ଇଂଲଣ୍ଡ, ମାଲି, ଇରାନ୍‌, ସ୍ପେନ୍‌ କ୍ୱାର୍ଟରରେ

ଇରାକ୍‌, ଜାପାନ, ମେକ୍ସିକୋ, ଫ୍ରାନ୍‌ସ ବିଦା

ମାରଗାଁଓ/କୋଲ୍‌କାତା/ଗୌହାଟୀ, ୧୭|୧୦: ଚଳିତ ଯୁବ ଫିଫା ବିଶ୍ୱକପ୍‌ (୧୭ ବର୍ଷରୁ କମ୍‌)ର ଏକ ପ୍ରି-କ୍ୱାର୍ଟରଫାଇନାଲ୍‌ ମ୍ୟାଚ୍‌ରେ ମାଲି ୫-୧ ଗୋଲ୍‌ରେ ଇରାକ୍‌କୁ ଦଳି ଦେଇଛି। ଏଥି ସହ ମାଲି ମଧ୍ୟ ଶୀର୍ଷ ୮ ଦଳରେ ସ୍ଥାନ ପାଇଛି। ମାଲି ପାଇଁ ପ୍ରଧାମାର୍ଧରେ ଏଚ୍‌ ଡ୍ରେମ୍‌ (୨୫ ମିନିଟ୍‌) ଏବଂ ଏନ୍‌ ଦିୟେ (୩୩ ମିନିଟ୍‌) ଗୋଲ୍‌ ଦେଇଥିଲେ। ଦ୍ୱିତୀୟାର୍ଧରେ ଏହି ଦଳ ଆଉ ୩ ଗୋଲ୍‌ ଦେଇଥିଲା। ଏଫ୍‌ କୋନେଟ୍‌ (୭୩ ମିନିଟ୍‌), ସି କାମାରା (୮୭ ମିନିଟ୍‌) ଏବଂ ଇନ୍‌ଜ୍ୟୁରି ସମୟରେ ଏନ୍‌ ଦିୟେ (୯୪ ମିନିଟ୍‌)ରେ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଇରାକ୍‌ ପାଇଁ ଏକମାତ୍ର ସାନ୍ତ୍ୱନାମୂଳକ ଗୋଲ୍‌ ଦେଇଥିଲେ ଅଲୀ କରିମ୍‌ (୮୫ ମିନିଟ୍‌)। ଅନ୍ୟ ଏକ ପ୍ରି-କ୍ୱାର୍ଟରଫାଇନାଲ୍‌ରେ କିନ୍ତୁ ଏସୀୟ ଦଳ ଜାପାନ ପ୍ରତିପକ୍ଷ ଇଂଲଣ୍ଡକୁ କଡ଼ା ଟକ୍କର ଦେଇଥିଲା। ନିର୍ଧାରିତ ସମୟରେ ଉଭୟ ଦଳ ଗୋଲ୍‌ ଦେବାରେ ବିଫଳ ହୋଇଥିଲେ। ପେନାଲ୍‌ଟି ସୁଟ୍‌ ଆଉଟ୍‌ରେ ଇଂଲଣ୍ଡ ୫-୩ (୦-୦)ରେ ବିଜୟୀ ହୋଇ ଶୀର୍ଷ ୮ ଦଳରେ ପହଞ୍ଚିଯାଇଥିଲା। ପେନାଲ୍‌ଟି ସୁଟ୍‌ଆଉଟ୍‌ ବେଳେ ଇଂଲଣ୍ଡ ପକ୍ଷରୁ ରିୟାନ୍‌ ଗ୍ଲଷ୍ଟର୍‌, କାଲମ୍‌ ହଡ୍‌ସନ୍‌, ଫିଲିପ୍‌ ଫୋଡେନ୍‌, କର୍ଟିସ୍‌ ଆଣ୍ଡର୍‌ସନ୍‌, ଏନ୍‌ କିର୍ବି ଗୋଲ୍‌ ଦେଇଥିଲେ। ଜାପାନ ପକ୍ଷରୁ ୟୁକିନାରି ସୁଗଓ୍ଵାରା, ତିସେଇ ମିଆଶିରୋ, ସୋସିରୋ କୋଜୁକି ଗୋଲ୍‌ ଦେଇଥିଲେ।
ଗୋଆରେ ମଙ୍ଗଳବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ୨-୧ ଗୋଲ୍‌ରେ ମେକ୍ସିକୋକୁ ହରାଇ ଏସୀୟ ଶକ୍ତି ଇରାନ କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛି। ତା’ ସହ ବିଶ୍ୱକପରେ ନିଜ ଅପରାଜେୟ ଧାରାକୁ ଜାରି ରଖିଛି। ଲିଗ୍‌ ପର୍ଯ୍ୟାୟର ତିନିଟି ଯାକ ମୁକାବିଲା ଜିତି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ଇରାନ ଏଥିସହ ଲାଗତାର ଚାରିଟି ବିଜୟ ହାସଲ କରିବାର ଗୌରବ ଅର୍ଜନ କରିଛି।
ମଙ୍ଗଳବାର ସଂଧ୍ୟାରେ ଖେଳା ଯାଇଥିବା ମେକ୍ସିକୋ ବିପକ୍ଷ ମୁକାବିଲାରେ ଇରାନ ପ୍ରଥମ ୧୧ ମିନିଟ୍‌ ଭିତରେ ହିଁ ଦୁଇଟି ଗୋଲ୍‌ ଦେଇ ବିଜୟର ମୂଳଦୁଆ ପକାଇଥିଲା। ସପ୍ତମ ମିନିଟ୍‌ରେ ମହମ୍ମଦ ସରିଫ ପେନାଲ୍ଟି ସୁଯୋଗକୁ ଗୋଲ୍‌ରେ ରୂପାନ୍ତର କରି ଇରାନକୁ ୧-୦ରେ ଆଗୁଆ କରି ଦେଇଥିଲେ। ମାତ୍ର ୪ ମିନିଟ୍‌ ପରେ ମେକ୍ସିକୋର ଅସଜଡ଼ା ରକ୍ଷଣଭାଗରୁ ଫାଇଦା ନେଇ ଆଲାୟାର ସୟଦ ଆଉ ଏକ ଗୋଲ୍‌ ଦେଇଥିଲେ। ପଡ଼ିଆର ମଧ୍ୟଭାଗରୁ ପାଇଥିବା ଏକ ଲମ୍ବା ପାସକୁ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇ ସେ ସ୍ଥିତି ୨-୦ କରି ନେଇଥିଲେ। ୩୭ ମିନିଟ୍‌ରେ ମେକ୍ସିକୋ ରୋବେର୍ଟୋ ଡି’ ଲା ରୁସାଙ୍କ ଗୋଲ୍‌ ବଳରେ ମ୍ୟାଚ୍‌କୁ ଫେରିଥିଲା। ବଳକା ୮ ମିନିଟ୍‌ରେ ଖେଳରେ ଉଭୟ ଦଳ କେହି କାହାରିକୁ ଗୋଲ୍‌ ଦେଇ ନ ପାରିବା ଫଳରେ ପ୍ରଥମାର୍ଧ ୨-୧ରେ ଇରାନ ସପକ୍ଷରେ ରହିଥିଲା। ଦ୍ୱିତୀୟାର୍ଧରେ ଦୁଇଟି ଯାକ ଦଳର ଖେଳାଳିଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିଲା। ହେଲେ ଆଉ ଗୋଲ୍‌ ଦେଖିବାକୁ ମିଳି ନଥିଲା। ଫଳରେ ଇରାନ ଗୋଟିଏ ଗୋଲ୍‌ ବ୍ୟବଧାନରେ ବିଜୟୀ ହେବା ସହ କ୍ୱାର୍ଟର ଫାଇନାଲକୁ ଯାଇଥିଲା। ଅନ୍ୟ ପକ୍ଷରେ ମେକ୍ସିକୋ ନୈରାଶ୍ୟଜନକ ଭାବେ ବିଦାୟ ନେଇଥିଲା।
ଗୌହାଟୀଠାରେ ମଙ୍ଗଳବାର ଅନ୍ୟ ଏକ ମୁକାବିଲାରେ ସ୍ପେନ୍‌ ଆବେଲ ରୁଇଜଙ୍କ ବିଳମ୍ବିତ ପେନାଲ୍ଟି ଗୋଲ୍‌ ବଳରେ ଫ୍ରାନ୍ସକୁ ବିଦା କରିଥିଲା। ଦୁଇ ୟୁରୋପୀୟ ଦେଶ ମଧ୍ୟରେ ହୋଇଥିବା ଏହି ମୁକାବିଲାରେ ସ୍ପେନ୍‌ ୨-୧ ଗୋଲ୍‌ରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ୟୁରୋପୀୟ ବିଜେତା ସ୍ପେନ୍‌ ରବିବାର କୋଚିଠାରେ ଖେଳା ଯିବାକୁ ଥିବା କ୍ୱାର୍ଟର ଫାଇନାଲ୍‌ ଲଢ଼େଇରେ ଇରାନକୁ ଭେଟିବ।
ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଧରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଫ୍ରାନ୍ସର ଲେନି ପିଣ୍ଟର ୩୪ ମିନିଟ୍‌ରେ ଖାତା ଖୋଲିବା ପରେ ସ୍ପେନର ଜୁଆନ ମିରଣ୍ଡା ଏହାକୁ ୪୪ ମିନିଟ୍‌ରେ ଶୁଝି ଦେଇଥିଲେ। ପ୍ରଥମାର୍ଧ ୧-୧ରେ ରହିବା ପରେ ଖେଳ୍‌ର ଶେଷ ମିନିଟ୍‌ରେ ରୁଇଜ୍‌ ଦେଇଥିବା ଗୋଲ୍‌ ବଳରେ ସ୍ପେନ୍‌ ବିଜୟୀ ହେବା ସହ କ୍ୱାର୍ଟର ଫାଇନାଲକୁ ଯିବାର ଟିକେଟ ହାସଲ କରି ନେଇଥିଲା।

ସମ୍ବନ୍ଧିତ ଖବର