ଭୁବନେଶ୍ୱରରେ ଆଇଏସ୍ଏଲ୍ ମ୍ୟାଚ୍
ଫେବ୍ରୁଆରି ୨୫ରେ ଜାମସେଦ୍ପୁର-ବେଙ୍ଗାଲୁରୁ
ଭୁବନେଶ୍ୱର: ଯୁବ ଆଇ ଲିଗ୍ରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସର ହ୍ୟାଟ୍ରିକ୍ ବିଜୟ ଏବଂ ବାଇଚୂଙ୍ଗ ଭୂତିଆ ଏକାଡେମୀରେ ଓଡ଼ିଆଙ୍କ ଚମକ ଖବର ଓଡ଼ିଶା ଫୁଟ୍ବଲ୍ ଦୁନିଆକୁ ଉତ୍ସାହିତ କରିଥିବାବେଳେ ଏବେ ରାଜ୍ୟର ଫୁଟ୍ବଲ୍ ପ୍ରଶଂସକଙ୍କ ପାଇଁ ବଡ଼ ଖବର ଆସିଛି। ଦେଶର ଲୋକପ୍ରିୟ ପେସାଦାର ଫୁଟ୍ବଲ୍ ଲିଗ୍ ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସ୍ଏଲ୍)ର ପ୍ରସ୍ତାବିତ ଦୁଇଟି ମ୍ୟାଚ୍ରୁ ଗୋଟିଏ ଭୁବନେଶ୍ୱରରେ ଆୟୋଜିତ ହେବା ନିଶ୍ଚିତ ହୋଇଛି। ଶନିବାର ଆଇଏସ୍ଏଲ୍ ଆୟୋଜକଙ୍କ ପକ୍ଷରୁ ଘୋଷିତ ସଂଶୋଧିତ ଖେଳସୂଚୀରେ ଭୁବନେଶ୍ୱରକୁ ସ୍ଥାନ ମିଳିଛି। ଫେବ୍ରୁଆରି ୨୫ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଟାଟା ଷ୍ଟିଲ୍ ପ୍ରାୟୋଜିତ ଜାମସେଦପୁର ଏଫ୍ସି ଏବଂ ତାରକା ଖଚିତ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ଖେଳାଯିବ। ବାସ୍ତବରେ ଓଡ଼ିଶାରେ ଦୁଇଟି ମ୍ୟାଚ୍ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆଗ୍ରହ ଦେଖାଇଛି। କଳିଙ୍ଗ ଷ୍ଟାଡିୟମ୍କୁ ଫୁଟ୍ବଲ୍ ଭିତ୍ତିଭୂମୀ ବିଶିଷ୍ଟ କରିବା କାମ ତ୍ୱରିତ ହୋଇଛି। କିନ୍ତୁ ଫେବ୍ରୁଆରି ୧୦ ତାରିଖର ପ୍ରସ୍ତାବିତ ଅନ୍ୟ ମ୍ୟାଚ୍ (ଜାମସେଦପୁର ଏଫସି-ନର୍ଥଇଷ୍ଟ୍ଏଫ୍ସି) ଲାଗି ପଡ଼ିଆ କାମ ଶେଷ ହୋଇଥିବ କି ନା ନିଶ୍ଚିତ ହୋଇନଥିବାରୁ ଆୟୋଜକ ଏହାର ସୂଚୀକୁ ଝୁଲାଇ ରଖିଛନ୍ତି। ତେବେ ଆଇଏସ୍ଏଲ୍ ପଦାର୍ପଣକୁ ନେଇ ଓଡ଼ିଶା ଫୁଟ୍ବଲ୍ ପ୍ରେମୀ ଅପେକ୍ଷା କରିଛନ୍ତି। ବିଶେଷ କରି ବେଙ୍ଗାଲୁରୁ ମ୍ୟାଚ୍ ଚୂଡାନ୍ତ ହୋଇଥିବାରୁ ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କ ଆବିର୍ଭାବ ସେମାନଙ୍କୁ ଅପୂର୍ବ ସୁଯୋଗ ଦେବ। ପୂର୍ବରୁ ଏହି ମ୍ୟାଚ୍ ଜେଏଫ୍ସିର ଘରୋଇ ପଡ଼ିଆ ଜେଆର୍ଡି ଟାଟା ଷ୍ଟାଡିୟମ୍ ଜାମସେଦପୁରରେ ଖେଳାଯିବାର ଥିଲା। କିନ୍ତୁ ଜେଏଫ୍ସି ଭୁବନେଶ୍ୱରକୁ ଅନ୍ୟତମ ଘରୋଇ ପଡ଼ିଆ କରିବା ଫଳରେ ଏବେ ଏଠାରେ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଷ୍ଟାଡିୟମ୍ କାମକୁ ଜୋରସୋରରେ ଆଗେଇ ନେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁନେ, କୋଲ୍କାତା ବିଜୟୀ
ଗୋଆ/କୋଲ୍କାତା: ଆଇଏସ୍ଏଲ୍ରେ ଶନିବାର ପୁନେ ଏବଂ କୋଲ୍କାତା ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ପୁନେ ସିଟି ଏଫ୍ସି ୨-୦ ଗୋଲ୍ରେ ଘରୋଇ ଗୋଆ ଏଫ୍ସିକୁ ପରାସ୍ତ କରିଛି। ପ୍ରଥମ ଥର ପାଇଁ ଚଳିତ ଋତୁରେ ଗୋଆ ଗୋଲ୍ ସ୍କୋର୍ ବିନା ପଡ଼ିଆ ଛାଡ଼ିଛି। ପୁନେ ପାଇଁ ଏମିଲିଆନୋ ଅଲଫାରୋ ଏବଂ ୟୋନାଟନ୍ ଲୁକା ଗୋଲ୍ ଦେଇଥିଲେ। ଉଭୟ ଗୋଲ୍ ଦ୍ୱିତୀୟାର୍ଧରେ ହୋଇଥିଲା। ଏମିଲିଆନୋ ୭୧ ମିନିଟ୍ରେ ଏବଂ ୟୋନାଟନ୍ ୮୪ ମିନିଟ୍ରେ ଗୋଲ୍ ଦେଇଥିଲେ। ଏଥି ସହ ପୁନେ ସପ୍ତମ ମ୍ୟାଚ୍ରୁ ଚତୁର୍ଥ ବିଜୟ ହାସଲ କରିଥିବାବେଳେ ଗୋଆ ଷଷ୍ଠ ମ୍ୟାଚରୁ ଦ୍ୱିତୀୟ ପରାଜୟ ବରଣ କରିଛି। କୋଲ୍କାତାର ସଲ୍ଟଲେକ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଶନିବାରର ଦ୍ୱିତୀୟ ମ୍ୟାଚ୍ରେ ଆଟଲେଟିକୋ ଡି’ କୋଲ୍କାତା ୧-୦ ଗୋଲ୍ରେ ଦିଲ୍ଲୀ ଡାଇନାମସ୍କୁ ପରାସ୍ତ କରିଥିଲା। ପ୍ରଥମାର୍ଧ ଗୋଲଶୂନ୍ୟ ରହିବା ପରେ ରବି କିନ୍ (୭୮ ମିନିଟ୍) ପ୍ରତିଯୋଗିତାରେ ନିଜର ପ୍ରଥମ ଗୋଲ୍ ଦେଇଥିଲେ। ଏଥି ସହ କୋଲ୍କାତାକୁ ପ୍ରଥମ ଘରୋଇ ବିଜୟ ଦେଇଥିଲେ। ଉଭୟ ଦଳ ନିଜ ନିଜ ଷଷ୍ଠ ମ୍ୟାଚ୍ ଖେଳିଥିବାବେଳେ କୋଲ୍କାତା ଦ୍ୱିତୀୟ ବିଜୟ ଏବଂ ଦିଲ୍ଲୀ ପଞ୍ଚମ ପରାଜୟ ବରଣ କରିଛି।