ବନ୍ଦ ଲଫାଫାରେ ହ୍ୟାଣ୍ଡ୍‌ବଲ୍‌ ସଂଘ ଭବିଷ୍ୟତ

କଟକ: ଓଡ଼ିଶା ହ୍ୟାଣ୍ଡ୍‌ବଲ୍‌ ସଂଘର ଭବିଷ୍ୟତ ଏକ ବନ୍ଦ ଲଫାଫା ଭିତରେ ରହିଛି। ସଂଘର ପରିଚାଳନା ସମ୍ପର୍କିତ ପ୍ରସ୍ତାବକୁ ଉକ୍ତ ଲଫାଫା ମଧ୍ୟରେ ରାଜ୍ୟ ଅଲିମ୍ପିକ୍‌ ସଂଘ ପକ୍ଷରୁ ହ୍ୟାଣ୍ଡ୍‌ବଲ୍‌ ମହାସଂଘ ନିକଟକୁ ପଠାଯାଇଛି। ରାଜ୍ୟ ସଂଘକୁ ଭଙ୍ଗାଯାଇ ଅଲିମ୍ପିକ୍‌ ସଂଘ ତାହାର ପରିଚାଳନା ଦାୟିତ୍ୱ ନେବ ବୋଲି ଉକ୍ତ ପ୍ରସ୍ତାବରେ କୁହାଯାଇଥିବା ଜଣାପଡ଼ିଛି। ତେବେ ମହାସଂଘ ସମ୍ପାଦକ ଉକ୍ତ ଲଫାଫା ଖୋଲିବା ପରେ ବାସ୍ତବ ଘଟଣା ଜଣାପଡ଼ିବ। ଅନ୍ୟପକ୍ଷରେ କ୍ରୀଡ଼ା ନିର୍ଦେଶାଳୟ ପକ୍ଷରୁ କୌଣସି ପ୍ରସ୍ତାବ ଆସିନଥିବା ବେଳେ ନିକଟ ଭବିଷ୍ୟତରେ ତାହା ମିଳିଯିବ ବୋଲି କୁହାଯାଇଛି। ତେବେ ଶନିବାର ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିବା ମହାସଂଘର କୋଷାଧ୍ୟକ୍ଷ ପ୍ରିତ୍‌ପଲ୍‌ ସିଂହ ସାଲୁଜା କୌଣସି ନିଷ୍ପତ୍ତି ବିଷୟରେ ଏବେଠାରୁ କିଛି କହିବାକୁ ମନା କରିଦେଇଛନ୍ତି। ବର୍ତ୍ତମାନ ଗୋଟିଏ ପକ୍ଷର ଅଭିଯୋଗ ଶୁଣାଯାଇଛି, ଅନ୍ୟ ପକ୍ଷର ମତାମତ ନିଆଯିବ। ଏଥିସହିତ ଅନ୍ୟାନ୍ୟ ଶାଖାମାନଙ୍କର ପ୍ରତିକ୍ରିୟା ଗ୍ରହଣ କରାଯିବା ପରେ ମହାସଂଘର ବୈଠକ ଡକାଯିବ। ସବୁ ପକ୍ଷର ରିପୋର୍ଟକୁ ମହାଂସଘ କର୍ମକର୍ତ୍ତାମାନେ ଯାଞ୍ଚ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାଲୁଜା କହିଛନ୍ତି। ତେବେ ବର୍ତ୍ତମାନସ୍ଥିତିରେ କୌଣସି ସଂଘକୁ ଭାଙ୍ଗିବା ସପକ୍ଷରେ ସେ ନାହାନ୍ତି। ଯଦି ରାଜ୍ୟ ଅଲିମ୍ପିକ୍‌ ସଂଘ ହ୍ୟାଣ୍ଡ୍‌ବଲ୍‌କୁ ଅକ୍ତିଆର କରିବାକୁ ଚାହିଁବ ତାହା ସେମାନଙ୍କର ନିଜସ୍ୱ ନିଷ୍ପତ୍ତି। ଏଥିରେ ମହାସଂଘର କିଛି ହସ୍ତକ୍ଷେପ ରହିବ ନାହିଁ ବୋଲି କୁହାଯାଇଛି। ସୂଚନାରୁ ପ୍ରକାଶ ଯେ ରାଜ୍ୟ ହ୍ୟାଣ୍ଡ୍‌ବଲ୍‌ ସଂଘରେ ଲାଗି ରହିଥିବା ଅନିୟମିତତା ଓ ଖେଳାଳି ଚୟନରେ ଏକପାଖିଆ ନିଷ୍ପତ୍ତି ବିରୋଧରେ କ୍ରୀଡ଼ା ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା କରିବାକୁ ଅଲିମ୍ପିକ୍‌ ସଂଘକୁ କ୍ରୀଡ଼ା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା ବେଳେ ବର୍ତ୍ତମାନର ସଂଘକୁ ଭାଙ୍ଗି ଅଲିମ୍ପିକ୍‌ ସଂଘ ତାହାର ଅସ୍ଥାୟୀ ପରିଚାଳନା ଭାର ନେବ ବୋଲି ଶନିବାର ବସିଥିବା ସମନ୍ଵୟ ବୈଠକରେ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧିତ ଖବର