ମହିଳା ଟ୍ବେଣ୍ଟି-୨୦: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଶୃଙ୍ଖଳା ଜିତିଲା ଭାରତ

ପ୍ରୋଭିଡେନ୍‌ସ (ଗଏନା): ସଂପ୍ରତି ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତିବା ପରେ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ମଧ୍ୟ ୨ ମ୍ୟାଚ୍‌ ପୂର୍ବରୁ ଜିତି ନେଇଛି। ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍‌ ଜିତିଥିବା ଭାରତ ଗୁରୁବାର ତୃତୀୟ ମ୍ୟାଚ୍‌କୁ ୭ ୱିକେଟ୍‌ରେ ଜିତି ଶୃଙ୍ଖଳା ହାତେଇ ନେଇଛି। ବିଶେଷକରି ସ୍ପିନରଙ୍କ ଦବ୍‌ଦବା ପରେ ଜେମିମା ରୋଦ୍ରିଗ୍ବେଜଙ୍କ ଅପରାଜିତ ୪୦ ରନ୍‌ ହିଁ ଭାରତକୁ ୨୦ ବଲ୍‌ ପୂର୍ବରୁ ବିଜୟ ଭେଟି ଦେଇଥିଲା। ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ ଏହିଠାରେ ଶନିବାର ଖେଳାଯିବ।

ଗୁରୁବାର ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଘ‌ରୋଇ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ହେ‌ଲେ ରାଧା ଯାଦବ (୪-୨-୬-୨), ଦୀପ୍ତି ଶର୍ମା (୪-୦-୧୨-୨), ଅନୁଜା ପାଟିଲ (୪-୦-୧୩-୧), ପୂଜା ଭସ୍ତ୍ରକାର (୨-୦-୯-୧), ଅଧିନାୟିକା ହର୍‌ମନ୍‌ପ୍ରୀତ୍‌ କୌର (୨-୦-୧୧-୧) ଏବଂ ପୁନମ୍‌ ଯାଦବ (୪-୧-୮-୧)ଙ୍କ ଘାତକ ବୋଲିଂର ସାମ୍‌ନା କରିନପାରି ୱେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୯ ୱିକେଟ୍‌ ବିନିମୟରେ ମାତ୍ର ୫୯ ରନ୍‌ କରିପାରିଥିଲା। ହେନ୍‌ରି ଓ ନେସନ୍‌ (ପ୍ରତ୍ୟେକ ୧୧ ରନ୍‌) କେବଳ ଦୁଇ ଅଙ୍କ ଛୁଇଁଥିଲେ। ଜବାବରେ ବୋଲିଂରେ ପୂରା ଆଧିପତ୍ୟ ବିସ୍ତାର କରିଥିବା ଭାରତ ବ୍ୟାଟିଂ ବେଳେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରିକି ୧୨ ଓଭର ବେଳକୁ ୩୭/୩ରେ ସଂଘର୍ଷ କରିଥିଲା। ସେଫାଳି ବର୍ମା (୦), ସ୍ମୃତି ମନ୍ଧାନା (୩) ଓ ହର୍‌ମନ୍‌ପ୍ରୀତ୍‌ କୌର (୭) ସଅଳ ଆଉଟ୍‌ ହୋଇଯାଇଥିଲେ। କିନ୍ତୁ ଗୋଟିଏପଟେ ଜେମିମା ‌ଲଢ଼େଇ ଜାରି ରଖି ୫୧ ବଲ୍‌ରୁ ୪ ଚୌକା ସହାୟତାରେ ୪୦ ରନ୍‌ କରି ବିଜୟ ମୁଣ୍ଡି ମାରିଥିଲେ। ତାଙ୍କ ସହିତ ଦୀପ୍ତି ଶର୍ମା ୭ ରନ୍‌ରେ ଅପରାଜିତ ରହିଥିଲା ବେଳେ ଭାରତ ୧୬.୪ ଓଭରରେ ୬୦/୩ରେ ପହଞ୍ଚି ଯାଇଥିଲା। ଜେମିମା ରୋଦ୍ରିଗ୍ବେଜଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଭାରତ ପ୍ରଥମ ମ୍ୟାଚ୍‌କୁ ୮୪ ରନ୍‌ ଏବଂ ଦ୍ବିତୀୟକୁ ୧୦ ୱିକେଟ୍‌ରେ ଜିତିଥିଲା।

ସମ୍ବନ୍ଧିତ ଖବର