‘ବଟଲ କ୍ୟାପ୍ ଚ୍ୟାଲେଞ୍ଜ୍’ ପାଇଁ ବ୍ୟାଟ୍ ଧରିଲେ ଧାୱନ

ନୂଆଦିଲ୍ଲୀ: ଆହତ ହୋଇ ବିଶ୍ବକପ୍‌ରୁ ବାଦ ପଡ଼ିବା ପରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ପ୍ରଥମ ଥର ପାଇଁ ବ୍ୟାଟ୍ ଧରିଛନ୍ତି। ପୂରା ସୁସ୍ଥ ହୋଇ ନଥିଲେ ମଧ୍ୟ ବହୁ ଚର୍ଚିତ ‘ବଟଲ୍ କ୍ୟାପ୍ ଚ୍ୟାଲେଞ୍ଜ୍‌’ରେ ଭାଗ ନେଇ ବ୍ୟାଟିଂ କମାଲ ଦେଖାଉଛନ୍ତି। ଏହାର ଭିଡିଓ ଚିତ୍ରକୁ ବି ଗୁରୁବାର ସେ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଏଥିଲାଗି ପୂର୍ବତନ ଭାରତୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହ ତାଙ୍କୁ ଆହ୍ବାନ କରିଥିଲେ। ଯୁବିଙ୍କ ଆହ୍ବାନକୁ ଗ୍ରହଣ କରି ଧାୱନ୍ ବ୍ୟାଟ୍‌ରେ ସଟ୍ ମାରି ସମ୍ମୁଖରେ ରଖା ଯାଇଥିବା ବୋତଲର ଠିପି ଷ୍ଟାଇଲରେ ଖୋଲି ଦେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି। ଭିଡିଓ ତଳେ ସେ ଲେଖିଛନ୍ତି ଯୁବି ଭାଇ, ଏହା ହେଉଛି ମୋର ବଟଲ କ୍ୟାପ୍ ଚ୍ୟାଲେଞ୍ଜ। ଆଘାତ ପ୍ରାପ୍ତ ହେବା ପରେ ମୁଁ ପ୍ରଥମ ଥର ପାଇଁ ବ୍ୟାଟ୍ ଧରୁଛି। ପଡ଼ିଆକୁ ଫେରି ବହୁତ ଭଲ ଲାଗୁଛି। ଚର୍ଚିତ ବଟଲ କ୍ୟାପ୍ ଚ୍ୟାଲେଞ୍ଜ ପାଇଁ ଧାୱନଙ୍କ ସହ ଯୁବି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ୱେଷ୍ଟଇଣ୍ଡିଜର ମହାନ ଖେଳାଳି ବ୍ରାଏନ ଲାରା ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍‌ଙ୍କୁ ମଧ୍ୟ ଆହ୍ବାନ କରିଥିଲେ। ହେଲେ ଧାୱନଙ୍କ ଛଡ଼ା ଅନ୍ୟ ତିନି ତାରକା ଏ ପର୍ଯ୍ୟନ୍ତ ଏହି କଷ୍ଟକର ଚ୍ୟାଲେଞ୍ଜକୁ ଗ୍ରହଣ କରି ନାହାନ୍ତି। ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚିତ ହୋଇଥିବା ‘ବଟଲ କ୍ୟାପ୍ ଚ୍ୟାଲେଞ୍ଜ’ରେ ସେଲିବ୍ରେଟିଙ୍କ ସହ ସାଧାରଣ ଜନତା ହାତ ଉପଯୋଗ ନ କରି ବିଭିନ୍ନ ଉପାୟରେ ବୋତଲର ଠିପି ଖୋଲିବାକୁ ଚେଷ୍ଟା କରି ଏହାର ଭିଡିଓ ନିଜ ନିଜ ଆକାଉଣ୍ଟରେ ପ୍ରକାଶ କରି ପ୍ରଶଂସା ସାଉଣ୍ଟୁଛନ୍ତି। ବଲିଉଡ୍ ହିରୋ ଅକ୍ଷୟ କୁମାର ନିଜର ଏମିତି ଏକ ଭିଡିଓ ପ୍ରକାଶ କରିବା ପରେ ଭାରତରେ ଏହି ଚ୍ୟା‌ଲେଞ୍ଜ୍ ବେଶ୍ ଲୋକପ୍ରିୟ ହୋଇଥିଲା।

ସମ୍ବନ୍ଧିତ ଖବର