ଇନ୍ଦୋରରେ ଶୃଙ୍ଖଳା ବିଜୟ ସୁଯୋଗ: ଆଜି ଦ୍ୱିତୀୟ ଟେ୍ଵଣ୍ଟି-୨୦

ଇନ୍ଦୋର: କଟକରେ କମାଲ କରିଥିବା ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଇନ୍ଦୋରରେ ଆଉ ଏକ ଶୃଙ୍ଖଳା ବିଜୟରେ ମୁଣ୍ଡି ମାରିବାର ସୁଯୋଗ ଉପନୀତ ହୋଇଛି। ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଶୁକ୍ରବାର ଏଠାରେ ଶ୍ରୀଲଙ୍କା ବିପକ୍ଷ ତିନି ଟିକିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ଖେଳାଯିବ। କଟକରେ ରନ୍‌ ବ୍ୟବଧାନରେ ସର୍ବବୃହତ୍‌ ବିଜୟ ହାସଲ କରିଥିବା ଭାରତୀୟ କ୍ରିକେଟ୍‌ ଦଳ ଏହି ମୁକାବିଲାକୁ ଜିତି ପାରିଲେ ଟେଷ୍ଟ ଓ ଦିନିକିଆ ଭଳି ଟେ୍ଵଣ୍ଟି-୨୦କୁ ମଧ୍ୟ ଜିତିନେବ। ସେପଟେ ଲଗାତାର ଶୃଙ୍ଖଳା ପରାଜୟ ଟାଳିବା ଲାଗି ଶ୍ରୀଲଙ୍କା ପାଇଁ ଇନ୍ଦୋର ମ୍ୟାଚ୍‌ ଶେଷ ସୁଯୋଗ ହେବ।

କଟକରେ ବୁଧବାର ଖେଳା ଯାଇଥିବା ପ୍ରଥମ ଟେ୍ଵଣ୍ଟି-୨୦ ଏକପାଖିଆ ବ୍ୟାପାର ଥିଲା। ଭାରତ ସବୁ ଦିଗରୁ ଶ୍ରୀଲଙ୍କାକୁ ଧୂଳି ଚଟାଇ ଦେଇଥିଲା। ନିୟମିତ ଅଧିନାୟକ ବିରାଟ କୋହଲି. ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ଵନ ଏବଂ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଅନୁପସ୍ଥିତି ସତ୍ତ୍ୱେ ଶ୍ରୀଲଙ୍କା ଏଥିରୁ କୌଣସି ଲାଭ ଉଠାଇ ପାରିନଥିଲା। ଆଞ୍ଜେଲୋ ମାଥ୍ୟୁସଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳ ସିଂହଳୀ ଦଳ ସେ ପାଭିଲିୟନ ଫେରିବା ପରେ ମାତ୍ର ୮୭ ରନ୍‌ରେ ସୀମିତ ରହି ଯାଇଥିଲା। ଦୁଇ ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କ ଚମକରେ ଶ୍ରୀଲଙ୍କା ପୂରା ଘାଇଲା ହୋଇ ଯାଇଥିଲା। ଭାରତୀୟ ଦଳରେ ଆସନ୍ତାକାଲି କୌଣସି ପରିବର୍ତନ ହେବାର ଆଶା କମ୍‌। ଅନ୍ୟ ପକ୍ଷରେ ଶ୍ରୀଲଙ୍କା ପାଇଁ ସବୁ ବିକଳ୍ପ ଖୋଲା ରହିଛି। ଭାରତକୁ ହରାଇବାକୁ ହେଲେ କିନ୍ତୁ ଅଧିନାୟକ ତିସାରା ପେରେରା, ଦୁଷ୍ମନ୍ତ ଚାମିରା ଓ ଧନଞ୍ଜୟ ଡି’ ସିଲଭାଙ୍କୁ ନିଜ ଦକ୍ଷତା ମୂଳକ ଖେଳ ଖେଳିବାକୁ ହେବ।
ଭାରତ: ରୋହିତ ଶର୍ମା (ଅଧିନାୟକ), ମହେନ୍ଦ୍ର ସିଂହ ଧୋନି, ଲୋକେଶ ରାହୁଲ, ଶ୍ରେୟସ୍‌ ଆୟର, ମନୀଷ ପାଣ୍ଡେ, ଦୀନେଶ କାର୍ତିକ, ହାର୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ ଚହଲ, କୁଲଦୀପ ଯାଦବ, ଯସପ୍ରୀତ ବୁମରା, ଜୟଦେବ ଉନାଦକଟ।

ଭାରତ: ତିସାରା ପେରେରା (ଅଧିନାୟକ), ଉପୁଲ ତରଙ୍ଗା,ଆଞ୍ଜେଲୋ ମାଥ୍ୟୁସ, କୁଶାଲ ପେରେରା, ନିରୋସାନ ଡିକେଓ୍ଵଲା, ଅକିଲା ଧନଞ୍ଜୟ, ବିଶ୍ୱ ଫର୍ନାଣ୍ଡୋ, ଦନୁଷ୍କା ଗୁଣତିଲକ, ଦୁଷ୍ମନ୍ତ ଚାମିରା, ନୂଆନ ପ୍ରଦୀପ, ଦାସୁନ ସନକା

ସମ୍ବନ୍ଧିତ ଖବର