ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାକୁ ନେଇ ଅସୀମିତ ଉତ୍ସାହ, ଉନ୍ମୋଚିତ ହେଲା ଟ୍ରଫି

ଭୁବନେଶ୍ବର: ଶୁକ୍ରବାରଠାରୁ ଦ୍ବୈତ ନଗରୀ ଭୁବନେଶ୍ବର ଓ କଟକରେ ପ୍ରଥମ ‌ଖେଲୋଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆୟୋଜିତ ହେବ। ମାର୍ଚ ପହିଲା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଲାଗି ଏହି ଦୁଇ ସହର ସହ ସମଗ୍ର ଓଡ଼ିଶାରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ରାଜଧାନୀ ଭୁବନେଶ୍ବର ସହ କଟକ ମଧ୍ୟ ଏଥିଲାଗି ସଜେଇ ହେଉଛି। ଖେଳାଳିମାନେ ପହଞ୍ଚି ସାରିଥିଲା ବେଳେ ଅଧିକାଂଶ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଥିବା କିଟ୍ ବିଶ୍ବବିଦ୍ୟାଳୟ ‌ଏକ ଛୋଟିଆ ଭାରତରେ ପରିଣତ ହୋଇଛି। ଏହି ପ୍ରତିଯୋଗିତାରେ ୧୭ଟି ଖେଳରେ ପ୍ରତିଦ୍ବନ୍ଦ୍ବିତା ହେବ। ଗୁରୁବାର ସୁଦ୍ଧା ୫୭ ବିଶ୍ବବିଦ୍ୟାଳୟର ଖେଳାଳିମାନେ ପହଞ୍ଚି ସାରିଛନ୍ତି। ପ୍ରତିଯୋଗିତାରେ କିନ୍ତୁ ୧୦୦ରୁ ଅଧିକ ବିଶ୍ବବିଦ୍ୟାଳୟର ପାଖାପାଖି ୪,୦୦୦ ବଛା ବଛା ଖେଳାଳି ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଓଡ଼ିଶାରୁ ୪ ବିଶ୍ବବିଦ୍ୟାଳୟ, ୧୪୮ ଖେଳାଳି
ପ୍ରଥମ ଖେ‌ଲୋଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାର ଚାରିଟି ବିଶ୍ବବିଦ୍ୟାଳୟ ଅଂଶ ଗ୍ରହଣ କରିବେ। ସେମାନେ ହେଲେ କିଟ୍ ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ। କିଟ୍ ବିଶ୍ବବିଦ୍ୟାଳୟର ସର୍ବାଧିକ ୯୯ ଖେଳାଳି, ବ୍ରହ୍ମପୁରର ୪, ସମ୍ବଲପୁରର ୨୦ ଓ ଉତ୍କଳର ୨୫ ଖେଳାଳି ଖେଳିବେ। ଏମାନେ ଭଲିବଲ୍, ଦୌଡ଼କୁଦ, ପୋଲଭଲ୍ଟ, ସନ୍ତରଣ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ଆଜିଠୁ ଫୁଟବଲ୍, ଅସିଚାଳନା, ଭଲିବଲ୍ ଓ ବାସ୍କେଟବଲ୍
ଖେ‌ଲୋଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ଉଦଘାଟନୀ ଉତ୍ସବ ଶନିବାର କଟକରେ ଅନୁଷ୍ଠିତ ହେବ। ହେଲେ ଶୁକ୍ରବାରଠାରୁ ଚାରିଟି ଖେଳ ଯଥା ଫୁଟବଲ୍, ଅସିଚାଳନା, ଭଲିବଲ୍ ଓ ବାସ୍କେଟବଲରେ ପ୍ରତିଯୋଗିତା ଆରମ୍ଭ ହୋଇଯିବ। ଶୁକ୍ରବାର ସକାଳ ସାଢ଼େ ୯ଟାରୁ ତିନିଟି ଫୁଟବଲ୍ ମ୍ୟାଚ୍ ଆରମ୍ଭ ହେବ। ଏ’ ଗ୍ରୁପରେ ପଞ୍ଜାବ-ଆଡାମ୍ସ, ପଞ୍ଜାବ-କାନପୁର ଓ ଗୁରୁନାନକ-ସନ୍ତ ବାବା ଭାଗ ସିଂହ ବିଶ୍ବବିଦ୍ୟାଳୟ ମଧ୍ୟରେ ଖେଳାଯିବ। ସେହିଭଳି ପୂର୍ବାହ୍ନ ୧୦ଟାରୁ ଭଲିବଲ୍, ବାସ୍କେଟବଲ୍ ଓ ଅସିଚାଳନା ଆରମ୍ଭ ହେବ। ଏହି ଚାରିଟି ଯାକ ଖେଳର ସବୁମ୍ୟାଚ୍ କିଟ୍ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହେବ।

ଭିଡିଓ କନ୍‌ଫରେନ୍ସି˚ରେ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ
କଟକ: ଖେଲୋ ଇଣ୍ତିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ପ୍ରତିଯୋଗୀଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ହେଲେ କଟକ ଆସିବା ପରିବର୍ତ୍ତେ ଦିଲ୍ଲୀରେ ରହି ଭିଡିଓ କନ୍‌ଫରେନ୍ସି˚ରେ ସେ ପ୍ରତିଯୋଗୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ। ଏଥିପାଇଁ ଷ୍ଟାଡିୟମ ଭିତରେ ବଡ଼ ଏଲ୍‌ଇଡି ଲଗାଯାଉଛି। ଏନ୍‌ଆଇସିର ବୈଷୟିକ ଅଧିକାରୀଙ୍କ ତତ୍ତ୍ବାବଧାନରେ ଏହି କନ୍‌ଫରେନ୍ସି˚ ଚାଲିବ ବୋଲି ଜଣାପଡ଼ିଛି। ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି ପର୍ଯ୍ୟାୟ ଜୋର‌୍‌ଦାର ଚାଲିଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରିବା ପାଇଁ ବିଭିନ୍ନ ସ୍ଥାନରୁ ଆସିଥିବା ନର୍ତ୍ତକୀମାନେ ନୃତ୍ୟ ପରିବେଷଣ କରିବେ। ଏଥିମଧ୍ୟରେ ଓଡ଼ିଶୀକୁ ମଧ୍ୟ ସ୍ଥାନ ଦିଆଯାଇଛି। ଏହାବାଦ୍‌ ସୋନା ମହାପାତ୍ରଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ରହିଥିବା ଆୟୋଜକଙ୍କ ପକ୍ଷରୁ ଜଣାପଡ଼ିଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ୍‌ ରିଜିଜୁ, ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଅତିଥିଭାବେ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ ଇନ୍‌ଡୋର ଷ୍ଟାଡିୟମରେ ୨୩ ତାରିଖରୁ ବ୍ୟାଡ୍‌ମିଣ୍ଟନ ଓ ୨୭ ତାରିଖରୁ ଟେବୁଲ ଟେନିସ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର