କାନ୍ଥରୁ ବଦଳିଯିବ କ୍ୟାଲେଣ୍ଡର, କିନ୍ତୁ କଳିଙ୍ଗରୁ ଲିଭିବ ନାହିଁ ଐତିହାସିକ ସଫଳତା। ବିଦାୟୀ ୨୦୧୭ ମସିହା ଓଡ଼ିଶା କ୍ରୀଡ଼ା ଦୁନିଆକୁ ନୂଆ ପରିଚୟ ଦେଇଛି। ଜୁଲାଇରେ ଏସୀୟ ଦୌଡ଼କୁଦର ୨୨ତମ ସଂସ୍କରଣ ଏବଂ ଡିସେମ୍ବରରେ ହକି ବିଶ୍ୱ ଲିଗ୍ ଫାଇନାଲ୍ର ତୃତୀୟ ସଂସ୍କରଣକୁ ସଫଳତାର ନୂଆ ସୋପାନ ଦେଇ ଓଡ଼ିଶା ହୋଇଛି ଚର୍ଚିତ କ୍ରୀଡ଼ା ପ୍ରାଣକେନ୍ଦ୍ର। ବିଶ୍ୱବ୍ୟାପୀ ମିଳିଛି ପ୍ରଶଂସା, ଉତ୍ସାହିତ ହୋଇଛି ରାଜ୍ୟ କ୍ରୀଡ଼ା ଦୁନିଆ। କେବଳ ଏହି ଦୁଇଟି ନୁହେଁ ୨୦୧୭ ମସିହାରେ ଓଡ଼ିଶାରେ ମଧ୍ୟ ଇଣ୍ଡିଆନ୍ ଓପନ୍ କିକ୍ବକ୍ସିଂ, ବାରବାଟୀରେ ଦୁଇଟି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍, ଟାଟା ଷ୍ଟିଲ୍ ହାଫ୍ ମାରାଥନ୍, ଦୃଷ୍ଟିହୀନ ବିଶ୍ୱକପ୍ ମ୍ୟାଚ୍, ଜାତୀୟ ତୀରନ୍ଦାଜୀ, ଫେଡେରେସନ୍ କପ୍ ଫୁଟ୍ବଲ୍, ଜାତୀୟ ରଗ୍ବି, ଗ୍ରାଣ୍ଡମାଷ୍ଟର୍ସ ଚେସ୍ ଏବଂ ଜାତୀୟ କବାଡ଼ି ପ୍ରତିଯୋଗିତା ଆୟୋଜନ କରି ଦେଶବ୍ୟାପୀ କ୍ରୀଡ଼ାବିତ୍ଙ୍କୁ ଆକର୍ଷିତ କରିଛି। ଏସୀୟ ଦୌଡ଼କୁଦ ଏବଂ ହକି ବିଶ୍ୱ ଲିଗ୍ ଫାଇନାଲ୍ ପରେ ୨୦୧୮ ପ୍ରାରମ୍ଭରେ ଫୁଟ୍ବଲ୍ ଆଇଏସ୍ଏଲ୍ ଏବଂ ହକି ବିଶ୍ୱକପ୍ ଆୟୋଜନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତତ ହୋଇଛି ଓଡ଼ିଶା।
Sambad is now on WhatsApp
Join and get latest news updates delivered to you via WhatsApp
ଲାନ୍ସର୍ସ ସ୍ୱର୍ଣ୍ଣରୁ ବିଶ୍ୱ କାଂସ୍ୟ
ରାଜ୍ୟ ହକି ପାଇଁ ୨୦୧୭ କିନ୍ତୁ ଥିଲା ସ୍ମରଣୀୟ। କଳିଙ୍ଗ ଲାନ୍ସର୍ସ ପ୍ରଥମ ଥର ହକି ଇଣ୍ଡିଆ ଲିଗ୍ ଟ୍ରଫି ବିଜୟରୁ ଆରମ୍ଭ କରିିଥିଲା ନୂଆ ବର୍ଷ। ବର୍ଷ ଶେଷକୁ ଭୁବନେଶ୍ୱରରେ ହକି ବିଶ୍ୱ ଲିଗ୍ ଫାଇନାଲର କାଂସ୍ୟ ପଦକ ଜିତିଥିବା ଦଳରେ ଥିଲେ ବୀରେନ୍ଦ୍ର ଲାକ୍ରା, ଦୀପସାନ୍ ତିର୍କି ଏବଂ ଅମିତ୍ ରୋହିଦାସ। ଏସୀୟ ମୁକୁଟ ବି ପିନ୍ଧିଥିଲେ ଅମିତ୍ ଓ ଦୀପସାନ୍। ଏସୀୟ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ମହିଳା ଦଳରୁ ଖେଳିଥିଲେ ଦୀପଗ୍ରେସ୍ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଞ୍ଜ୍ ଏବଂ ରଶ୍ମିତା ମିଞ୍ଜ୍। ନ୍ୟୁଜିଲାଣ୍ଡ୍ ଗସ୍ତରେ ନିଜ ଖେଳ ଜୀବନର ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଅତିକ୍ରମ କରିଥିଲେ ସୁନୀତା ଲାକ୍ରା।
ଆଶୀର୍ବାଦ ଯୁଗ ଶେଷ
ଓଡ଼ିଶା କ୍ରିକେଟ୍ରୁ ସେଭଳି କିଛି ବଡ଼ ସଫଳତା ମିଳି ନ ଥିଲା। ବାରବାଟୀରେ ଦୁଇଟି ଅର୍ନ୍ତଜାତୀୟ ମ୍ୟାଚ୍ (ଦିନିକିଆ ଏବଂ ଟେ୍ଵଣ୍ଟି-୨୦) ଆୟୋଜିତ ହେବା ବଡ଼ କଥା ଥିଲା। ଅଷ୍ଟ୍ରେଲିଆ ବିପକ୍ଷ ବୋର୍ଡ ସଭାପତି ଦଳରେ ଗୋବିନ୍ଦ ପୋଦ୍ଦାରଙ୍କୁ ମିଳିଥିଲା ସୁଯୋଗ। ଦୃଷ୍ଟିହୀନ ବିଶ୍ୱକପ୍ ଜିତି ଜାଫର୍ ଇକ୍ବାଲ୍ ଏବଂ ସୁଖରାମ ମାଝୀ ଗୌରବ ଆଣିଥିଲେ। ବସନ୍ତ ମହାନ୍ତିଙ୍କ ୩୦୦ ଓ୍ଵିକେଟ୍ ମାଇଲଖୁଣ୍ଟ୍ ଏବଂ ତାମିଲନାଡୁ ବିପକ୍ଷ ୫୦୦ ରନ୍କୁ ପଛରେ ପକାଇବା ଓଡ଼ିଶା ପାଇଁ ଥିଲା ବଡ଼ ଉପଲବ୍ଧି। ଶିବସୁନ୍ଦର ଦାସ ହୋଇଥିଲେ ନୂଆ ରଣଜୀ ପ୍ରଶିକ୍ଷକ। ସୀତାଂଶୁ ଶତପଥୀ ଏବଂ ପିନାଟି ଜୟଚନ୍ଦ୍ର ପାଲଟିଥିଲେ ବିସିସିଆଇ ମ୍ୟାଚ୍ ରେଫରି। ମହିଳା କ୍ରିକେଟ୍ରେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ସୁକନ୍ୟା ପରିଡ଼ା ଏବଂ କାଦମ୍ବିନୀ ମହାକୁଡ଼ ଥିଲେ ଚର୍ଚାରେ। ଲୋଧା ସୁପାରିସ୍ରେ ଓଡ଼ିଶା କ୍ରିକେଟ୍ ସଂଘର ସବୁ କର୍ମକର୍ତା ଅଯୋଗ୍ୟ ଘୋଷିତ ହେବା ଫଳରେ ଧୀରେନ ପଲ୍ଲାଇଙ୍କ ନେତୃତ୍ୱରେ ୫ ଜଣିଆ କାର୍ଯ୍ୟକାରୀ ସମିତି ଦାୟିତ୍ୱ ନେଇଥିଲେ। ଆଶୀର୍ବାଦ ଯୁଗର ଅନ୍ତ ଘଟିଥିଲା।
ବ୍ରଜଭୂଷଣ ଦ୍ରୋଣାଚାର୍ଯ୍ୟ
ପୁରସ୍କାର ଫର୍ଦ ଦେଖିଲେ ପ୍ରଥମ ଓଡ଼ିଆ ଭାବେ ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ବ୍ରଜଭୂଷଣ ମହାନ୍ତି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇବା ନୂଆ ସଫଳତା ଥିଲା। ପଞ୍ଚାନନ ଗନ୍ତାୟତ, ଦୂତି ଚାନ୍ଦ, ସଂହିତା ଦାସ, ହରି ପ୍ରସାଦ ପଟ୍ଟନାୟକ, ରଜନୀକାନ୍ତ ଶତ୍ରୁସଲ୍ୟ, ଅଶୋକ ପଣ୍ଡା ବିଜୁ ପଟ୍ଟନାୟକ ପୁରସ୍କାର ପାଇଥିଲେ। ଶୁଭ୍ରାଂଶୁ ସେନାପତି ଓ କାଦମ୍ବିନୀ ମହାକୁଡ଼ଙ୍କୁ ମିଳିଥିଲା ଶ୍ରେଷ୍ଠ କ୍ରିକେଟର୍ ସମ୍ମାନ। ଦୀପସାନ୍ ତିର୍କି ଏକଲବ୍ୟ ପାଲଟିଥିଲେ। ପ୍ରୀତ୍ ସିଂହ ଚୌହାନ, ଶରତ ସାହୁଙ୍କୁ ସରୋଜ ମହାସୁଆର ପୁରସ୍କାର, ଅଶୋକ ମିଶ୍ର-ଅରୂପାନନ୍ଦ ରାଉତରାୟଙ୍କୁ କମଲ ଗାଙ୍ଗୁଲି ସମ୍ମାନ ମିଳିଥିଲା।
ଆସିଲେ ୨ ମାଷ୍ଟର୍ ପଦ୍ମିନୀ ପରାକ୍ରମୀ
ବିଦାୟୀ ବର୍ଷ ଓଡ଼ିଶାକୁ ଦେଇଥିଲା ୨ ଜଣ ଚେସ୍ ମାଷ୍ଟର। ସିଦ୍ଧାନ୍ତ ମହାପାତ୍ର ଏବଂ ରାକେଶ ନାୟକ ବନିଥିଲେ ନୂଆ ଆଇଏମ୍। ପଦ୍ମିନୀ ରାଉତ ଲଗାତାର ଚତୁର୍ଥ ବର୍ଷ ଜିତିଥିଲେ ଜାତୀୟ ମହିଳା ପ୍ରିମିୟର୍ ଲିଗ୍ ଟ୍ରଫି। ଋତୁମ୍ବରା ବିଧାର, ସୌନ୍ଦର୍ଯ୍ୟ ପ୍ରଧାନ ଏସୀୟ କାଂସ୍ୟ ଜିତିଥିବାବେଳେ ରାଜ୍ୟଗୋଷ୍ଠୀ ଚେସ୍ରେ ସାଇନା ସଲୋନିକା, ଶ୍ରୀୟାଂଶ ଦାସ ସ୍ୱର୍ଣ୍ଣ, ସ୍ୱୟମ୍ଶ୍ରୀ ମହାନ୍ତି ରୌପ୍ୟ ହାତେଇଥିଲେ। ସାଇନା ସଲୋନିକା ଦୁଇଟି ଜାତୀୟ ପଦକ (୧୩ ବର୍ଷରୁ କମ୍ ରୌପ୍ୟ, ୧୫ ବର୍ଷରୁ କମ୍ କାଂସ୍ୟ) ଜିତି ବର୍ଷରେ ସବୁଠାରୁ ଅଧିକ ବ୍ୟକ୍ତିଗତ ସଫଳତା ପାଇଥିଲେ। ସତ୍ୟରଂଜନ ପଟ୍ଟନାୟକ, ରଂଜନ ମହାନ୍ତି, ଅପରାଜିତା ଗୋଛିକାର, ଗୌରହରି ମହାପାତ୍ର ଜାତୀୟ ଇନ୍ଷ୍ଟ୍ରକ୍ଟର୍ସ ହେବା ଉଲ୍ଲେଖନୀୟ କଥା ଥିଲା।
ଫୁଟ୍ବଲ୍ ଫୁଟିଲା
ବହୁ ଅବହେଳା ଓ ଉପେକ୍ଷା ପରେ ବିଶ୍ୱର ସବୁଠୁ ଲୋକପ୍ରିୟ ଖେଳ ଫୁଟ୍ବଲ୍ ଏ ବର୍ଷ ଓଡ଼ିଶାରେ ଫୁଟିବା ଆରମ୍ଭ କରିଥିଲା। ଭାରତୀୟ କନିଷ୍ଠ ଦଳରେ ଶୁଭମ୍ ଷଡ଼ଙ୍ଗୀ, ବିକି ଓରାମ, ସମୀର କେରକେଟା ଏବଂ ମହିଳା ଜାତୀୟ ଦଳରୁ ଲୋଚନା ମୁଣ୍ଡା, ପ୍ୟାରୀ ଖାଖା, ଜବାମଣି ଟୁଡୁ, ମନୀଷା ପାନ୍ନା ଖେଳିବାର ସୁଯୋଗ ପାଇଥିଲେ। ଓଡ଼ିଶା ମହିଳାମାନେ ଜାତୀୟ ରୌପ୍ୟ ପଦକ ଜିତିଥିଲେ। ଶୁଭେନ୍ଦୁ ପଣ୍ଡା ବେନଫିକା କାର୍ଯ୍ୟକ୍ରମରେ ସାମିଲ ହେବା ଏବଂ ଶିବ ଶଙ୍କର ପଣ୍ଡା ଫେଡେରେସନ୍ କପ୍ ଓ ଆଇଏସ୍ଏଲ୍ ପରିଚାଳନା କରିବା ବଡ଼ ଖବର ଥିଲା। ବବୁଲ୍ ସାନ୍ଦିଲ୍ ‘ମିସନ୍ ଇଲେଭେନ୍ ମିଲିଅନ୍’ରେ ଜାତୀୟ ସୁଯୋଗ ପାଇଥିଲେ। ଆଇ ଯୁବ ଲିଗ୍ରେ ୧୫ ବର୍ଷରୁ କମ୍ରେ ଓଡ଼ିଶା ଗ୍ରୁପ୍ ‘ସି’ର ବିଜେତା ହୋଇଥିଲା। ୧୩ ବର୍ଷରୁ କମ ବର୍ଗ ଆଇ ଲିଗ୍ରେ ରଂଜନ ସୋରେନ୍ ଦିଲ୍ଲୀର ବାଇଚୁଙ୍ଗ ଭୂତିଆ ଏକାଡେମୀର ନେତୃତ୍ୱ ନେବା ସହ ସୁନୀଲ ସୋରେନ୍ ଓ ଚନ୍ଦନ ନାୟକ ଖେଳିବା ମଧ୍ୟ ନୂଆ ଅଧ୍ୟାୟ ସଂଯୋଗ କରିଥିଲା। ସାଫ୍ ରୌପ୍ୟ ଜିତିଥିଲେ ୪ ଓଡ଼ିଆ ଝିଅ ବନ୍ୟା କବିରାଜ, ନିକିତା ବିଶି, ସସ୍ମିତା ତନ୍ତୀ ଓ ସରିତା ସୋରେଙ୍ଗ୍।
ଓଡ଼ିଶା ଦୌଡ଼ିଲା
ଭୁବନେଶ୍ୱର ଏସୀୟ ଦୌଡ଼କୁଦରେ ଦୂତି ଚାନ୍ଦ ୨ ପଦକ ଜିତି ଆଗରେ ରହିଥିବାବେଳେ ଶ୍ରାବଣୀ ନନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ୍ ସେମାନଙ୍କ ଏସୀୟ ପଦକକୁ ଦୁଇ ଗୁଣା କରିଥିଲେ। ଏସିଆନ୍ ଗ୍ରାଁ ପ୍ରିରେ ଦୂତି ନେତୃତ୍ୱ ନେବାଠାରୁ ଆରମ୍ଭ କରି ଫେଡେରେସନ୍ କପ୍ରେ ସମସ୍ତ ୪ ଜଣ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ, ଅମିୟ ମଲ୍ଲିକ ଓ ପୂର୍ଣ୍ଣିମା ହେମ୍ବ୍ରମ୍ ପଦକ ଜିତିବା ଉଲ୍ଲେଖନୀୟ ଥିଲା। ଜାତୀୟସ୍ତରରେ ଏମାନଙ୍କ ପ୍ରାଧାନ୍ୟ ରହିଥିଲା। ଦୂତି ଓ ଜଉନା ମୁର୍ମୁ ବିଶ୍ୱ ପ୍ରତିଯୋଗିତା ଖେଳିଥିଲେ। ପୁଙ୍ଗା ସୋରେନ୍ ବିଶ୍ୱ କନିଷ୍ଠ ଦୌଡ଼କୁଦରେ ପ୍ରତିନିଧିତ୍ୱର ସୁଯୋଗ ପାଇଥିଲେ। ବିଶ୍ୱ ପୁଲିସ୍ କ୍ରୀଡ଼ାରେ ବୋନିତା ଲାକ୍ରା ଓ ବିଘ୍ନେଶ ମିରିଡ଼ିଆ ୮ ପଦକ ଜିତିବା ମଧ୍ୟ ଆଶାର କିରଣ ଦେଖାଇଥିଲା।
ଉଠିଲେ ଋତୁପର୍ଣ୍ଣା
ଓଡ଼ିଶାର ସାଇନା ନେହ୍ଵାଲ ଭାବେ ଉଭା ହେଉଥିବା ବ୍ୟାଡ୍ମିଣ୍ଟନ୍ ଯୁବରାଣୀ ଋତୁପର୍ଣ୍ଣା ପଣ୍ଡା ଜାତୀୟ ସର୍କିଟରେ ଉଲ୍ଲେଖନୀୟ ସଫଳତା ପାଇବା ଏବଂ ଏକ ନମ୍ବର ଯୁଗଳ ଖେଳାଳି ମାନ୍ୟତା ପାଇବା ସହିତ ଏସୀୟ ଦଳରେ ସ୍ଥାନ ଜମାଇ ଚର୍ଚାରେ ରହିଥିଲେ।