ଧର୍ମଶାଳା: ନୂଆ ଶୃଙ୍ଖଳାରେ ନୂଆ ଅଧିନାୟକଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳ ଧର୍ମଶାଳାରେ ଧର୍ମଛଡ଼ା ପରାଜୟ ବରଣ କରିଛି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ରୋହିତ ଶର୍ମାଙ୍କ ଦଳ ୭ ଓ୍ଵିକେଟ୍ରେ ଶୋଚନୀୟ ପରାଜୟ ବରଣ କରିଛି। ଏଥି ସହ ୩ ମ୍ୟାଚ୍ ଶୃଙ୍ଖଳାରେ ତିସରା ପେରେରାଙ୍କ ଅତିଥି ଦଳ ମଧ୍ୟ ୧-୦ରେ ଆଗୁଆ ହୋଇଛି। ଅନ୍ୟପକ୍ଷରେ ଭାରତର ମୂଳପୋଛ ବିଜୟ ଏବଂ ଏକ ନମ୍ବର ସ୍ଥାନକୁ ଫେରିବା ଆଶା ମଉଳିଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଧର୍ମଶାଳାର ଏଚ୍ପିସିଏ ଷ୍ଟାଡିୟମ୍ ପ୍ରତିକୂଳ ପିଚ୍ରେ ଟସ୍ ଜିତି ଶ୍ରୀଲଙ୍କାର ନୂଆ ଅଧିନାୟକ ତିସରା ପେରେରା ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ବଲ୍ରୁ ହିଁ ଭାରତୀୟ ବ୍ୟାଟସମ୍ୟାନ୍ଙ୍କୁ ଅଡୁଆରେ ପକାଇଥିଲେ ସିଂହଳୀ ବୋଲର। ସୁରଙ୍ଗା ଲକମଲ୍ ମେଡେନ୍ ଓଭରରୁ ଅଭିଯାନ ଆରମ୍ଭ କରିଥିଲେ। ପରବର୍ତୀ ଓଭର ଶେଷ ବଲ୍ରେ ଶିଖର ଧାଓ୍ଵନ (୦)ଙ୍କୁ ଏଲ୍ବିଡବ୍ଲ୍ୟୁ କରାଇ ଆଞ୍ଜେଲୋ ମାଥ୍ୟୁସ ମେଡେନ୍ ଓଭର ସହ ପ୍ରଥମ ଓ୍ଵିକେଟ୍ ଦଖଲ କରିଥିଲେ। ଏହାପରେ ଲକମଲଙ୍କ ବଲ୍ ରୋହିତ ଶର୍ମା (୨)ଙ୍କ ବ୍ୟାଟ୍ ଚୁମି ଓ୍ଵିକେଟ୍ରକ୍ଷକ ଡିକ୍େଓ୍ଵଲାଙ୍କ ଗ୍ଲୋଭ୍ସରେ ପଡ଼ିଥିଲା। ଉଭୟ ଓ୍ଵିକେଟ୍ ଶ୍ରୀଲଙ୍କା ନିଜର ପ୍ରଥମ ଦୁଇ ରିଭ୍ୟୁ ଜରିଆରେ ହିଁ ଅକ୍ତିଆର କରିଥିଲା। କୋହଲିଙ୍କ ଅନୁପସ୍ଥିତି ସମ୍ପୂର୍ଣ୍ଣ ଅନୁଭବ ହୋଇଥିଲା। ଦୀନେଶ କାର୍ତିକ (୦)ଙ୍କୁ ଏଲ୍ବିଡବ୍ଲ୍ୟୁ କରି ଲକମଲ୍ ଭାରତକୁ ତୃତୀୟ ଝଟ୍କା ଦେବା ବେଳକୁ ଦଳୀୟ ସ୍କୋର୍ ୯ ଓଭରରେ ୮ ରନ୍ ଥିଲା। ଏହା ପରେ ମନୀଷ ପାଣ୍ଡେ (୨), ପ୍ରଥମ ପଦାର୍ପଣକାରୀ ଶ୍ରେୟସ ଆୟର (୯), ଉଦିତ ଅଲରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା (୧୦), ଭୁବନେଶ୍ୱର କୁମାର (୦) ପ୍ରମୁଖ ମଧ୍ୟ ପାଭିଲିଅନ୍ଙ୍କୁ ଧାଡ଼ି ବାନ୍ଧିଥିଲେ। ଫଳରେ ଭାରତ ଅତି ଦୟନୀୟ ସ୍ଥିତି ୨୯/୭ରେ ସଂଘର୍ଷ କରିଥିଲା। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୬୫, ୮୭ ବଲ୍, ୧୦ ଚୌକା, ୨ ଛକା) ଏବଂ କୁଲଦୀପ ଯାଦବ (୧୯, ୨୫ ବଲ୍, ୪ ଚୌକା) ଘରୋଇ ଦଳକୁ ଶ୍ରୀଲଙ୍କା ବିପକ୍ଷ ସର୍ବନିମ୍ନ ସ୍କୋର୍ (୫୪) ଲଜ୍ଜାରୁ ବାହାର କରି ୧୦୦ ରନ୍ ପାର କରାଇଥିଲେ। ଉଭୟଙ୍କ ମଧ୍ୟରେ ୪୧ ରନ୍ ଭାଗୀଦାରି ହୋଇଥିଲା। ଧୋନି ଦ୍ରୁତ ରନ୍ ସଂଗ୍ରହ କରି ଶେଷ ଓ୍ଵିକେଟ୍ ଭାବେ ଆଉଟ୍ ହୋଇଥିଲେ। ଭାରତ ପାଳି ୩୮.୨ ଓଭର ଏବଂ ୧୧୨ ରନ୍ରେ ଶେଷ ହୋଇଯାଇଥିଲା। ଶ୍ରୀଲଙ୍କାର ସଫଳ ବୋଲର ଭାବେ ସୁରଙ୍ଗା ଲକମଲ୍ ୧୦-୪-୧୩-୪ ବୋଲିଂ ଚିତ୍ର ସହିତ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ।
ଜବାବରେ ଶ୍ରୀଲଙ୍କା ବିଜୟ ଲକ୍ଷ୍ୟରେ ପହଞ୍ଚିବାରେ କୌଣସି ଅସୁବିଧାରେ ପଡ଼ିନଥିଲା। ୨୦.୪ ଓଭରରେ ଅତିଥି ଦଳ ୩ ଓ୍ଵିକେଟ୍ ହରାଇ ୧୧୪ ରନ୍ ସଂଗ୍ରହ କରି ନେଇଥିଲା। ବୁମରା, ପାଣ୍ଡ୍ୟା, ଭୁବି ଗୋଟିଏ ଲେଖାଏଁ ଓ୍ଵିକେଟ୍ ଦଖଲ କରି ସାନ୍ତ୍ୱନା ପାଇଥିଲେ। ଉପୁଲ ଥରଙ୍ଗା (୪୯, ୪୬ ବଲ୍, ୧୦ ଚୌକା) ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ଏହି ମ୍ୟାଚ୍ର ଏକମାତ୍ର ଅର୍ଧଶତକ ଧୋନିଙ୍କ ନାମରେ ରହିଥିଲା। ଏହି ବିଜୟ ସହିତ ଶ୍ରୀଲଙ୍କା ମଧ୍ୟ ନିଜର ୧୨ ମ୍ୟାଚ୍ ପରାଜୟ ଧାରାକୁ ଭାଙ୍ଗିଥିଲା। ସେହିଭଳି ଭାରତକୁ ମଧ୍ୟ ଚଳିତ ବର୍ଷ ପ୍ରଥମ ଥର ପାଇଁ କୌଣସି ଫର୍ମାଟରେ ହରାଇଲା ଶ୍ରୀଲଙ୍କା।