ଡୋପ୍‌ ଟେଷ୍ଟ୍‌ରେ ଧରାପଡ଼ିଲେ ଘାସିରାମ

ବ୍ରହ୍ମପୁର: ଗତ ଫେବୃଆରି ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାରେ ଆୟୋଜିତ ହୋଇଥିବା ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାର ବାଳକ ବିଭାଗରେ ୩ ରୌପ୍ୟ ପଦକ ହାସଲ କରିଥିବା ବ୍ରହ୍ମପୁର ଛାତ୍ରାବାସର ଅନ୍ତେଃବାସୀ ଘାସିରାମ ଖୋରା ଡୋପ୍‌ ଟେଷ୍ଟରେ ଧରାପଡ଼ିଛନ୍ତି। ଓଡ଼ିଶା ଭାରୋତ୍ତୋଳନ ସଂଘ ସମ୍ପାଦକ ନାରାୟଣ ସାହୁଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରତିଯୋଗିତାରେ ଓଡ଼ିଶାକୁ ୧୭ ପଦକ ମିଳିଥିଲା। ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସର ଘାସିରାମ ଖୋରା ୫୦ କେଜି ବର୍ଗରେ ୩ ରୌପ୍ୟ ପଦକ ହାସଲ କରିଥିଲେ। କିନ୍ତୁ ସେଠାରେ ନାଡା ପକ୍ଷରୁ ପ୍ରତ୍ୟେକ ପ୍ରତିଯୋଗୀଙ୍କ ଡୋପ୍‌ ଟେଷ୍ଟ ପାଇଁ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ଘାସିରାମଙ୍କ ଏ’ ନମୂନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ୭ ଦିନ ମଧ୍ୟରେ ‘ବି’ ନମୂନା ପରୀକ୍ଷା କରାଯିବ। ଏଥିରେ ଯଦି ପଜିଟିଭ୍‌ ଆସେ, ତେବେ ସମ୍ପୃକ୍ତ ଖେଳାଳି ୪ ବର୍ଷ ପାଇଁ ବାସନ୍ଦ ହେବେ। ତେବେ କ୍ରୀଡ଼ା ଛାତ୍ରାବାସର ପ୍ରଶିକ୍ଷକଙ୍କଠୁ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ।

ସମ୍ବନ୍ଧିତ ଖବର