ବିସିସିଆଇକୁ କବ୍‌ଜା କଲା ସିଓଏ

ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ ସମିତି (ସିଓଏ) ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ କବ୍‌ଜା କରିନେଇଛି। ବିସିସିଆଇର ନୂଆ ସମ୍ବିଧାନ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ସିଓଏ ବୋର୍ଡର ପ୍ରଶାସନ ଓ ପେସାଦାର କାର୍ଯ୍ୟକଳାପ ଦାୟିତ୍ୱ ଗ୍ରହଣ କରିବ। ସିଇଓ ରାହୁଲ ଜୋହରିଙ୍କ ଜରିଆରେ ଏହି ଦାୟିତ୍ୱ ହାତକୁ ନେବ ବୋଲି ସିଓଏ ଗୁରୁବାର ନିର୍ଦେଶ ଜାରି କରିଛି। ଫଳରେ କେବଳ ମନୋନୟନ ଏବଂ କ୍ରିକେଟ୍‌ ପରାମର୍ଶଦାତା ସମିତିକୁ ଛାଡ଼ି ଆଉ ସବୁ ପ୍ରଶାସନିକ କ୍ଷମତା ସିଓଏ ନିଜ ନିୟଂତ୍ରଣରେ ରଖିବ। ଫଳରେ ସଚିନ୍‌ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ଭିଭିଏସ୍‌ ଲକ୍ଷ୍ମଣଙ୍କୁ ନେଇ ଗଠିତ କ୍ରିକେଟ୍‌ ପରାମର୍ଶଦାତା ସମିତି ଅପରିବର୍ତିତ ରହିବା ସହିତ ନିଜର କାର୍ଯ୍ୟକଳାପ ଜାରି ରଖିପାରିବ। ସେହିପରି ବରିଷ୍ଠ ମନୋନୟନ ସମିତିକୁ ୫ ଜଣିଆ ସଦସ୍ୟ ବିଶିଷ୍ଟ କରାଯାଇଥିବାରୁ ଏହି ସମିତି ମଧ୍ୟ କୌଣସି ପ୍ରଭାବିତ ହେବନାହିଁ ବୋଲି ନିର୍ଦେଶରେ ସ୍ପଷ୍ଟ କରିଦିଆଯାଇଛି। ତେବେ ନୂଆ ସମ୍ବିଧାନ ଅନୁଯାୟୀ ବୋର୍ଡର ସାନି ନିର୍ବାଚନ ପରିଚାଳନା କ୍ଷମତାରେ ସିଓଏ ହସ୍ତକ୍ଷେପ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ଏଥି ସହିତ ପୁରୁଣା ସମ୍ବିଧାନକୁ ରଦ୍ଧ କରିଦେଇଛି ସିଓଏ। ଏଣିକି ବିସିସିଆଇର ଦୈନନ୍ଦିନ ପରିଚାଳନାକୁ ସିଇଓ ଜୋହରି ତଦାରଖ ସାଙ୍ଗକୁ ‘ସିଓଏ’କୁ ରିପୋର୍ଟ କରିବେ ବୋଲି ନିର୍ଦେଶରେ କୁହାଯାଇଛି। କେବଳ ସେତିକି ନୁହେଁ ବିସିସିଆଇରେ କାର୍ଯ୍ୟକାରୀ ସଭାପତି ସିକେ ଖାନ୍ନା, କାର୍ଯ୍ୟକାରୀ ସଂପାଦକ ଅମିତଭ ଚୌଧୁରୀ ଏବଂ କାର୍ଯ୍ୟକାରୀ କୋଷାଧ୍ୟକ୍ଷ ଅନିରୁଦ୍ଧ ଚୌଧୁରୀଙ୍କ ସମସ୍ତ କ୍ଷମତାକୁ ସଂକୁଚିତ କରାଯାଇଛି। ଏହି ତିନି ଅଧିକାରୀ ସିଓଏର ବିନା ମଞ୍ଜରିରେ କୌଣସି କାର୍ଯ୍ୟ କରିପାରିବେ ନାହିଁ ବୋଲି କଡ଼ା ନିର୍ଦେଶ ଜାରି କରାଯାଇଛି। ବିସିସିଆଇ ପକ୍ଷରୁ ପ୍ରଦାନ କରାଯାଉଥିବା ସମସ୍ତ ପାଉଣା ମଧ୍ୟ ଏଣିକି ସିଇଓଙ୍କ ବିନା ମଞ୍ଜୁରିରେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ସିଓଏ ମଧ୍ୟ ନିଜର କ୍ଷମତା ବଳରେ କାମଚଳା ସମିତି ଗଠନ କରିପାରିବ ବୋଲି କୁହାଯାଇଛି।

ଜାତୀୟ ଦଳ ଚୟନ ବଡ଼ ଆହ୍ଵାନ: ଦେବାଶିଷ
ପ୍ରଥମ ଥର ପାଇଁ ଜାତୀୟ କନିଷ୍ଠ ଚୟନକର୍ତ୍ତା ଭାବେ ନିଯୁକ୍ତି ମିଳିବା ପରେ ଏହାକୁ ନେଇ ଉତ୍ସାହିତ ଥିବା ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍‌ ଦେବାଶିଷ ମହାନ୍ତି କହିଛନ୍ତି। ଏହା ମୋ ପାଇଁ ବଡ଼ ଦାୟିତ୍ୱ ହେବ। ସାରା ଭାରତରୁ କନିଷ୍ଠ ଖେଳାଳିଙ୍କୁ କମ୍‌ ସମୟରେ ବାଛିବା ଏତେ ସହଜ ନୁହେଁ। ଏହିଠାରୁ ଭାରତୀୟ ବରିଷ୍ଠ ଦଳର ଖେଳାଳିମାନେ ତିଆରି ହେଉଥିବାରୁ ଚୟନ ପ୍ରକ୍ରିୟା ନିଶ୍ଚିତ ଭାବେ ବଡ଼ ଆହ୍ଵାନ ସଦୃଶ ହେବ ବୋଲି ସେ କହିଛନ୍ତି। ୧୯୯୬ ମସିହାରୁ ଓଡ଼ିଶା ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଆରମ୍ଭ କରିଥିବା ଦେବାଶିଷ ୧୧୭ ମ୍ୟାଚରୁ ୫ ଅର୍ଧଶତକ ସହ ୧୫୫୩ ରନ୍‌ ସଂଗ୍ରହ କରିଥିଲେ ଓ ୪୧୭ ଓ୍ଵିକେଟ ଅକ୍ତିଆର କରିଥିଲେ। ଏଥିମଧ୍ୟରେ ସେ ୩ଥର ୧୦ ଓ୍ଵିକେଟ ଓ ୧୯ ଥର ୫ ଓ୍ଵିକେଟ ସଫଳତା ପାଇଥିଲେ। ଓଡ଼ିଶା ପାଇଁ ସେ ସର୍ବାଧିକ ଓ୍ଵିକେଟ ଦଖଲକାରୀ ଖେଳାଳି ଭାବେ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେହିପରି ୧୨୯ ଲିଷ୍ଟ ଏ’ରୁ ୧୬୦ ଓ୍ଵିକେଟ ଅକ୍ତିଆର କରିଥିଲେ। ୧୯୯୭ ଅଗଷ୍ଟ ୯ ତାରିଖରେ ସେ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରୁ ଟେଷ୍ଟ ଜୀବନ ଆରମ୍ଭ କରିଥିଲେ। ସେହିବର୍ଷ ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ଦ୍ୱିତୀୟ ଓ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ୨ ମ୍ୟାଚରୁ ସେ ୪ ଓ୍ଵିକେଟ ନେଇଥିଲେ। ଟେଷ୍ଟ ଅପେକ୍ଷା ଦିନିକିଆରେ ସେ ପ୍ରଭାବୀ ଖେଳାଳି ଭାବେ ଉଭା ହୋଇଥିଲେ। ୧୯୯୭ରେ ଟରୋଣ୍ଟୋରେ ପାକିସ୍ଥାନ ବିପକ୍ଷରୁ ଦିନିକିଆ ପଦାର୍ପଣ କରିଥିଲେ। ମୋଟ ୪୫ ଦିନିକିଆରୁ ୨୯.୧୫ ହାରରେ ୫୭ ଓ୍ଵିକେଟ ଦଖଲ କରିଥିଲେ। ୧୯୯୯ ଇଂଲଣ୍ଡ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳରେ ଜାଭାଗଲ ଶ୍ରୀନାଥଙ୍କ ସହ ସେ ବୋଲିଂ ଆରମ୍ଭ କରୁଥିଲେ ଏବଂ ଭାରତ ପାଇଁ ଦ୍ୱିତୀୟ ସର୍ବାଧିକ ଓ୍ଵିକେଟ (୧୦) ହାସଲ କରିଥିଲେ। ୨୦୦୧ରେ କଲୋମ୍ବୋରେ ଶ୍ରୀଲଙ୍କା ସହିତ ତାଙ୍କର ଶେଷ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ ଖେଳିଥିଲେ। ୨୦୧୧ ମସିହାରେ ମାଇକେଲ୍‌ ବେଭାନ୍‌ଙ୍କୁ ହଟାଇ ଦେବାଶିଷଙ୍କୁ ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଥିଲା। ଲମ୍ବା ସମୟ ପରେ ଗତ ଋତୁରେ ତାଙ୍କୁ ବାଦ୍‌ ଦିଆଯାଇଥିଲେ ବି ଚଳିତ ଋତୁ ପାଇଁ ପୁଣି ଦେବାଶିଷଙ୍କୁ ରଣଜୀ ପ୍ରଶିକ୍ଷକ କରାଯାଇଥିଲା।

ସମ୍ବନ୍ଧିତ ଖବର