ଭାରତର ଆତ୍ମସମର୍ପଣ, ଇଂଲଣ୍ଡ ୩-୧ରେ ଜିତିଲା ଶୃଙ୍ଖଳା

ସାଉଥାମ୍ପଟନ୍‌: ଚତୁର୍ଥ ଟେଷ୍ଟ୍‍ର ଚତୁର୍ଥ ଦିନ ଉତ୍‌ଥାନ ଓ ପତନ ଦେଇ ଗତି କରିଥିଲେ ବି ଫଳାଫଳ ଭାରତ ସପକ୍ଷରେ ଗଲାନାହିଁ। ଟେଷ୍ଟ୍‍ କ୍ରିକେଟ୍‌ ପାଇଁ ଆବଶ୍ୟକ ଧୈର୍ଯ୍ୟ ଓ ସଂଯମତାର ଅଭାବ କାରଣରୁ ଭାରତ ୨୪୫ ରନ୍‌ ବିଜୟ ଲକ୍ଷ୍ୟରେ ବି ପହଞ୍ଚି ପାରିଲା ନାହିଁ। ଆଇସିସି ଟେଷ୍ଟ୍‍ ମାନ୍ୟତାର ଏକ ନମ୍ବର ଦେଶ ଭାରତକୁ ୬୦ ରନ୍‌ରେ ହରାଇ ୫ ନମ୍ବର ଦେଶ ଇଂଲଣ୍ଡ ୫ ମ୍ୟାଚ୍‌ ଟେଷ୍ଟ୍‍ ଶୃଙ୍ଖଳାକୁ ଆଗୁଆ ୩-୧ରେ କବ୍‌ଜା କରିନେଇଛି। ଏଥି ସହିତ ଇଂଲଣ୍ଡ ମାଟିରେ ବହୁ ପ୍ରତୀକ୍ଷିତ ଟେଷ୍ଟ୍‍ ଶୃଙ୍ଖଳା ବିଜୟର ସ୍ୱପ୍ନ ପୁଣି ଅଧୁରା ରହିଯାଇଛି। ରବିବାର ଇଂଲଣ୍ଡ ୨୬୦/୮ରୁ ଖେଳିଥିଲା। ଚତୁର୍ଥ ଦିନର ପ୍ରଥମ ବଲ୍‌ରେ ବ୍ରଡ୍‌ଙ୍କୁ ମହମ୍ମଦ ସାମି କଟ୍‌ ବିହାଇଣ୍ଡ୍‌ କରାଇ ଲଗାତାର ବଲ୍‌ରେ ଓ୍ଵିକେଟ୍‌ ନେଇଥିଲେ। ପୂର୍ବ ସଂଧ୍ୟାରେ ସେ ରସିିଦ୍‌ଙ୍କୁ ଆଉଟ୍‌ କରିବା ପରେ ଷ୍ଟମ୍ପ୍‌ସ ହୋଇଥିଲା। କିଛି ସମୟ ପରେ ସାମ୍‌ କରନ୍‌ (୪୬)ଙ୍କୁ ଈଶାନ୍ତ ଶର୍ମା ଏବଂ ଋଷବ ପନ୍ତ୍‌ ମିଳିତ ଭାବେ ରନ୍‌ ଆଉଟ୍‌ କରିଦେବାରୁ ଇଂଲଣ୍ଡ ଦ୍ୱିତୀୟ ପାଳି ୨୭୧ ରନ୍‌ରେ ଶେଷ ହୋଇଯାଇଥିଲା। ଭାରତ ସମ୍ମୁଖରେ ୨୪୫ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା।

ପ୍ରଥମ ପାଳିରେ ୨୭ ରନ୍‌ ଅଗ୍ରଣୀ ପାଇଥିବାରୁ ଭାରତ ବିଜୟ ଲକ୍ଷ୍ୟରେ ପହଞ୍ଚିବା ଆଶା ନେଇ ପଡ଼ିଆକୁ ଓହ୍ଲାଇଥିଲା। କିନ୍ତୁ ହଠାତ୍‌ ନବମ ଓଭର ବେଳକୁ ଭାରତ ୨୨/୩ରେ ସଂଘର୍ଷ କରିଥିଲା। ଲୋକେଶ ରାହୁଲ (୦), ଚେତେଶ୍ୱର ପୂଜାରା (୫) ଏବଂ ଶିଖର ଧାଓ୍ଵନ (୧୭, ୨୯ ବଲ)ଙ୍କ ବିଦାୟ ଭାରତକୁ ଅପ୍ରତ୍ୟାଶିତ ଆଶଙ୍କା ଭିତରେ ରଖିଥିଲା। ଏହି ସମୟରେ ଏକାଠି ହୋଇଥିବା ଅଧିନାୟକ ବିରାଟ କୋହଲି ଏବଂ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ଅସୀମ ଧୈର୍ଯ୍ୟ ଓ ସଙ୍କଳ୍ପବଦ୍ଧତା ଦେଖାଇଥିଲେ। ଚତୁର୍ଥ ଓ୍ଵିକେଟ୍‌ ପାଇଁ ୧୦୧ ରନ୍‌ ଯୋଡ଼ିଥିଲେ। ବିରାଟ କୋହଲି (୫୮, ୧୩୦ ବଲ୍‌, ୪ ଚୌକା)ଙ୍କୁ ଆଉଟ୍‌ କରି ମୋଇନ୍‌ ଅଲୀ ଏହି ଭାଗୀଦାରି ଭାଙ୍ଗିଥିଲେ। ଏହା ପରେ ଇଂଲଣ୍ଡ ପାଇଁ ବିଜୟ ଯେଭଳି ଏକ ଔପଚାରିକତା ହୋଇଯାଇଥିଲା। ପରବର୍ତୀ ୧୯ ଓଭର ଓ ୬୧ ରନ୍‌ ଭିତରେ ଭାରତ ୭ ଓ୍ଵିକେଟ୍‌ ହରାଇ ୬୦ ରନରେ ଆତ୍ମସମର୍ପଣ କରିଯାଇଥିଲା। ଅଜିଙ୍କ୍ୟ ରାହାଣେ (୫୧, ୧୫୯ ବଲ୍‌) ଅର୍ଧଶତକ ହାସଲ କରିଥିଲେ ମଧ୍ୟ ଦଳକୁ ବିଜୟ ପର୍ଯ୍ୟନ୍ତ ନେଇ ପାରିନଥିଲେ। ହାର୍ଦିକ ପାଣ୍ଡ୍ୟା, ଋଷବ ପନ୍ତ୍‌ଙ୍କ ନିରାଶା ଭାରତକୁ ପରାଜୟ ଆଡ଼କୁ ନେଇଥିଲା। ଆର୍‌ ଅଶ୍ୱିନ୍‌ (୨୫, ୫୫ ବଲ, ୨ ଚୌକା, ୧ ଛକା) ଦୀପ ଲିଭିଭା ପୂର୍ବରୁ କେବଳ ଜଳିଥିଲେ। ଶେଷ ବ୍ୟାଟସମ୍ୟାନ୍‌ ଭାବେ ଆଉଟ୍‌ ହୋଇଥିଲେ। ହଠାତ୍‌ ଭାରତ ଚା’ପାନ ବିରତି ପରେ ୬ ଓ୍ଵିକେଟ୍‌ ହରାଇ ଆତ୍ମସମର୍ପଣ କରିଥିଲା। ଦଳକୁ ପ୍ରତ୍ୟାବର୍ତନ କରି ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ କରିଥିବା ଅଫସ୍ପିନର୍‌ ମୋଇନ୍‌ ଅଲୀ (୯/୧୩୪ ଏବଂ ୪୯ ରନ୍‌) ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଅନ୍ୟପକ୍ଷରେ ରବିବାର କୋହଲି ନିଜର ଅର୍ଧଶତକୀୟ ପାଳି ଅବସରରେ ଅଧିନାୟକ ଜୀବନରେ ୪,୦୦୦ ଟେଷ୍ଟ୍‍ ରନ୍‌ ପୂର୍ଣ୍ଣ କରିଥିଲେ। ଚଳିତ ଟେଷ୍ଟରେ ମଧ୍ୟ ସେ ଦ୍ୱିତୀୟ ଦିବସରେ ନିଜର ୬,୦୦୦ ରନ୍‌ ପୂରଣ କରିଥିଲେ। ସେ ମଧ୍ୟ ଚଳିତ ଶୃଙ୍ଖଳାରେ ୫୪୪ ରନ୍‌ କରି ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। କୌଣସି ଇଂଲଣ୍ଡ ଖେଳାଳି ଏହାର ଅଧା (ବଟ୍‌ଲର୍‌ ୨୬୦) ବି କରିନାହାନ୍ତି। ଏହି ପରାଜୟ ସହିତ ଏସିଆ ବାହାରେ ଭାରତ ମଧ୍ୟ ୬୧ ଟେଷ୍ଟରେ ୨୦୦ରୁ ଊର୍ଧ୍ୱ ବିଜୟ ଲକ୍ଷ୍ୟ ପାଇ ୩୭ତମ ଥର ପରାଜୟ ବରଣ କରିଛି। ଏଥିରୁ ଭାରତ ମାତ୍ର ୩ ଥର ଜିତିଛି।

ସମ୍ବନ୍ଧିତ ଖବର