ଫେଡେରେସନ୍‌ କପ୍‌ ଦୌଡ଼କୁଦ, ୨୦୦ ମିଟର ଫାଇନାଲ୍‌ରେ ଦୂତି

କଟକ: ଶୁକ୍ରବାରଠୁ ପଞ୍ଜାବର ପାତିଆଲାରେ ଆରମ୍ଭ ହୋଇଥିବା ୨୩ତମ ଫେଡେରେସନ୍‌ କପ୍‌ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଅଲମ୍ପିଆନ୍‌ ଦୂତି ଚାନ୍ଦ ୨୦୦ ମିଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ମହିଳା ୨୦୦ ମିଟର ଦୌଡ଼ର ହିଟ୍ସରେ ଦୂତି ୨୩.୮୯ ସେକେଣ୍ତ ସମୟ ନେଇ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ଶନିବାର ଫାଇନାଲ୍‌ ପ୍ରତିଦ୍ବନ୍ଦ୍ବିତା ଅନୁଷ୍ଠିତ ହେବ। ସେହିପରି ୪୦୦ ମିଟର ବାଧାଦୌଡ଼ ଫାଇନାଲ୍‌କୁ ଜଉନା ମୁର୍ମୁ ଉନ୍ନୀତ ହୋଇଛନ୍ତି। ହିଟ୍ସରେ ଜଉନା ୫୯.୨୭ ସେକେଣ୍ତ ସମୟ ସହ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ପୁରୁଷ ଜାଭେଲିନ୍‌ରେ କିଶୋର କୁମାର ଜେନା ୬୬.୯୪ ମିଟର ଫିଙ୍ଗି ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ହେଲେ ଏହି ଇଭେଣ୍ଟରେ ଅନ୍ୟତମ ଓଡ଼ିଆ ଖେଳାଳି ଚିନ୍ମୟ ର˚ଜନ ଜେନା ୬୨.୧୬ ମିଟର ଜାଭେଲିନ୍‌ ଫିଙ୍ଗିଥିଲେ ମଧ୍ୟ ଯୋଗ୍ୟତା ମାନଦଣ୍ତ ଅତିକ୍ରମ କରିପାରିନଥିଲେ। ଅନ୍ୟପକ୍ଷରେ ୨୦୦ ମିଟର ଦୌଡ଼ରୁ ଅମୀୟ କୁମାର ମଲ୍ଲିକ ଓହରିଯାଇଥିଲା ବେଳେ ୧୦୦ ମିଟରରେ ପ୍ରତିଦ୍ବନ୍ଦିତା କରିବେ ବୋଲି ଜଣାପଡ଼ିଛି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ହେପ୍ଟାଥଲନ୍‌ରେ ପୂର୍ଣ୍ଣିମା ହେମ୍ବ୍ରମ୍‌, ୧୦୦ ମିଟର ବାଧାଦୌଡ଼ରେ ପ୍ରଜ୍ଞାପ୍ରଶାନ୍ତି ସାହୁ, ଲମ୍ବଡିଆଁରେ ଆଶିଷ କୁମାର ପାତ୍ର ଅ˚ଶଗ୍ରହଣ କରୁଛନ୍ତି। ଚଳିତ ବର୍ଷ ଏପ୍ରିଲ୍‌ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଦୋହାରେ ଆୟୋଜିତ ହେବାକୁଥିବା ଏସୀୟ ଦୌଡ଼କୁଦ ପାଇଁ ଏହି ପ୍ରତିଯୋଗିତାରୁ ଖେଳାଳି ମନୋନୟନ ହେବ।

ସମ୍ବନ୍ଧିତ ଖବର