ବର୍ଷେ ହେବ ଖେଳିନି ଅଧା ଭାରତ

ମୁମ୍ବାଇ: ଭାରତୀୟମାନେ ଖେଳ ପ୍ରତି ବିମୁଖ। ସେମାନେ ଖେଳା ଖେଳି କରିବାକୁ ଭଲ ପାଆନ୍ତି ନାହିଁ। ଅନ୍ତର୍ଜାତୀୟ କ୍ରୀଡ଼ା ସାମଗ୍ରୀ ପ୍ରସ୍ତୁତକାରୀ କଂପାନି ପ୍ୟୁମା ଏବଂ ବଜାର ଗବେଷଣାକାରୀ ସଂସ୍ଥା କାନ୍ତାର ଆଏମ୍‌ଆରବି ତରଫରୁ କରାଯାଇଥିବା ଏକ ସର୍ଭେ ବା ପର୍ଯ୍ୟବେକ୍ଷଣରୁ ଏହା ଜଣା ପଡ଼ିଛି। ପ୍ୟୁମାର ବ୍ରାଣ୍ଡ ଆମ୍ବାସାଡାର ଏବଂ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଏହି ସର୍ଭେରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ। ଏହି ପର୍ଯ୍ୟବେକ୍ଷଣରୁ କେତେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଯାହା ଭାରତ କ୍ରୀଡ଼ା କ୍ଷେତ୍ରରେ ଏକ ଶକ୍ତିଶାଳୀ ଦେଶ ହେବା ଦିଗରେ ଏକ ବଡ଼ ପ୍ରତିବନ୍ଧକ ଭାବେ ଉଭା ହେବ ବୋଲି ଆଶଙ୍କା କରାଯାଉଛି। ଏଥିରେ ଅଂଶ ଗ୍ରହଣ କରିଥିବା ଲୋକଙ୍କ ମଧ୍ୟରୁ ୫୭ ପ୍ରତିଶତ ଗତ ଏକ ବର୍ଷ ହେବ ଖେଳ ପଡ଼ିଆକୁ ଆଦୌ ଓହ୍ଲାଇ ନାହାନ୍ତି। ଯାହା ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା। ସେହିଭଳି ଏକ ତୃତୀୟାଂଶ ଗତ ବର୍ଷକ ମଧ୍ୟରେ କୌଣସି ଶାରୀରିକ ବ୍ୟାୟାମ କରି ନାହାନ୍ତି ବୋଲି କହିଥିଲେ। ସମୟ ଅଭାବକୁ ଖେଳାଖେଳି କରି ପାରୁନଥିବାର ମୁଖ୍ୟ କାରଣ ବୋଲି ୫୮ ପ୍ରତିଶତ ଲୋକ ମତ ଦେଇଥିଲେ। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏହି ଲୋକମାନେ ଦୈନିକ ୪ରୁ ୫ ଘଣ୍ଟା ସାମାଜିକ ଗଣମାଧ୍ୟମରେ ବ୍ୟସ୍ତ ରହିବା, ଟିଭି ଦେଖିବା, ମୋବାଇଲରେ ଗପିବା ଭଳି କାମରେ କଟାଇଥିଲେ। ୩୩ ପ୍ରତିଶତ ଶେଷ ଥର ପାଇଁ ସ୍କୁଲ୍‌ ଏବଂ କଲେଜରେ ଖେଳିଥିଲେ। ୧୮ରୁ ୨୧ ବର୍ଷ ବୟସ୍କଙ୍କ ମଧ୍ୟରୁ ୭୦ ପ୍ରତିଶତ ଗତ ଏକ ବର୍ଷ ହେବ କୌଣସି ନା କୌଣସି ଖେଳ ଖେଳିଛନ୍ତି। ହେଲେ ବୟସ ବଢ଼ିଲା ବେଳକୁ ଏହି ହାର ଯଥେଷ୍ଟ ହ୍ରାସ ପାଇ ଯାଉଛି। ୩୬-୪୦ ବର୍ଷ ବୟସ୍କଙ୍କ ମଧ୍ୟରୁ ମାତ୍ର ୨୬ ପ୍ରତିଶତ ଗତ ଏକ ବର୍ଷ ମଧ୍ୟରେ ଥରେ ହେଲେ ବି ପଡ଼ିଆକୁ ଓହ୍ଲାଇଛନ୍ତି। ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରୁ ଗୋଆର ଲୋକମାନେ କିନ୍ତୁ ତୁଳନାତ୍ମକ ଭାବେ ଅଧିକ ସମୟ ଖେଳ ପଡ଼ିଆରେ କଟାଇଥାଆନ୍ତି। ଗୋଆର ୮୯ ପ୍ରତିଶତ ଲୋକ ଗତ ଏକବର୍ଷ ହେବ କୌଣସି ନା କୌଣସି ଖେଳ ପ୍ରତିଯୋଗିତାରେ ନିଜକୁ ସାମିଲ କରିଛନ୍ତି। ଏହାପରେ ହାଇଦ୍ରାବାଦ ଏବଂ ମୁମ୍ବାଇର ବାସିନ୍ଦା ଅଛନ୍ତି। ଏଥିନେଇ କୋହଲି ଚିନ୍ତା ପ୍ରକଟ କରିଛନ୍ତି। ଆମ ଜୀବନରେ ଏବେ ବୈଷୟିକ ଜ୍ଞାନ କୌଶଳ ଏବଂ ସାମାଜିକ ଗଣମାଧ୍ୟମ ସ୍ୱାସ୍ଥ୍ୟ ଏବଂ ଶାରୀରିକ ସୁସ୍ଥତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି। ଗତ ଏକ ବର୍ଷ ହେବ ଏକ ତୃତୀୟାଂଶ ଭାରତୀୟ କୌଣସି ଶରୀରିକ କାର୍ଯ୍ୟ ନ କରିବା ମଧ୍ୟ ଚିନ୍ତାର ବିଷୟ। ଏହା ବଦଳିବା ଦରକାର। ଖେଳକୁ ଆମ ଦୈନନ୍ଦିନ ଜୀବନରେ ସହଜରେ ଯୋଡ଼ିହେବ। ଜଣେ ଯେ କୌଣସି ସମୟ ଏବଂ ଯେ କୌଣସି ସ୍ଥାନରେ ଖେଳା ଖେଳି କରିପାରିବେ। ଶାରୀରିକ ଭାବେ ସୁସ୍ଥ ଥିଲେ ହିଁ ଆପଣ ଯେ କୌଣସି ବାଧାବିଘ୍ନକୁ ସାହସର ସହ ସମ୍ମୁଖୀନ ହୋଇପାରିବେ। ମୁଁ ବ୍ୟକ୍ତିଗତ ଭାବେ ଏହାର ଅଭିଜ୍ଞତା ରଖିଛି। ବାହାରକୁ ଆସି ଖେଳିବାକୁ ମୁଁ ସମସ୍ତଙ୍କୁ ଆହ୍ଵାନ କରୁଛି ବୋଲି କୋହଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ଏହି ପର୍ଯ୍ୟବେକ୍ଷଣରେ ୧୮-୪୦ ବର୍ଷ ବୟସ୍କ ୩୮୨୪ ଜଣ ମହିଳା ଏବଂ ପୁରୁଷ ଅଂଶଗ୍ରହଣ କରିଥିଲେ। ୧୮ ସହର ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ, ପୁନେ, କୋଲକାତା, କୋଚିନ, ଗାଜିଆବାଦ, ଗୋଆ, ଗୁରୁଗ୍ରାମ, ଗୌହାଟୀ, ଜୟପୁର, ଲକ୍ଷ୍ନୌ, ଲୁଧିଆନା, ପାଟନା, ରାଏପୁର ଓ ସୁରତରେ ଏହି ସର୍ଭେ କରାଯାଇଥିଲା। ଖେଳ ପଡ଼ିଆର ଅଭାବ ମଧ୍ୟ ଭାରତରେ ଖେଳ ପ୍ରତି ଆଗ୍ରହ କମିବାର ଅନ୍ୟତମ କାରଣ ଭାବେ ଉଭା ହୋଇଛି। ଦେଶର ଦୁର୍ବଳ କ୍ରୀଡ଼ା ଭିତ୍ତିଭୂମି ମଧ୍ୟ ଏହି କ୍ଷେତ୍ରରେ ଏକ ବଡ଼ ସମସ୍ୟା ହେବାରେ ଲାଗିଛି।

ସମ୍ବନ୍ଧିତ ଖବର