ଚୀନକୁ ଭୁବନେଶ୍ୱର ବିଶ୍ୱକପ୍‌ ଯୋଗ୍ୟତା

ଲୌସାନ୍‌ (ସ୍ୱୀଜରଲାଣ୍ଡ୍‌): ପ୍ରଥମ ଥର ପାଇଁ ହକି ବିଶ୍ୱକପ୍‌ ଲାଗି ଯୋଗ୍ୟତା ଅର୍ଜନ କରିଛି ଚୀନ୍‌। ଆସନ୍ତା ବର୍ଷ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ଲାଗି ଚୀନ ଯୋଗ୍ୟତା ଅର୍ଜନ ପଥରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ପଛରେ ପକାଇଛି। ବାସ୍ତବରେ ଦକ୍ଷିଣ କୋରିଆର ଦୁର୍ବଳ ପ୍ରଦର୍ଶନ କାରଣରୁ ହିଁ ଚୀନକୁ ଏହି ସୁଯୋଗ ମିଳିଛି। ଢ଼ାକାରେ ଚାଲିଥିବା ଏସିଆ କପ୍‌ରେ ଶନିବାର ମାଲେସିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଅନୁଷ୍ଠିତ ଶେଷ ସୁପର୍‌-୪ ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। କୋରିଆ ଏଥି ସହ ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲା। ଫଳରେ ୧୯୯୮ ମସିହାର ୟୁଟ୍ରେକ୍‌ ବିଶ୍ୱକପ୍‌ ପରେ ଦକ୍ଷିଣ କୋରିଆ ପ୍ରଥମ ଥର ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହେଲା। ଏସିଆ କପ୍‌ ଫାଇନାଲ୍‌କୁ ଉଠିଥିବା ଦୁଇ ଦଳ ଭାରତ ଓ ମାଲେସିଆ କିନ୍ତୁ ପୂର୍ବରୁ ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଭାରତ ଆୟୋଜକ ଭାବେ ଏବଂ ମାଲେସିଆ ଚଳିତ ବର୍ଷ ପ୍ରାରମ୍ଭରେ ବିଶ୍ୱ ହକି ଲିଗ୍‌ର ସେମିଫାଇନାଲ୍‌ରେ ଚତୁର୍ଥ ସ୍ଥାନ ଦଖଲ କରି ଭୁବନେଶ୍ୱର ଲାଗି ଯୋଗ୍ୟତା ଅର୍ଜନ କରି ନେଇଥିଲେ। ଲଣ୍ଡନ୍‌ ବିଶ୍ୱ ଲିଗ୍‌ରେ ଅଷ୍ଟମ ସ୍ଥାନରେ ରହିଥେିଲ ମଧ୍ୟ କୋରିଆଠାରୁ ଉପରେ ଥିଲା ଚୀନ୍‌। ବିଶ୍ୱକପ୍‌ ଯୋଗ୍ୟତା ଲାଗି କୋରିଆ ପାଇଁ ଏକମାତ୍ର ବିକଳ୍ପ ଥିଲା ଦଶମ ଏସିଆ କପ୍‌ ଟ୍ରଫି ବିଜୟ। ଯେଉଁଥିରେ ଦଳ ବିଫଳ ହେଲା।
ଭୁବନେଶ୍ୱର-୨୦୧୮ ବିଶ୍ୱକପ୍‌ ଲାଗି ଯୋଗ୍ୟତା ଅର୍ଜନରେ ଚୀନ ୧୫ତମ ଦେଶ ହୋଇଛି। ଆୟୋଜକ ଭାରତ ସହିତ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲ୍‌ଜିୟମ୍‌, କାନାଡ଼ା, ଇଂଲଣ୍ଡ, ଜର୍ମାନି, ଆୟର୍ଲାଣ୍ଡ୍‌, ମାଲେସିଆ, ନେଦରଲାଣ୍ଡ୍‌, ନ୍ୟୁଜିଲାଣ୍ଡ୍‌, ପାକିସ୍ତାନ, ସ୍ପେନ୍‌ ଏବଂ ଫ୍ରାନ୍‌ସ ବିଶ୍ୱକପ୍‌ ସ୍ଥାନ ପକ୍କା କରି ନେଇଛନ୍ତି। ୧୬ତମ ତଥା ଶେଷ ଦେଶ ଇଜିପ୍ଟରେ ରବିବାରଠାରୁ ଆରମ୍ଭ ହୋଇଥିବା ଆଫ୍ରିକା କପ୍‌ରୁ ନିର୍ଧାରିତ ହେବ। ସୂଚନାଯୋଗ୍ୟ, ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌ ୨୦୧୮ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ।

ସମ୍ବନ୍ଧିତ ଖବର