଏଣ୍ଟ୍ ପାଇ ଶୀର୍ଷରେ ରହିଛି। ସେହିପରି ଥାଇଲାଣ୍ଡ୍ ମଧ୍ୟ ୨ ମ୍ୟାଚ୍ରୁ ୩ ପଏଣ୍ଟ୍ ପାଇଥିଲେ ବି ଗୋଲ୍ ବ୍ୟବଧାନରେ ଭାରତଠୁ ପଛରେ ରହିଛି। ତେବେ ୬ ଗ୍ରୁପ୍ରୁ ଶ୍ରେଷ୍ଠ ଦୁଇ ଦଳ ଲେଖାଏଁ ସାଙ୍ଗକୁ ଶ୍ରେଷ୍ଠ ୪ ତୃତୀୟ ସ୍ଥାନ ଦଳ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାରୁ ସୋମବାର କେବଳ ଅମୀମାଂସିତ ହିଁ ଭାରତ ପାଇଁ ଯଥେଷ୍ଟ ହେବ। ତେବେ ବାହାରିନ୍ ବିପକ୍ଷରେ ଭାରତର ପ୍ରଦର୍ଶନ ଆଦୌ ସନ୍ତୋଷଜନକ ନଥିବାରୁ ଚିନ୍ତା ରହିଛି। ପୂର୍ବ ୫ ଥର ମୁହାଁମୁହିଁରୁ ୪ ଥର ବାହାରିନ୍ ହିଁ ଭାରତକୁ ପରାସ୍ତ କରିଛି। ଗୋଟିଏ ମ୍ୟାଚ୍ ଅମୀମାଂସିତ ରହିଛି। ଶେଷଥର ପାଇଁ ୨୦୧୧ ସଂସ୍କରଣରେ ବାହାରିନ୍ଠୁ ୨-୫ ଗୋଲ୍ରେ ଭାରତ ହାରିଥିଲା। ଭାରତ ଏବେ ଫିଫା ମାନ୍ୟତାରେ ୯୭ରେ ଥିଲାବେଳେ ବାହାରିନ୍ର ମାନ୍ୟତା ରହିଛି ୧୧୩। ସେହିଦୃଷ୍ଟିରୁ ସୋମବାର ମୁକାବିଲାରେ ମଧୁର ପ୍ରତିଶୋଧ ନେଇ ଭାରତ ନକ୍ଆଉଟ୍ ଯିବ ବୋଲି ପ୍ରଶିକ୍ଷକ ଷ୍ଟିଫେନ୍ କୋନ୍ଷ୍ଟାଣ୍ଟିନେ ଆଶା ବାନ୍ଧିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ସୋମବାର ବାହାରିନ୍ ବିପକ୍ଷ ମ୍ୟାଚ୍ ମଧ୍ୟ ଆଉ ଏକ ଦୃଷ୍ଟିକୋଣରୁ ଭାରତ ପାଇଁ ମହତ୍ବ ରଖିବ। ଚଳିତ ଏଏଫ୍ସି ଏସୀୟ କପ୍ ପ୍ରତିଯୋଗିତା ଅବସରରେ ଆର୍ଜେଣ୍ଟିନାର ଲିଓନେଲ୍ ମେସିଙ୍କୁ ସର୍ବାଧିକ ଆନ୍ତର୍ଜାତିକ ଗୋଲ୍ରେ ଟପି ସାରିଥିବା ସୁନୀଲ ଛେତ୍ରୀ ସୋମବାର ପଡ଼ିଆକୁ ଓହ୍ଲାଇଲେ ଭାରତ ପାଇଁ ୧୦୭ ମ୍ୟାଚ୍ ଖେଳିବାର ଗୌରବ ବହନ କରିବେ। ଆଉ ଏକ୍ଷେତ୍ରରେ ବାଇଚୁଙ୍ଗ ଭୂତିଆଙ୍କ ନାମରେ ରହିଥିବା ସର୍ବାଧିକ ମ୍ୟାଚ୍ ଖେଳିବାର ଭାରତୀୟ କୀର୍ତିମାନ ସମକକ୍ଷ ହେବେ ଛେତ୍ରୀ। ଛେତ୍ରୀ ଏମଧ୍ୟରେ ୧୦୬ ମ୍ୟାଚ୍ ଖେଳି ୬୭ ଆନ୍ତର୍ଜାତିକ ଗୋଲ୍ ନିଜ ନାମରେ ରଖିସାରିଛନ୍ତି। ମେସିଙ୍କ ନାମରେ ୬୫ ଗୋଲ୍ ରହିଛି। ତେବେ ସକ୍ରିୟ ଥିବା ଖେଳାଳିଙ୍କ ମଧ୍ୟରେ ଛେତ୍ରୀ ଦ୍ବିତୀୟ ସର୍ବାଧିକ ଗୋଲ୍ ସ୍କୋରର୍ ରହିଛନ୍ତି।