ସଚିନଙ୍କ ସମକକ୍ଷ ହେଲେ କୋହଲି, ଦ୍ରୁତତମ ୨୫ ଶତକରେ ଦ୍ବିତୀୟ
୬: ଅଷ୍ଟ୍ରେଲିଆରେ ୧୯ ପାଳି ଖେଳି କୋହଲି ଷଷ୍ଠ ଶତକ ହାସଲ କଲେ। ଏହା କରି ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ମାଟିରେ ହାସଲ କରିଥିବା ଅଧଡଜନ ଶତକର ସମକକ୍ଷ ହେଲେ। ଅଷ୍ଟ୍ରେଲିଆରେ ସର୍ବାଧିକ ସଂଖ୍ୟକ ଶତକ କରିଥିବା ବିଦେଶୀ ଖେଳାଳିଙ୍କ ମଧ୍ୟରେ କୋହଲି ଏବେ କେବଳ ଜ୍ୟାକ୍ ହବ୍ସ (୯ ଶତକ, ୪୫ ପାଳି) ଓ ୱାଲି ହାମଣ୍ଡ (୩୫ ପାଳି, ୭ ଶତକ)ଙ୍କ ପଛରେ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୨୫: ଟେଷ୍ଟ୍ କ୍ରିକେଟ୍ରେ ମୋଟ ୧୨୭ ପାଳିରେ କୋହଲି ୨୫ ଶତକ ହାସଲ କଲେ। କେବଳ ସାର୍ ଡନ୍ ବ୍ରାଡମ୍ୟାନ୍ (୬୮ ପାଳି, ୨୫ ଶତକ) ତାଙ୍କଠାରୁ କମ୍ ପାଳି ଖେଳି ୨୫ ଶତକର ମାଇଲଖୁଣ୍ଟ ଛୁଇଁଥିଲେ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୫ ଶତକ ପାଇଁ ୧୩୦ ଏବଂ ସୁନୀଲ ଗାଭାସ୍କର ୧୩୮ ପାଳି ନେଇଥିଲେ। ବିଶ୍ବର ୨୧ ଏବଂ ଭାରତର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ କୋହଲି ୨୫ ଶତକ ହାସଲ କଲେ।
୦୦: ୧୯୯୦ ମସିହା ପରଠାରୁ ଅଷ୍ଟ୍ରେଲିଆ ଗସ୍ତ କରିଥିବା ଖେଳାଳିଙ୍କ ମଧ୍ୟରେ କୋହଲିଙ୍କ ରନ୍ ହାର ହେଉଛି ସର୍ବାଧିକ। ଅଷ୍ଟ୍ରେଲିଆରେ ସର୍ବନିମ୍ନ ୧୫ ପାଳି ଖେଳିଥିବା କୌଣସି ବ୍ୟାଟ୍ସମ୍ୟାନଙ୍କ ରନ୍ ସଂଗ୍ରହ ହାର କୋହଲିଙ୍କ ତୁଳନାରେ ଅଧିକ ନାହିଁ। ପର୍ଥରେ ଶତକ ପୂରଣ କରିବା ପରେ ଅଷ୍ଟ୍ରେଲିଆରେ କୋହଲିଙ୍କ ରନ୍ ସଂଗ୍ରହ ହାର ୬୩ ଟପି ଯାଇଥିଲା। ଏହି ସମୟ ଭିତରେ କେବଳ ସଚିନ (୫୩.୨୦) ୫୦ରୁ ଅଧିକ ହାରାହାରି ପାଇଥିଲେ।
୧୦: ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪୯ ପାଳି ଖେଳି କୋହଲି ମିଳିତ ଭାବେ ୧୦ ଶତକ ହାସଲ କଲେ। କେବଳ ସଚିନ ତେନ୍ଦୁଲକର (୯୬ ପାଳି, ୧୫ ଶତକ) ଏହି ତିନି ଦେଶ ବିପକ୍ଷରେ ତାଙ୍କଠାରୁ ଅଧିକ ଶତକ ହାସଲ କରିଛନ୍ତି। ୨୦୧୧ ପରେ ଅନ୍ୟ ସମସ୍ତ ଭାରତୀୟ ବ୍ୟାଟ୍ସମ୍ୟାନ୍ ମିଳିତ ଭାବେ ଏହି ତିନି ଦେଶ ବିପକ୍ଷରେ ୧୦ ଶତକ କରିଛନ୍ତି।
୩୪: କ୍ରିକେଟ୍ର ତିନିଟି ଯାକ ଫର୍ମାଟରେ ଅଧିନାୟକ ଭାବେ କୋହଲି ୩୪ ଶତକ ହାସଲ କଲେ। ଏହି କ୍ରମରେ ସେ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ (୩୩)ଙ୍କୁ ଅତିକ୍ରମ କଲେ। କେବଳ ରିକି ପଣ୍ଟିଂ (୪୧ ଶତକ) ଏହି କ୍ଷେତ୍ରରେ ତାଙ୍କଠାରୁ ଅଧିକ ଶତକ ହାସଲ କରିଛନ୍ତି। କୋହଲି ଅଧିନାୟକ ଭାବେ ଦିନିକିଆରେ ୧୮ ଏବଂ ଟେଷ୍ଟରେ ୧୬ ଶତକ ଅର୍ଜନ କରିଛନ୍ତି।
୦୪: ଅଷ୍ଟ୍ରେଲିଆର ଚାରିଟି ପଡ଼ିଆ ମେଲବର୍ନ, ଆଡିଲେଡ୍, ସିଡନି ଓ ପର୍ଥରେ ଶତକ ଅର୍ଜନ କରିବାର ସଫଳତା କୋହଲି ଲାଭ କଲେ। କେବଳ ବ୍ରିସ୍ବନରେ ସେ ଏପର୍ଯ୍ୟନ୍ତ ଶତକ ହାସଲ କରି ନାହାନ୍ତି। ସଚିନ ତେନ୍ଦୁଲକର ମଧ୍ୟ ଏହି ଚାରିଟି ପଡ଼ିଆରେ ଶତକ ଅର୍ଜନ କରିଥିଲେ।