କ୍ରିକେଟରଙ୍କୁ ଧୋନି ନୂଆ ଜୀବନ ଦିଅନ୍ତି: ବ୍ରାଭୋ

ବାର୍ବାଡସ୍: ୱେଷ୍ଟଇଣ୍ଡିଜର ଦକ୍ଷ ଅଲରାଉଣ୍ଡର ଡ୍ବେନ୍ ବ୍ରଭୋ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଭୂୟଶୀ ପ୍ରଶଂସା କରିଛନ୍ତି। ବ୍ରାଭୋ ଭାବନ୍ତି ଯେ ଯେଉଁ ଖେଳାଳି ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ଯୋଗଦିଅନ୍ତି ଧୋନିଙ୍କ ଛତ୍ରଛାୟାରେ ସଂପୃକ୍ତ ଖେଳାଳିଙ୍କୁ ନୂଆ ଜୀବନ ମିଳିଥାଏ। ଏହି କ୍ରମରେ ବ୍ରାଭୋ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ୍ ୱାଟସନ୍ ଓ ଭାରତୀୟ କ୍ରିକେଟ୍ ତାରକା ଅମ୍ବାତି ରାୟୁଡୁଙ୍କ ଉଦାହରଣ ଦେଇଛନ୍ତି। ଧୋନିଙ୍କ ଅଧିନାୟକତ୍ବରେ ଆଇପିଏଲ୍ ଖେଳୁଥିବା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଦଳରେ ବ୍ରାଭୋ ୨୦୧୧ ମସିହାରୁ ଅଛନ୍ତି। ‌ଗତ ୯ ବର୍ଷ ହେବ ସେ ଯେମିତି ଚେନ୍ନାଇ ସୁପରକିଙ୍ଗ୍ସର ଅଭିନ୍ନ ଅଙ୍ଗ ପାଲଟି ଯାଇଛନ୍ତି। ଏକ ଅନଲାଇନ୍ ଲାଇଭ୍ ଚାଟ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବ୍ରାଭୋ କହିଛନ୍ତି ଯେ ଚେନ୍ନାଇ ସୁପରକିଙ୍ଗ୍ସର ଡ୍ରେସିଂ ରୁମ୍‌ରେ ବହୁ ଦକ୍ଷ ଅଧିନାୟକ ରହିଛନ୍ତି।

ଫାଫ୍ ଡୁ’ ପ୍ଲେସିସ୍, ବ୍ରେଣ୍ଡନ ମ୍ୟାକଲମ୍‌, ମାଇକ ହସି ଏବଂ ମୁଁ ନିଜେ। ଆମେ ସମସ୍ତେ ଆମ ଦଳର ସଫଳତମ ଅଧିନାୟକ ରହିଆସିଛୁ। ହେଲେ ଯେତେବେଳେ କେହି ବି ଚେନ୍ନାଇ ସୁପରକିଙ୍ଗ୍ସ ଦଳକୁ ଆସନ୍ତି, ଧୋନି ତାଙ୍କୁ କୁହନ୍ତି, ଆପଣ ଅତ୍ୟନ୍ତ ଯୋଗ୍ୟ। ଯୋଗ୍ୟତାର ପ୍ରମାଣ କାହାକୁ ଦେବାର ଆବଶ୍ୟକତା ନାହିଁ। ଆପଣ ନିଜ ସ୍ବାଭାବିକ ଖେଳ ହିଁ ଖେଳନ୍ତୁ। ଧୋନିଙ୍କୁ କ୍ରିକେଟରଙ୍କ ଭଗବାନ ଭାବେ ବର୍ଣ୍ଣନା କରି ବ୍ରାଭୋ ଆହୁରି କହିଥିଲେ, ‘‘ଯେତେବେଳେ କୌଣସି ଖେଳାଳି ସିଏସ୍‌କେକୁ ଆସନ୍ତି, ତାଙ୍କ ଖେଳ ଜୀବନ ସୁଧୁରି ଯାଇଥାଏ। ତାଙ୍କ ଖେଳ ଜୀବନ ସଫଳତାର ନୂଆ ସ୍ତର ଛୁଇଥାଏ। କିଛି ବର୍ଷ ପୂର୍ବେ ଆମେ ସେନ୍ ୱାଟସନଙ୍କୁ ଦେଖିଛେ। ମୁମ୍ବାଇ ଇଣ୍ଡିଆନ୍ସରୁ ଆସିଥିବା ଅମ୍ବାତି ରାୟୁଡୁଙ୍କ ଖେଳ ଦେଖିଛେ। ଏ ସମସ୍ତ ଖେଳାଳିଙ୍କ ଖେଳ ଜୀବନ ଧୋନିଙ୍କ ପାଇଁ ହିଁ ନୂଆ ମୋଡ଼ ନେଇଛି। ଧୋନି କାହା ଉପରେ କେବେ ବି ଚାପ ଦେଇ ନଥାଆନ୍ତି। କ୍ରିକେଟ୍‌ ବାହାରେ ଅବଶ୍ୟ ସେ ଭିନ୍ନ ବ୍ୟକ୍ତିତ୍ବର ଅଧିକାରୀ। ହେଲେ ଯେତେବେଳେ କୌଣସି ଦଳ ସହ ଧୋନି ଯୋଡ଼ି ହୁଅନ୍ତି, ସେତେବେଳେ ସେ ସାଥୀ ଖେଳାଳିଙ୍କ ପାଇଁ ଘର କବାଟ ସବୁବେଳେ ଖୋଲା ରଖନ୍ତି। ସେ ଏମିତି ପରିବେଶ ସୃଷ୍ଟି କରନ୍ତି ଯେ ସମସ୍ତେ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା ଆରମ୍ଭ କରିଦିଅନ୍ତି। ଧୋନି ଜଣେ ମହାନ ଖେଳାଳି କିମ୍ବା ସୁପରଷ୍ଟାର୍‌ ଭଳି ବ୍ୟବହାର କରନ୍ତି ନାହିଁ କିମ୍ବା ତାଙ୍କ ସଫଳତା ଓ କୀର୍ତ୍ତିମାନକୁ ଦେଖେଇ ହୁଅନ୍ତିନି।”

ସମ୍ବନ୍ଧିତ ଖବର