ନ୍ୟୁଜିଲାଣ୍ଡ୍‌ ମହିଳାଙ୍କୁ ସାନ୍ତ୍ବନା ବିଜୟ: ଭାରତ ୨-୧ରେ ଜିତିଲା

ହାମିଲଟନ୍‌: ପୁରୁଷଙ୍କ ସହ ତାଳଦେଇ ଭାରତୀୟ ମହିଳା ଦଳ ମଧ୍ୟ ହାମିଲଟନ୍‌ରେ ମାଟି କାମୁଡିଲେ। ଗୁରୁବାର ପୁରୁଷ ଦଳ ଏଠାରେ ଖେଳିଥିବା ଚତୁର୍ଥ ଦିନିକିଆ ମ୍ୟାଚ୍‌କୁ ଶୋଚନୀୟ ଭାବେ ହାରିଯିବା ପରେ ଶୁକ୍ରବାର ଭାରତୀୟ ମହିଳା କ୍ରିକେଟ୍‌ ଦଳ ମଧ୍ୟ ଘରୋଇ ନ୍ୟୁଜିଲାଣ୍ଡ୍‌ଠୁ ହାରିଯାଇଛି। ଆଇସିସି ମହିଳା ଚାମ୍ପିଅନ୍‌ସିପ୍‌ ଅନ୍ତର୍ଗତ ୩ ଦିନିକିଆ ଉଭୟ ଦଳ ମଧ୍ୟରେ ଖେଳାଯାଇଥିଲା। ସେଥିରୁ ପ୍ରଥମ ଦୁଇଟି ଜିତି ଭାରତ ଶୃଙ୍ଖଳା କବ୍‌ଜା କରିସାରିଥିଲା ବେଳେ ତୃତୀୟ ତଥା ଶେଷ ମ୍ୟାଚ୍‌ରେ ୮ ୱିକେଟ୍‌ର ପରାଜୟ ବରଣ କଲା। ନ୍ୟୁଜିଲାଣ୍ଡ୍‌ ସାନ୍ତ୍ବନାମୂଳକ ବିଜୟ ପାଇଥିଲେ ମଧ୍ୟ ଭାରତ ୨-୧ରେ ଶୃଙ୍ଖଳା ଜିତି ନେଇଛି। ତେବେ ଆଇସିସି ଚାମ୍ପିଅନସିପ୍‌ ତାଲିକାରେ ଭାରତ ଦ୍ବିତୀୟରୁ ତୃତୀୟକୁ ଖସି ଯାଇଥିଲା ବେଳେ ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟକୁ ଉଠିଛି। ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ୍‌ ସମାନ ସଂଖ୍ୟକ ୧୨ ଲେଖାଏଁ ମ୍ୟାଚ୍‌ ଖେଳି ସାରିଥିଲା ବେଳେ ନ୍ୟୁଜିଲାଣ୍ଡ୍‌ ସପ୍ତମ ବିଜୟ ହାସଲ କରିଛି। ଭାରତ ଷଷ୍ଠ ବିଜୟରେ ଅଟକିଯାଇଛି। ଅଷ୍ଟ୍ରେଲିଆ ୧୬ ପଏଣ୍ଟ୍‌ ସହ ଶୀର୍ଷରେ ରହିଛି। ଶୁକ୍ରବାର ଟସ୍‌ ଜିତି ନ୍ୟୁଜିଲାଣ୍ଡ୍‌ ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆହ୍ବାନ କରିଥିଲା। ଦୀପ୍ତି ଶର୍ମା (୫୨)ଙ୍କ ଏକମାତ୍ର ଅର୍ଧଶତକ ବଳରେ ଭାରତ ୪୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୪୯ ରନ୍‌ କରିଥିଲା। ନିଜର ୨୦୦ତମ ଦିନିକିଆ ଖେଳିଥିବା ଅଧିନାୟିକା ମିତାଲି ରାଜ୍‌ ୯ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହର୍‌ମନ୍‌ପ୍ରୀତ୍‌ କୌର ୨୪, ହେମଲତା ୧୩, ଝୁଲଣ ଗୋସ୍ବାମୀ ଅପରାଜିତ ୧୨ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ସଫଳ ବୋଲର ଭାବେ ଆନା ପାଟରସନ୍‌ ୪, ଲି ତାହୁହୁ ୩ ଓ କେର୍‌ ୨ ୱିକେଟ୍‌ ନେଇଥିଲେ। ଜବାବରେ ସୁଜି ବେଟ୍‌ସ (୫୭) ଓ ଅଧିନାୟିକା ସାଟର୍ଥ‌େୱେଟ୍‌ (ଅପରାଜିତ ୬୬)ଙ୍କ ଅର୍ଧଶତକ ବଳରେ ନ୍ୟୁଜିଲାର୍ଡ୍‌ ୨୯.୨ ଓଭରରେ ୧୫୩ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ତେବେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ଯଥାକ୍ରମେ ୧୦୫ ଓ ୯୦ ରନ୍‌ କରିଥିବା ଭାରତୀୟ ପ୍ରାରମ୍ଭିକ ବ୍ୟାଟର୍‌ ସ୍ମୃତି ମନ୍ଧାନା ଶୃଙ୍ଖଳାର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ହାତେଇଥିଲା ବେଳେ ସାଟର୍ଥୱେଟ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏବେ ଉଭୟ ନ୍ୟୁଜିଲାଣ୍ଡ୍‌ ଓ ଭାରତ ମହିଳା ଦଳ ୬ ତାରିଖରୁ ୱେଲିଂଟନ୍‌ରେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଲିବେ।

ସମ୍ବନ୍ଧିତ ଖବର