ବ୍ରାଡ୍‌ମ୍ୟାନ୍‌ ଓ ପଣ୍ଟିଂକୁ କାଟିଲେ କୋହଲି

କୋହଲି ଶୀର୍ଷକୁ ଫେରିଲେ

ନଟିଂହାମ୍‌: ଟ୍ରେଣ୍ଟ୍‌ବି୍ରଜ୍‌ ଟେଷ୍ଟର୍‌ ଉଭୟ ପାଳିରେ ମୋଟ ୨୦୦ ରନ୍‌ କରିବା ସହିତ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଆଉ ଏକ କୀର୍ତିମାନ କରିଛନ୍ତି। ଦଳ ବିଜୟ ହାସଲ କରିଥିବା ମ୍ୟାଚ୍‌ରେ ପ୍ରଥମ ଅଧିନାୟକ ଭାବେ ସର୍ବାଧିକ ୭ ଥର କୋହଲି ଏଭଳି କରିଛନ୍ତି। ପୂର୍ବରୁ ଦୁଇ ଅଷ୍ଟ୍ରେଲୀୟ ଖେଳାଳି ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ ଏବଂ ରିକି ପଣ୍ଟିଂ ଅଧିନାୟକ ଭାବେ ୬ ଥର ଲେଖାଏଁ ୨୦୦ରୁ ଊର୍ଧ୍ୱ ରନ୍‌ କରି ନିଜ ଦଳକୁ ବିଜୟ ଦେଇଥିଲେ। ଭାରତୀୟଙ୍କ ମଧ୍ୟରେ କିନ୍ତୁ ମହେନ୍ଦ୍ର ସିଂହ ଧୋନି ଥରେ ମାତ୍ର ୨୦୦ରୁ ଊର୍ଧ୍ୱ ରନ୍‌ କରି ଦଳକୁ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ କରାଇଥିଲେ। ଚେନ୍ନାଇରେ ସେ ୨୨୪ ରନ୍‌ କରିଥିଲେ। ନିଜ ଖେଳ ଜୀବନରେ କିନ୍ତୁ କୋହଲି ଦଶମ ଥର ପାଇଁ ଏକ ନିର୍ଦ୍ଧିଷ୍ଟ ଟେଷ୍ଟ୍‍ରେ ୨୦୦ କିମ୍ବା ତଦୁର୍ଧ୍ୱ ରନ୍‌ କରିଛନ୍ତି। ଯାହାକି ଭାରତୀୟ ଅଧିନାୟକଙ୍କ ପାଇଁ ଆଉ ଏକ ବିଶ୍ୱ କୀର୍ତିମାନ। ବିଦେଶ ମାଟିରେ କିନ୍ତୁ କୋହଲି ଦ୍ୱିତୀୟ ଥର ପାଇଁ ୨୦୦ରୁ ଊର୍ଧ୍ୱ ରନ୍‌ କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି। ୨୦୧୩ ମସିହାରେ ଜୋହାନେସ୍‌ବର୍ଗରେ କୋହଲି ୨୧୫ ରନ୍‌ (୧୧୯ ଏବଂ ୯୬) କରି ଏଭଳି ସଫଳତା ପାଇଥିଲେ। କୋହଲି ମଧ୍ୟ ଚଳିତ ଇଂଲଣ୍ଡ ଗସ୍ତରେ ୩ ଟେଷ୍ଟ୍‍ରୁ ଦୁଇଟିରେ ୨୦୦ରୁ ଊର୍ଧ୍ୱ ରନ୍‌ କରିଛନ୍ତି। ବର୍ମିଂହାମ୍‌ରେ କୋହଲି ମୋଟ ୨୦୦ ରନ୍‌ (୧୪୯ ଓ ୫୧) କରିଥିଲେ ମଧ୍ୟ ଭାରତ ହାରିଯାଇଥିଲା।

ନଟିଂହାମ୍‌: ଟ୍ରେଣ୍ଟ୍‌ବି୍ରଜ୍‌ ଟେଷ୍ଟ୍‍ରେ ଶ୍ରେଷ୍ଠ ଖେଳାଳି ବିବେଚିତ ବିରାଟ କୋହଲି ପୁଣି ଆଇସିସି ବ୍ୟାଟିଂ ମାନ୍ୟତା ତାଲିକା ଶୀର୍ଷକୁ ଫେରିଛନ୍ତି। ନିଜ ଖେଳ ଜୀବନରେ ମଧ୍ୟ ସର୍ବାଧିକ ୮୩୭ ପଏଣ୍ଟ ଅର୍ଜନ କରି ସର୍ବକାଳୀନ ଶୀର୍ଷ-୧୦ ଭିତରେ ପ୍ରବେଶ କରିବା ଦ୍ୱାରରେ ପହଞ୍ଚିଛନ୍ତି। ମାତ୍ର ଗୋଟିଏ ପଏଣ୍ଟ୍‌ ଫରକ ପାଇଁ ସେ ଏବେ ଏକାଦଶ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସ୍ୱର୍ଗତ ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ ୧୯୪୮ ମସିହା ଫେବ୍ରୁଆରିରେ ପାଇଥିବା ୯୬୧ ପଏଣ୍ଟ୍‌ ଏବେ ବି ଶୀର୍ଷରେ ରହିଛି। ତାଙ୍କ ପଛକୁ ପଛ ରହିଛନ୍ତି ଷ୍ଟିଭେନ୍‌ ସ୍ମିଥ୍‌ (୯୪୭), ଲେନ୍‌ ହଟନ୍‌ (୯୪୫), ଜ୍ୟାକ୍‌ ହବ୍‌ସ ଓ ରିକି ପଣ୍ଟିଂ (ଉଭୟ ୯୪୨), ପିଟର୍‌ ମେ (୯୪୧) ଏବଂ ଗ୍ୟାରି ସୋବର୍ସ, କ୍ଲାଇଡ ଓ୍ଵାଲ୍‌କଟ୍‌, ଭିଭିଆନ୍‌ ରିଚାର୍ଡସ, କୁମାର ସାଙ୍ଗାକାରା (ସମସ୍ତେ ୯୩୮)। ସଦ୍ୟ ପ୍ରକାଶିତ ମାନ୍ୟତାରେ ହାର୍ଦିକ ପାଣ୍ଡ୍ୟା ଏବଂ ଯଶ୍‌ପ୍ରୀତ ବୁମରା ମଧ୍ୟ ଢେର ଉପରକୁ ଉଠିଛନ୍ତି। ଉଭୟ ଟ୍ରେଣ୍ଟ୍‌ବ୍ରିଜ୍‌ରେ ୫ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ବୋଲିଂ ତାଲିକାରେ ପାଣ୍ଡ୍ୟା ୨୩ ସ୍ଥାନ ଉଠି ୫୧ରେ ପହଞ୍ଚିଛନ୍ତି। ଅର୍ଧଶତକ ହାସଲ କରିଥିବାରୁ ପାଣ୍ଡ୍ୟା ମଧ୍ୟ ବ୍ୟାଟିଂ ତାଲିକାରେ ସମାନ ୫୧ତମ ସ୍ଥାନରେ ରହିଛନ୍ତି। ଆହତ କାରଣରୁ ପ୍ରଥମ ଦୁଇ ଟେଷ୍ଟ୍‍ରୁ ବଞ୍ଚିତ ଯଶ୍‌ପ୍ରୀତ ବୁମରା ମାତ୍ର ୪ ଟେଷ୍ଟ୍‍ ଖେଳିବା ପରେ ଏବେ ବୋଲିଂ ତାଲିକାର ୩୭ ନମ୍ବରରେ ରହିଛନ୍ତି। ଇଂଲଣ୍ଡ ପକ୍ଷରୁ ଜୋସ୍‌ ବଟଲର୍‌ ସବୁଠୁ ଅଧିକ ଫାଇଦା ପାଇ ୨୨ ସ୍ଥାନ ଲମ୍ଫ ମାରି ୪୭ରେ ପହଞ୍ଚିଛନ୍ତି। ଟ୍ରେଣ୍ଟ୍‌ ବ୍ରିଜ୍‌ରେ ବଟଲର୍‌ ପ୍ରଥମ ଶତକ ମାରିଥିଲେ।

ସମ୍ବନ୍ଧିତ ଖବର