ଭୁବନେଶ୍ୱର: ହକି କେ ଲିୟେ ଦିଲ୍ ଧଡ଼କ୍ତି ଥି, ଧଡ଼କ୍ତି ହୈ ଔର୍ ଧଡ଼କ୍ତା ରହେଗା। ଅବ୍ ବାସ୍ ହକି। ଏଭଳି ଭାବନା ଓ ଚିନ୍ତାଧାରା ମଧ୍ୟରେ ଏବେ କେବଳ ଓଡ଼ିଶା ନୁହେଁ ଭାରତୀୟଙ୍କ ମଧ୍ୟରେ ‘ହକି ପାଇଁ ହୃଦ୍ସ୍ପନ୍ଦନ’ ବଢ଼ିବାରେ ଲାଗିଛି। ନଭେମ୍ବର-ଡିସେମ୍ବରରେ ଭୁବନେଶ୍ୱରରେ ହେବାକୁ ଯାଉଥିବା ହକି ବିଶ୍ୱକପ୍ର ଚତୁର୍ଦଶ ସଂସ୍କରଣ ଲାଗି ହେଉଥିବା ପ୍ରଚାର, ପ୍ରସାର ଓ ସଚେତନତା ଅଭିଯାନ ପୂର୍ବରୁ ଏଭଳି ମତ ରଖିଛନ୍ତି ‘ହାର୍ଟ ବିଟ୍ ଫର୍ ହକି’ର ସ୍ରଷ୍ଟା ତଥା ସୃଜନଶୀଳ ଲେଖିକା ନୂପୁର ମହାଜନ। ପୁରୁଷ ହକି ବିଶ୍ୱକପ୍ ପାଇଁ ବ୍ରାଣ୍ଡ୍ ଷ୍ଟ୍ରାଟେଜିଷ୍ଟ୍ ଥିବା ନୂପୁର ମଧ୍ୟ ଉଦ୍ଘାଟନୀ ଉତ୍ସବର କ୍ରିଏଟିଭ୍ ଡିରେକ୍ଟର ଓ ଲେଖିକା/କୋରିଅଗ୍ରାଫର୍ ଦାୟିତ୍ୱରେ ଅଛନ୍ତି। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ନୂପୁର ପ୍ରଦାନ କରିଥିଲେ ଅନେକ ସୂଚନା। ‘ହକି ପାଇଁ ହୃଦ୍ସ୍ପନ୍ଦନ’ ହେଉଥିବା ଅଭିଯାନକୁ ଗୁରୁବାରଠାରୁ ଭୁବନେଶ୍ୱର ବିମାନବନ୍ଦରରୁ ଆରମ୍ଭ କରାଯାଇଛି। ସେପ୍ଟେମ୍ବର ୨୫ ତାରିଖରୁ ଏହାର କଲେଜ୍ ଟୁର୍ ଭୁବନେଶ୍ୱରଠାରୁ ଆରମ୍ଭ କରାଯିବ। କ୍ରମେ ଏହା ଦେଶର ୧୦୦ ସହର ବୁଲିବ। ଓଡ଼ିଶା ଓ ସାରା ଭାରତର କ୍ରୀଡ଼ାପ୍ରେମୀମାନେ ଯେଭଳି ଡିଜିଟାଲ୍ ପ୍ଲାଟଫର୍ମ www.heartbeatsforhockey.com ଜରିଆରେ ନିଜ ନିଜ ହୃଦସ୍ପନ୍ଦନ ପ୍ରଦାନ କରିପାରିବେ ପ୍ରୟାସ କରାଯାଉଛି। ଏଥିରେ ସାମିଲ ପାଇଁ ମଧ୍ୟ ପୂର୍ବରୁ ଦେଶର ୧୭ଟି ପ୍ରମୁଖ ସହରରେ ରୋଡ୍ ସୋ’ କରାଯିବ। ସହର ସହର ବୁଲିବା ବେଳେ ଏକ ହକି ଷ୍ଟିକ୍ ଜରିଆରେ ମଧ୍ୟ ହୃଦସ୍ପନ୍ଦନ ଗ୍ରହଣ କରାଯିବ। ହୃଦ୍ସ୍ପନ୍ଦନ ସଂଗ୍ରହ ପରେ ଏହା ନଭେମ୍ଭର ୨୭ ତାରିଖରେ ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବରେ ଭାଗନେଉଥିବା ୧୬ ଦେଶର ଅଧିନାୟକଙ୍କୁ ପ୍ରଦାନ କରାଯିବ। ବିଶ୍ୱକପ୍ ଆରମ୍ଭ ବେଳକୁ ପ୍ରାୟ ୫୦,୦୦,୦୦୦ ଲୋକଙ୍କ ହୃଦ୍ସ୍ପନ୍ଦନ ସଂଗ୍ରହ ଆଶା କରିଛନ୍ତି ନୂପୁର। ସଚ୍ଚୋଟତାର ସହ କହିଲେ ହକି ଓ ଓଡ଼ିଶାକୁ କେହି ଜାଣିନାହାନ୍ତି। ଉଭୟକୁ କିଛି ଦେବା ଓ ପରିଚିତ କରିବା ଲକ୍ଷ୍ୟ ରଖି ମୁଁ ଏହି ଅଭିଯାନରେ ଯୋଡ଼ି ହୋଇଛି। ଗତ ଫେବ୍ରୁଆରିରେ ଭାରତୀୟ ହକି ଦଳକୁ ଓଡ଼ିଶା ସରକାର ପ୍ରାୟୋଜିତ କରିବାର ମାତ୍ର ୫ ଦିନ ପୂର୍ବରୁ ମୋତେ ଲୋଗୋ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଯେଉଁଥିରେ କୋଣାର୍କ ସୂର୍ଯ୍ୟମନ୍ଦିର, ଓଡ଼ିଶୀ ନୃତ୍ୟ ଓ ହକି ଆଦିକୁ ସ୍ଥାନିତ କରିଥିଲି। ଏବେ ଭାରତୀୟ ଦଳର ଜର୍ସିକୁ ମଧ୍ୟ ବିଶିଷ୍ଟ ଡିଜାଇନର୍ ନରେନ୍ଦ୍ର କୁମାରଙ୍କ ସହ ମିଶି କରିଛୁ। କହିବାକୁ ଗଲେ ହକି ବିଶ୍ୱକପ୍ ପୂର୍ବରୁ ଓଡ଼ିଶା ରଙ୍ଗରେ ଭାରତ ରଙ୍ଗେଇ ହୋଇଯିବ। ‘ହକି ହୃଦ୍ସ୍ପନ୍ଦନ’କୁ ଏକ ଆନ୍ଦୋଳନ ବୋଲି ଅଭିହିତ କରିଥିଲେ ନୂପୁର।
Sambad is now on WhatsApp
Join and get latest news updates delivered to you via WhatsApp
ହକି ଆଡ୍ଡା, ପାଠଶାଳା ଜରିଆରେ ବ୍ୟାପକ ପ୍ରସାର
ଓଡ଼ିଶା ବନାମ ଭାରତ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯିବ
ବିଶ୍ୱକପ୍ ସଂଗୀତ ଓ ମ୍ୟୁଜିକ୍ ଭିଡିଓ ହେବ ଉନ୍ମୋଚନ
ଦୁଇ ଘଣ୍ଟିଆ ଉଦ୍ଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି
ହକି ବିଶ୍ୱକପ୍ ଓଡ଼ିଶା ଇତିହାସରେ ସବଠୁ ବଡ଼ କଥା ହେବ। ଉଦ୍ଘାଟନୀ ଉତ୍ସବରେ ବହୁ କିମ୍ବଦନ୍ତୀଙ୍କ ମହାମିଳନ ଘଟିବ। ଖୁବ୍ ଶୀଘ୍ର ମୁଖ୍ୟ ଆକର୍ଷଣ ମହାନଙ୍କ ନାମ ଘୋଷଣା କରାଯିବ। ମୋଟ ୨ ଘଣ୍ଟାର ଉଦ୍ଘାଟନୀ ଉତ୍ସବରୁ ୧ ଘଣ୍ଟା ସିଧାପ୍ରସାରିତ ହେବ। ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ସହିତ ଦେଶର ବିଭିନ୍ନ ଗୌରବ ଗାଥା ପ୍ରଦର୍ଶିତ ମଧ୍ୟ ହେବ। ମୁମ୍ବାଇରୁ ଏକ ଖ୍ୟାତନାମା ଡିଜେ ଦଳ ଆସିବେ। ଷ୍ଟାଡିୟମ୍ ଭିତର ଦର୍ଶକଙ୍କ ବ୍ୟତୀତ ବାହାର ପ୍ରଶଂସକଙ୍କ ପାଇଁ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍ର ବାହାରେ ବଡ଼ ପରଦା ସହିତ ବିଭିନ୍ନ ଜିଲ୍ଲାସ୍ତରରେ ପ୍ରଦର୍ଶିତ କରାଯିବାର ବ୍ୟବସ୍ଥା ହେଉଛି। ଏହା ଏକ ଉଚ୍ଚମାନର ମାନଦଣ୍ଡ ଧାର୍ଯ୍ୟ କରିଦେବ ବୋଲି କୁହାଯାଇଛି। ଏହି ଅବସରରେ ଓଡ଼ିଶା ଏକାଦଶ ଏବଂ ଭାରତ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ମଧ୍ୟ ଖେଳାଯିବ। ଗତବର୍ଷର ଭୁବନେଶ୍ୱର ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦ୍ଘାଟନୀ ଉତ୍ସବଠାରୁ ଏହା ଅଧିକ ମନୋଜ୍ଞ ଏବଂ ଆକର୍ଷଣୀୟ ହେବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ହକି ବିଶ୍ୱକପ୍ର ସଂଗୀତ ଓ ମ୍ୟୁଜିକ୍ ଭିଡିଓ ମଧ୍ୟ ଖୁବ୍ ଶୀଘ୍ର ଉନ୍ମୋଚିତ ହେବାକୁ ଯାଉଛି ବୋଲି ନୂପୁର ପ୍ରକାଶ କରିଥିଲେ। ଏସବୁ ବାଦ୍ ୫ଟି ପ୍ରମୁଖ ସହରରେ ହକି ଆଡ୍ଶା ଓ ହକି ପାଠଶାଳା ଜରିଆର ମଧ୍ୟ ସାଧାରଣ ଜନତା ଓ କ୍ରୀଡ଼ାପ୍ରେମୀଙ୍କୁ ଓଡ଼ିଶା ହକି ବିଶ୍ୱକପ୍ ସହ ଯୋଡ଼ିବାର ପ୍ରୟାସ ହୋଇଛି। ହକି ଆଡ୍ଶାରେ କିମ୍ବଦନ୍ତୀ ଖେଳାଳି ଏବଂ ବର୍ତମାନର ତାରକାମାନଙ୍କୁ ନେଇ ପ୍ରସ୍ତୁତ ହେବ। ଏହା ଏକ ହକି ଆଲୋଚନା ମଞ୍ଚର ମାଧ୍ୟମ ରହିବ। ସେହିଭଳି ହକି ପାଠଶାଳାରେ ଖେଳାଳିମାନେ ହକିର ନିୟମାବଳୀ ଓ ଖେଳ ସମ୍ପର୍କିତ ଜ୍ଞାନକୁ ସାଧାରଣ ଜନତାଙ୍କୁ ସ୍ପଷ୍ଟ ଭାବେ ବୁଝାଇବେ। ‘‘ଏଭଳି ଏକ କାମ ସହ ଯୋଡ଼ି ହୋଇଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି। ଉଦ୍ଘାଟନୀ ଉତ୍ସବ ବିଶ୍ୱସ୍ତରରେ ଏକ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବା ସହିତ ବିକାଶଶୀଳ ଓଡ଼ିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବ’ ବୋଲି ନୂପୁର ଆଶା ପ୍ରକାଶ କରିଛନ୍ତି।
ପ୍ରଥମ ଆଲୋକରେ ଝଟକିଲା ଷ୍ଟାଡିୟମ୍
ହକି ବିଶ୍ୱକପ୍ ଆରମ୍ଭକୁ ଆଉ ୨ ମାସରୁ ଊର୍ଧ୍ୱ ସମୟ ରହିଛି। ହେଲେ କଳିଙ୍ଗ ଷ୍ଟାଡିୟମ୍ର ହକି କମ୍ପ୍ଲେକ୍ସ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେବାରେ ଲାଗିଛି। ଗୁରୁବାର ସଂଧ୍ୟାରେ ନୂଆ ଷ୍ଟାଡିୟମ୍ର ନୂଆ ଆଲୋକୀକରଣ ବ୍ୟବସ୍ଥାର ପରୀକ୍ଷା ହୋଇଥିଲା। ପଡ଼ିଆ ପାର୍ଶ୍ୱରେ ଥିବା ୪ ଫ୍ଲଡଲାଇଟ୍ ସୁଇଚ୍ ଅନ୍ ହୋଇଥିଲା। ପ୍ରଥମ ପରୀକ୍ଷାରେ ବି ସଫଳ ରୂପାୟନ ନଜରକୁ ଆସିଥିଲା। ଭାରତୀୟ ହକି ଦଳ ଏହି ଫ୍ଲଡ୍ ଲାଇଟ୍ରେ ଅଭ୍ୟାସ କରିଥିଲା। ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ହକି ଅନ୍ତେବାସୀ ମାନେ ମଧ୍ୟ ନୂଆ ଆଲୋକରେ ପୁଲକିତ ହୋଇଥିଲେ। କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର ଦେବ ଏବଂ ନିର୍ଦେଶକ ଭିନୀଲ କ୍ରିଷ୍ଣା ମଧ୍ୟ ଆଲୋକୀକରଣ ବେଳେ ଉପସ୍ଥିତ ରହି ପ୍ରୀତ ହୋଇଛନ୍ତି।