ସ୍ୱପ୍ନା ଦେଲେ ପ୍ରଥମ ହେପ୍ଟାଥଲନ ସ୍ୱର୍ଣ୍ଣ, ପୂର୍ଣ୍ଣିମା ଚତୁର୍ଥ

ପଶ୍ଚିମବଙ୍ଗ ଝିଅ ସ୍ୱପ୍ନା ବର୍ମନ ବୁଧବାର ହେପ୍ଟାଥଲନରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଉପହାର ଦେଇଥିଲେ। ସେ ମଧ୍ୟ ଏହି ଖେଳ ଇତିହାସରେ ପଞ୍ଚମ ମହିଳା ଭାବେ ୬,୦୦୦ ପଏଣ୍ଟ ଟପିଥିଲେ। ହେପ୍ଟାଥଲନରେ ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ୍‌ କିନ୍ତୁ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ସେ ଚତୁର୍ଥ ସ୍ଥାନରେ ନିଜ ଅଭିଯାନ ଶେଷ କରିଥିଲେ। ସ୍ୱପ୍ନା ୬୦୨୬ ପଏଣ୍ଟ ଅର୍ଜନ କରି ପ୍ରଥମ ସ୍ଥାନ ଅଧିକାର କରି ନେଇଥିଲେ। ପୂର୍ଣ୍ଣିମା ୫୮୩୭ ପଏଣ୍ଟ ପାଇ ପୋଡ଼ିୟମ୍‌ ଫିନିସରୁ ବଞ୍ଚିତ ହୋଇଥିଲେ। ଚୀନର ଓ୍ଵାଙ୍ଗ କ୍ୱିଙ୍ଗଲିଙ୍ଗ (୫୯୫୪) ରୌପ୍ୟ ଏବଂ ଜାପାନର ୟାମାସାକି ୟୁକି ୟାମାସାକି (୫୮୭୩) କାଂସ୍ୟ ପଦକ ପାଇଥିଲେ। ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ସ୍ୱପ୍ନା ଉଚ୍ଚ ଡିଆଁରେ ୧୦୦୩, ଜାଭେଲିନରେ ୮୭୨, ସଟପୁଟରେ ୭୦୭, ଲମ୍ବ ଡିଆଁରେ ୮୬୫, ୧୦୦ ମିଟରରେ ୮୮୧, ୨୦୦ ମିଟରରେ ୭୯୦ ପଏଣ୍ଟ ଏବଂ ୮୦୦ ମିଟରରେ ୯୦୮ ପଏଣ୍ଟ ଅର୍ଜନ କରିଥିଲେ। ପୂର୍ଣ୍ଣିମା ୟାମାସାକିଙ୍କଠାରୁ ୧୯ ପଏଣ୍ଟ କମ୍‌ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର