ରାଣାଙ୍କ ଶତକ ପରେ ଚାପରେ ଓଡ଼ିଶା

ରଣଜୀ ଟ୍ରଫି: ଓଡ଼ିଶାର ୩୨୪ ଜବାବରେ ହରିଆଣା ୨୩୯/୩

ଭୁବନେଶ୍ବର: କିଟ୍ କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ରଣଜୀ ମ୍ୟାଚର ଦ୍ବିତୀୟ ଦିବସରେ ଘରୋଇ ଓଡ଼ିଶା ଉପରେ ଚାପ ପଡ଼ିଛି। ପ୍ରଥମ ପାଳିରେ ଓଡ଼ିଶା ସମ୍ମାନଜନକ ୩୨୪ ରନ୍ କରି ନେଇଥିଲେ ମଧ୍ୟ ଶୁକ୍ରବାର ଖେଳ ବନ୍ଦ ବେଳକୁ ହରିଆଣା ୩ ୱିକେଟରେ ୨୩୯ ରନ୍ ସଂଗ୍ରହ କରି ନେଇଛି। ହାତରେ ୭ ୱିକେଟ୍‌ ଥାଇ ଅତିଥି ଦଳ ମାତ୍ର ୮୫ ରନ୍ ପଛରେ ରହିଛି। ଶୁକ୍ରବାର ସକାଳେ ପୂର୍ବ ଦିନରୁ ଅପରାଜିତ ଥିବା ଓଡ଼ିଶାର ଦୁଇ ଯୁବ ଖେଳାଳି ଶାନ୍ତନୁ ମିଶ୍ର ଏବଂ ଦେବବ୍ରତ ପ୍ରଧାନ ବଡ଼ ସ୍କୋର ଆଶା ‌ଦେଖାଇଥିଲେ। ପ୍ରଥମ ୪୦ ମିନିଟ ଖେଳରେ ଏହି ଯୋଡ଼ି ଉନ୍ନତ ରନ ହାରରେ ୮ ଓଭରରେ ୬୦ ରନ୍ ସଂଯୋଗ କରିଥିଲେ। ସ୍ପିନ୍ ଆକ୍ରମଣ ଆସିବା ମାତ୍ରେ ଓଡ଼ିଶାର ଭାଗ୍ୟ ବଦଳି ଯାଇଥିଲା। ପଦାର୍ପଣରେ ପ୍ରଶଂସନୀୟ ବ୍ୟାଟିଂ କରୁଥିବା ଦେବବ୍ରତ (୩୬, ୪୮ ବଲ, ୫ ଚୌକା)ଙ୍କୁ ବାମହାତୀ ସ୍ପିନର ଟିନୁ କୁଣ୍ଡୁ ବୋଲଡ କରିଦେଇଥିଲେ। ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ସୂର୍ଯ୍ୟକାନ୍ତ ପ୍ରଧାନ (୧) ପ୍ରଥମରୁ ବଡ଼ ସଟ୍ ଖେଳିବାକୁ ଯାଇ ମଧ୍ୟ ଆଉଟ୍ ହୋଇଯାଇଥିଲେ। ଜୟନ୍ତ ଯାଦବଙ୍କୁ ଛକା ମାରିବାକୁ ଯାଇ ସୂର୍ଯ୍ୟକାନ୍ତ ଲଙ୍ଗ ଅନରେ ହର୍ଷଲ ପଟେଲଙ୍କ ହାତରେ ଧରାପଡ଼ିଥିଲେ। ଲଗାତାର ଓଭରରେ ୱିକେଟ୍ ହରାଇବା ପରେ ଓଡ଼ିଶାର ବଡ଼ ସ୍କୋର ସମ୍ଭାବନା କମିଯାଇଥିଲା। ଅନ୍ୟତମ ପ୍ରଥମ ପଦାର୍ପଣକାରୀ ଦ୍ରୁତ ‌‌ବୋଲର ରାଜେଶ ମହାନ୍ତି (୧୬, ୩୩ ବଲ, ୨ ଛକା) ମଧ୍ୟ ବ୍ୟାଟିଂରେ ପ୍ରଭାବ ଛାଡ଼ିଥିଲେ। ଟେଷ୍ଟ୍ ଖେଳାଳି ଅଫସ୍ପିନର ଜୟନ୍ତ ଯାଦବ ଏବଂ ବାମହାତୀ ସ୍ପିନର ଟିନୁ କୁଣ୍ଡୁଙ୍କୁ ମିଡ୍ ୱିକେଟ୍‌ ଉପରେ ମାରିଥିବା ଦୁଇ ଦର୍ଶନୀୟ ଛକା ପ୍ରଶଂସକଙ୍କୁ ସାମୟିକ ମନୋରଂଜନର ଖୋରାକ ଯୋଗାଇଥିଲା। ଶାନ୍ତନୁ ମିଶ୍ରଙ୍କ ସହିତ ୪୨ ରନ୍‌ର ଭାଗୀଦାରି କରିବା ପରେ ଟିନୁ କୁଣ୍ଡୁ ହିଁ ତାଙ୍କୁ ବୋଲଡ କରି ଦେଇଥିଲେ। ଏହା ପରେ ଶାନ୍ତନୁ ମିଶ୍ର (୭୧, ୧୭୪ ବଲ, ୯ ଚୌକା) ବଡ଼ ସଟ୍ ‌ଖେଳିବା ଚକ୍କରରେ ଶେଷ ଖେଳାଳିଭାବେ କୁଣ୍ଡୁଙ୍କ ଚତୁର୍ଥ ଶିକାର ହୋଇଥିଲେ। ଶାନ୍ତନୁ ନିଜ ଖେଳ ଜୀବନର ତୃତୀୟ ଅର୍ଧଶତକ ଏବଂ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ସମକକ୍ଷ ହୋଇଥିଲେ। ଗତବର୍ଷ ଡ୍ରିମ୍ସରେ ମଧ୍ୟ ଶାନ୍ତନୁ ୭୧ ରନ୍ କରିଥିଲେ। ଏଥି ସହିତ ଓଡ଼ିଶା ପାଳି ୩୨୪ ରନ୍‌ରେ ସୀମିତ ରହିଥିଲା। ଜବାବରେ ହରିଆଣା ୧୮ ରନ୍ ଭିତରେ ୨ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ୧୮ ବର୍ଷୀୟ ରାଜେଶ ମହାନ୍ତି ଅଭିଜ୍ଞ ନିତିନ ରାଣା (୫)ଙ୍କୁ ବୋଲଡ କରି ପ୍ରଥମ ସଫଳତା ଦେବା ପରେ ଅନ୍ୟତମ ପ୍ରଥମ ପଦାର୍ପଣକାରୀ ଦେବବ୍ରତ ପ୍ରଧାନ ପ୍ରାରମ୍ଭିକ ବ୍ୟାଟସମ୍ୟାନ ଶୁଭମ ରୋହିଲା (୯)ଙ୍କୁ ମଧ୍ୟ ସମାନ ଢ଼ଙ୍ଗରେ ଆଉଟ୍‌ କରିଥିଲେ। ମଧ୍ୟାହ୍ନ ଭୋଜନରୁ ଚା’ପାନ ବିରତି ଭିତରେ କିନ୍ତୁ ଓଡ଼ିଶା ବୋଲର ୱିକେଟ୍‌ ବାହାର କରିବାରେ ନିଷ୍ଫଳ ରହିଥିଲେ। ଅଭିଜ୍ଞ ଚୈତନ୍ୟ ବିଷ୍ଣୋଇ ଏବଂ କନିଷ୍ଠ ବିଶ୍ବକପ୍ ବିଜେତା ଭାରତୀୟ ଦଳର ଯୁବ ପ୍ରତିଭା ହିମାଂଶୁ ରାଣା ଓଡ଼ିଶା ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ବିଷ୍ଣୋଇଙ୍କୁ କିନ୍ତୁ ରାଜେଶ ମହାନ୍ତି ଏକ ରିଭର୍ସ ସୁଇଙ୍ଗରେ ପରାସ୍ତ କରି ଲେଗ୍ ବିଫୋର କରି ନେଇଥିଲେ। ଏହା ପରେ ହିମାଂଶୁ ରାଣା (୧୧୩*, ୧୬୨ ବଲ, ୧୭ ଚୌକା) ଏବଂ ପ୍ରମୋଦ ଚାନ୍ଦିଲା (୩୪*, ୩୮ ବଲ, ୬ ଚୌକା) ମଧ୍ୟ ଶେଷ ୧୦ ଓଭର ଓଡ଼ିଶାକୁ ୱିକେଟ୍‌ ଶୂନ୍ୟ ରହିବାକୁ ବାଧ୍ୟ କରିଥିଲେ।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୧୧୨.୨ ଓଭରରେ ୩୨୪ (ଅନୁରାଗ ଷଡ଼ଙ୍ଗୀ, ୧୧୪, ଶାନ୍ତନୁ ମିଶ୍ର-୭୧, ଦେବବ୍ରତ ପ୍ରଧାନ-୩୬, ଟିନୁ କୁଣ୍ଡୁ-୪/୪୪, ମୋହିତ ଶର୍ମା-୨/୬୩, ହର୍ଷଲ ପଟେଲ-୨/୭୨)। ହରିଆଣା ପ୍ରଥମ ପାଳି: ୬୫ ଓଭରରେ ୨୩୯/୩ ( , ଚୈତନ୍ୟ ବି‌ଷ୍ଣୋଇ-୭୫, ପ୍ରମୋଦ ଚାନ୍ଦିଲା-୩୪*, ରାଜେଶ ମହାନ୍ତି-୨/୩୬, ଦେବବ୍ରତ ପ୍ରଧାନ-୧/୪୯)।

ବସନ୍ତ ଅଭାବ ଅନୁଭୂତ
ପଦାର୍ପଣରେ ରାଜେଶ ମହାନ୍ତି ଏବଂ ଦେବବ୍ରତ ପ୍ରଧାନ ଭଲ ଖେଳିଛନ୍ତି। ରାଜେଶଙ୍କ ବୋଲିଂ ମୋତେ ଅଧିକ ପ୍ରଭାବିତ କରିଛି ବୋଲି କହିଛନ୍ତି ଓଡ଼ିଶା ଦଳ ପ୍ରଶିକ୍ଷକ ରଶ୍ମିରଂଜନ ପରିଡ଼ା। ନିତିନ ରାଣାଙ୍କୁ ସେ ‌ଯେଉଁଭଳି ଭାବେ ବୋଲଡ କଲେ ଏବଂ ୭୫ ରନ୍‌ରେ ଖେଳୁଥିବା ଜଣେ ବ୍ୟାଟସମ୍ୟାନ୍ (ଚୈତନ୍ୟ ବି‌ଷ୍ଣୋଇ)ଙ୍କୁ ଯେଭଳି ଆଉଟ୍‌ କଲେ ତାଙ୍କ ବୋଲିଂରେ ଦମ ରହିଥିବା ପ୍ରମାଣିତ କରିଥିଲେ ବୋଲି ପ୍ରକାଶ କରିଥିଲେ ରଣଜୀ ବିଜେତା ଏହି ପୂର୍ବତନ ବ୍ୟାଟସମ୍ୟାନ। ଆମେ ଅଧିକ ୨୦/୩୦ ରନ୍‌ ‌କରିପାରିଥିଲେ ଭଲ ହୋଇଥାନ୍ତା ବୋଲି କହିଥିଲେ ଅଧିକାଂଶ ଓଡ଼ିଶା ଖେଳାଳି। ପିଚ୍‌ରେ ବୋଲରଙ୍କ ପାଇଁ କିଛି ନ ଥିବାରୁ ବ୍ୟାଟସମ୍ୟାନ ଭୁଲ ନ କଲେ ୱିକେଟ୍‌ ମିଳିବା କଷ୍ଟ ‌ବୋଲି କହିଥିଲେ ରାଜେଶ। ତଥାପି ଏହି ମ୍ୟାଚ୍ ସମ୍ପୂର୍ଣ୍ଣ ଖୋଲା ରହିଛି ବୋଲି କହିଥିଲେ ନିଜର ଅନ୍ୟତମ ଶ୍ରେଷ୍ଠ ପାଳି ଖେଳିଥିବା ଶାନ୍ତନୁ ମିଶ୍ର। ଶନିବାର ସକାଳେ ଆମେ ୨/୩ ୱିକେଟ୍‌ ବାହାର କରିପାରିଲେ ମ୍ୟାଚ୍‌କୁ ଫେରି ପାରିବୁ। କିଟ୍ ପଡ଼ିଆରେ ମୁଁ ମୁମ୍ବାଇ ବିପକ୍ଷରେ ଗତବର୍ଷ ଖେଳିଥିବା ୪୯ ରନ୍‌କୁ ଶ୍ରେଷ୍ଠ ‌କହିବି। ସେଥର ମଧ୍ୟ ଦଳ ଫସିକି ଥିଲା, ମୋ ପାଳି ଜରିଆରେ ସମ୍ମାନ ରହିଥିଲା ବୋଲି କହିଥିଲେ ଏହି ଶାନ୍ତ ସ୍ବଭାବର ଡାହାଣହାତୀ ବ୍ୟାଟସମ୍ୟାନ।

‘ରାହୁଲ ସାରଙ୍କ ପରାମର୍ଶ ଉପଯୋଗୀ’
ଗତ କନିଷ୍ଠ ବିଶ୍ବକପ୍ ବିଜେତା ଦଳର ସଦସ୍ୟ ଥିବା ହିମାଂଶୁ ରାଣାଙ୍କ ବ୍ୟାଟିଂ ଶୁକ୍ରବାର ସମସ୍ତଙ୍କୁ ‌ବେଶ ପ୍ରଭାବିତ କରିଥିଲା। ନିଜର ତୃତୀୟ ପ୍ରଥମ ଶ୍ରେଣୀ ଶତକ ହାସଲ କରି ୧୧୩ ରନ୍‌ରେ ଅପରାଜିତ ଥିବା ହିମାଂଶୁ ମ୍ୟାଚ୍ ପରେ କହିଥିଲେ ବିଶ୍ବକପ୍ ସଫଳତା ଏବେ ଅତୀତ ହୋଇଗଲାଣି। ନୂଆ ଋତୁରେ ନୂଆ ଆରମ୍ଭର ଆବଶ୍ୟକତା ଥିଲା। ଆମେ ଜଲଦି ଦୁଇ ୱିକେଟ୍‌ ହରାଇଥିଲୁ, ଓଡ଼ିଶା ବୋଲର ଚାପ ପକାଇବାକୁ ‌ଚେଷ୍ଟା କରିଥିଲେ। କିନ୍ତୁ ମୁଁ ଏକାଗ୍ରତା ନହରାଇ ବଡ଼ ପାଳି‌ ଖେଳି ନିଜର ଓ ଦଳର ଆତ୍ମବିଶ୍ବାସ ବଢ଼ାଇଛି। ଶନିବାର ପ୍ରଥମେ ଅଗ୍ରଣୀ ନେବା ପରେ ବଡ଼ ସ୍କୋର କଥା ଚିନ୍ତା କରିବୁ। ଓଡ଼ିଶା ବୋଲରଙ୍କ ମଧ୍ୟରେ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ମନ୍ଥର ବୋଲିଂକୁ ଛାଡ଼ିଦେ‌ଲେ ମୋତେ ଅନ୍ୟ କାହାରିକୁ ଖେଳିବାରେ ଅସୁବିଧା ହେଉନଥିଲା। ଯୁବ ବିଶ୍ବକପ୍ ସମୟରେ ରାହୁଲ ସାର (ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼) ଦେଉଥିବା ପରାମର୍ଶ ମୋ ଖେଳ ଜୀବନରେ ଉପଯୋଗୀ ସାବ୍ୟସ୍ତ ହୋଇଛି ବୋଲି ମଧ୍ୟ ସ୍ବୀକାର କରିଥିଲେ ହିମାଂଶୁ।

ସମ୍ବନ୍ଧିତ ଖବର