କୋହଲିଙ୍କ ପାଇଁ ବିପଦ; ଶୀର୍ଷ-୫ରେ ପୂଜାରା

ଦୁବାଇ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ହେଲେ ଆଗକୁ ଏହି ମାନ୍ୟତା ବଜାୟ ରଖିବା ପାଇଁ କୋହଲିଙ୍କ ଆଗରେ ବିପଦ ରହିଛି। କାରଣ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ୩ ଓ ୩୪ ରନ୍‌ କରିବା ପରେ ୧୫ ପଏଣ୍ଟ୍‌ ହରାଇଛନ୍ତି। ଫଳରେ ଅଷ୍ଟ୍ରେଲିଆ ଶୃଙ୍ଖଳା ପୂର୍ବରୁ ୯୩୫ ପଏଣ୍ଟ୍‌ରେ ଥିବା କୋହଲିଙ୍କ ସଂଖ୍ୟା ୯୨୦କୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ପାକିସ୍ତାନ ବିପକ୍ଷ ଆବୁଧାବି ଟେଷ୍ଟ୍‌ରେ ୮୯ ଓ ୧୩୯ ରନ୍‌ କରି କୋହଲିଙ୍କ ପାଇଁ ବିପଦ ସୃଷ୍ଟି କରିଛନ୍ତି। ୱିଲିୟମ୍‌ସନ୍‌ ଏହି ସଫଳତା ବଳରେ ନ୍ୟୁଜିଲାଣ୍ଡ୍‌ର ପ୍ରଥମ ତଥା ମୋଟଉପରେ ୩୨ତମ ବ୍ୟାଟ୍‌ସମ୍ୟାନ୍‌ ଭାବେ ୯୦୦ ପଏଣ୍ଟ୍‌ ଉପରକୁ ଉଠିଛନ୍ତି। ସେ ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରେ ୩୭ ପଏଣ୍ଟ୍‌ର ଫାଇଦା ଉଠାଇ ନିଜ ଜୀବନର ସର୍ବଶ୍ରେଷ୍ଠ ୯୧୩ ପଏଣ୍ଟ୍‌ରେ ପହଞ୍ଚିଛନ୍ତି। ସେ ମଧ୍ୟ ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ହଟାଇ ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଛନ୍ତି। ୱିଲିୟମ୍‌ସନ୍‌ ଏବେ କୋହଲିଙ୍କଠୁ ମାତ୍ର ୭ ପଏଣ୍ଟ୍‌ ପଛରେ ରହିଥିବାରୁ ଶୀର୍ଷ ସ୍ଥାନର ନିକଟତର ହେବା ସାଙ୍ଗକୁ ଭାରତୀୟ ଅଧିନାୟକଙ୍କ ପ୍ରତି ବିପଦ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟ୍‌ରେ ଭଲ ପ୍ରଦର୍ଶନ କରିନପାରିଲେ କୋହଲି ଶୀର୍ଷ ସ୍ଥାନ ହରାଇବା ଆଶଙ୍କା ଦେଖାଦେଇଛି। କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ଅନ୍ୟତମ ଭାରତୀୟ ଚେତେଶ୍ବର ପୂଜାରା ଶୀର୍ଷ-୫କୁ ଫେରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍‌ ଟେଷ୍ଟ୍‌ରେ ୧୨୩ ଓ ୭୧ ରନ୍‌ର ପାଳି ଖେଳିବା ପରେ ପୂଜାରା ସିଧାସଳଖ ଚତୁର୍ଥ ସ୍ଥାନକୁ ଲମ୍ଫ ଦେଇଛନ୍ତି। ସେ ଏବେ ଇଂଲଣ୍ଡର ଜୋ ରୁଟ୍‌ ଓ ଅଷ୍ଟ୍ରେଲିଆର ଡେଭିଡ୍‌ ୱର୍ନରଙ୍କୁ ପଛକୁ ଠେଲି ଦେଇଛନ୍ତି। ପୂଜାରା ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରେ ପଞ୍ଚମ ସ୍ଥାନ ପାଇଥିବା ରୁଟ୍‌ଙ୍କଠୁ ୩୯ ପଏଣ୍ଟ୍‌ ଆଗରେ ରହିଥିଲା ବେଳେ ତୃତୀୟ ସ୍ଥାନରେ ଥିବା ସ୍ମିଥ୍‌ଙ୍କଠାରୁ ୫୫ ପଏଣ୍ଟ୍‌ ତଳେ ରହିଛନ୍ତି। ଆଜିଙ୍କ୍ୟ ରାହାଣେ ମଧ୍ୟ ଗୋଟିଏ ସ୍ଥାନ ଉଠି ବ୍ୟାଟ୍‌ସମ୍ୟାନ୍‌ଙ୍କ ତାଲିକାରେ ସପ୍ତଦଶ ସ୍ଥାନ ପାଇଛନ୍ତି।
ବୋଲରଙ୍କ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ଜୀବନର ସର୍ବଶ୍ରେଷ୍ଠ ୩୩ତମ ସ୍ଥାନ ପାଇଛନ୍ତି। ଆଡିଲେଡ୍‌ ଟେଷ୍ଟ୍‌ରେ ୬ ୱିକେଟ୍‌ ଦଖଲ କରିଥିବା ବୁମ୍‌ରା ୫ ସ୍ଥାନ ଲମ୍ପ ଦେଇଛନ୍ତି।

ସମ୍ବନ୍ଧିତ ଖବର