ବ୍ରିସବେନ୍‌ ଟି-୨୦: ଅଷ୍ଟ୍ରେଲିଆ ଠାରୁ ୪ ରନ୍‌ରେ ହାରିଲା ଭାରତ

ବ୍ରିସ୍‌ବେନ୍‌: ଲଢୁଆ ବ୍ୟାଟିଂ ସତ୍ତ୍ୱେ ଭାରତ ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆ ଠାରୁ ୪ ରନରେ ପରାସ୍ତ ହୋଇଛି। ଅନ୍ତିମ କ୍ରମର ବ୍ୟାଟସ୍‌ମ୍ୟାନମାନଙ୍କ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଭାରତ ଏହି ମ୍ୟାଚରେ ବିଜୟୀ ହୋଇ ପାରି ନାହିଁ। ଦ୍ୱିତୀୟ ଇନିଂସରେ ୧୭୪ ରନ ବିଜୟ ଲକ୍ଷ୍ୟ ନେଇ ନିର୍ଦ୍ଧାରିତ ୧୭ ଓଭରରେ ୭ ଓ୍ଵିକେଟ ହରାଇ ୧୬୯ ରନ୍‌ ସଂଗ୍ରହ କରିଛି। ଓପନର ଶିଖର ଧାଓ୍ଵନ (୭୬ ରନ୍‌, ୪୨ ବଲ, ୧୦ ଚୌକା, ୨ ଛକା)ଙ୍କ ବିସ୍ଫୋରକ ବ୍ୟାଟି ବଳରେ ଭାରତର ସ୍କୋର ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା। ଭାରତ ୩୫ ରନ୍‌ରେ ରୋହିତ ଶର୍ମା(୭)ଙ୍କୁ ହରାଇଥିଲା। ଲୋକେଶ ରାହୁଲ ୧୨ଟି ବଲ ଖେଳି ୧୩ ରନ ଯୋଗାଡ କରିଥିଲେ। ଋଷଭ ପନ୍ତ ୧୫ଟି ବଲ ଖେଳି ୨୦ ରନ ଯୋଡ଼ିଥିଲେ।

ଭାରତ ୩୫ ରନ୍‌ରେ ପ୍ରଥମ ଓ୍ଵିକେଟ ଭାବରେ ରୋହିତ ଶର୍ମାଙ୍କୁ ହରାଇଥିଲା। ସେହିପରି ୮୧ ରନ୍‌ରେ ୨ୟ ଓ୍ଵିକେଟ, ୯୪ ରନରେ ବିରାଟ କୋହଲି, ୧୦୫ ରନ୍‌ରେ ଶିଖର ଧାଓ୍ଵନ, ୧୫୬ ରନ୍‌ରେ ଋଷଭ ପନ୍ତ, ୧୬୩ ରନ୍‌ରେ କ୍ରୁଣାଲ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକଙ୍କୁ ହରାଇଥିଲା।

ଟସ୍‌ ଜିଣି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା। ବର୍ଷା ବାଧିତ ମ୍ୟାଚକୁ ୧୭ ଓଭର କରି ଦିଆଯାଇଥିଲା। ଅଷ୍ଟ୍ରେଲିଆ ୧୭ ଓଭରରେ ୪ ଓ୍ଵିକେଟ ହରାଇ ୧୫୮ ରନ୍‌ ସଂଗ୍ରହ କରିଥିଲା। ମାତ୍ର ବର୍ଷା ବାଧିତ ମ୍ୟାଚରେ ଭାରତକୁ ୧୭୪ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ ମ୍ୟାକ୍ସେଓ୍ଵଲ ସର୍ବାଧିକ ୪୬ ରନ ଯୋଡ଼ିଥିଲେ। ସେ ୨୪ଟି ବଲ ଖେଳି ୪ଟି ଛକା ମାରିଥିଲେ। କ୍ରିସ ଲିନ ୨୦ଟି ବଲ ଖେଳି ୩୭ ରନ ସଂଗ୍ରହ କରିଥିଲେ। ଏଥିରେ ଗୋଟିଏ ଚୌକା ଏବଂ ୪ଟି ଛକା ସାମିଲ ଥିଲା। ସେହିପରି ମାର୍କସ ଷ୍ଟୋନିସ ୧୯ଟି ବଲରୁ ୩୩ ରନ୍‌ ଯୋଡ଼ିଥିଲେ। ଏଥିରେ ସେ ୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ।

ଭାରତୀୟ ବୋଲର କୁଲଦୀପ ଯାଦବଙ୍କୁ ୨ଟି ଓ୍ଵିକେଟ ମିଳିଥିବା ବେଳେ ଯଶପ୍ରୀତ ବୁମରା ଓ ଖଲିଲ ଅହମଦ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର