ମୁଁ ଫୁଟ୍‌ବଲ୍‌ର ଭଗବାନ ନୁହେଁ: ମାରାଡ଼ୋନା

କୋଲ୍‌କାତା: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ଲଢ଼ିବାକୁ ଆର୍ଜେଣ୍ଟିନା ଫୁଟ୍‌ବଲ୍‌ କିମ୍ବଦନ୍ତୀ ଡିଏଗୋ ମାରାଡୋନା ତିନି ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏହି କ୍ରିକେଟ୍‌ ଏବଂ ଫୁଟ୍‌ବଲ୍‌ ତାରକା ପଶ୍ଚିମବଙ୍ଗର ବାରାସାତାରେ ଖେଳାଯିବାକୁଥିବା ଏକ ପ୍ରଦର୍ଶନୀ ଫୁଟ୍‌ବଲ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ। ଦୁବାଇର ଅଲ୍‌-ଫୁଜାଇରା ଏସ୍‌ସିର ପ୍ରଶିକ୍ଷକ ଥିବା ମାରାଡୋନାଙ୍କ ସହିତ ତାଙ୍କ ପ୍ରେମିକା ରୋସିଓ ଓଲିଭା ରବିବାର କୋଲ୍‌କାତାରେ ପହଞ୍ଚିଥିଲେ। ସୋମବାର ମାରାଡୋନା ଏକ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ୧୧ କର୍କଟ ରୋଗୀଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଏଥିସହ ୧୯୮୬ ବିଶ୍ୱକପ୍‌ ଟ୍ରଫି ଧରିଥିବା ୧୨ ଫୁଟ ଉଚ୍ଚତା ବିଶିଷ୍ଟ ନିଜର ଏକ ପ୍ରତିମୂର୍ତ୍ତିର ମଧ୍ୟ ଅନାବରଣ କରିଥିଲେ। ଏହି ଅବସରରେ ନିଜ ପ୍ରଶଂସକଙ୍କୁ ସମ୍ବୋଧନ କରି କହିଥିଲେ, ମୁଁ ଫୁଟ୍‌ବଲ୍‌ର ଭଗବାନ ନୂହେଁ।, ସାଧାରଣ ଖେଳାଳି। ପୁଣି ଥରେ କୋଲ୍‌କାତା ଆସିଥିବାରୁ ବହୁତ ଖୁସି। ଚଳିତ ବର୍ଷ ଅକ୍ଟୋବରରେ ମାରାଡୋନା ଏହି ଗସ୍ତ କରିବାର ଥିଲା। କିନ୍ତୁ କୌଣସି କାରଣରୁ ଏହା ସ୍ଥଗିତ ରହିଥିଲା। ମାରାଡୋନା ୨୦୦୮ ଡିସେମ୍ବରରେ ପ୍ରଥମ ଥର କୋଲ୍‌କାତା ଆସିଥିଲେ। ସେ ସମୟରେ ହଜାର ହଜାର ଲୋକ ବିମାନ ବନ୍ଦରରରେ ଭିଡ଼ ଜମାଇଥିଲେ।

ସମ୍ବନ୍ଧିତ ଖବର