ପର୍ଥ: ପର୍ଥ ଟେଷ୍ଟ୍ର ରୋମାଞ୍ଚ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ପ୍ରଥମ ତିନି ଦିନର ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇ ପରେ ଉଭୟ ଦଳ ପାଇଁ ଏଠାରେ ବିଜୟ ସୁଯୋଗ ସୃଷ୍ଟି ହୋଇଛି। ସୋମବାର ଚତୁର୍ଥ ଦିବସର ପ୍ରଥମ ଏକ ଘଣ୍ଟାର ଖେଳରେ ଯିଏ ଭଲ କରିବ, ତା’ର ବିଜୟ ସମ୍ଭାବନା ସେତେ ଅଧିକ ହୋଇଯିବ। ରବିବାର ଅଧିନାୟକ ବିରାଟ କୋହଲି (୧୨୩ ରନ୍, ୨୫୭ ବଲ୍, ୧୩ ଚୌକା, ୧ ଛକା)ଙ୍କ ସାହସିକ ଓ ସ୍ମରଣୀୟ ଶତକ ସତ୍ତ୍ବେ ଭାରତ ୨୮୩ ରନ୍ରେ ଅଟକି ଯାଇଥିଲା। ଫଳରେ ପ୍ରଥମ ପାଳିରେ ୩୨୬ ରନ୍ କରିଥିବା ଅଷ୍ଟ୍ରେଲିଆ ୪୩ ରନ୍ର ମହତ୍ବପୂର୍ଣ୍ଣ ଅଗ୍ରଣୀ ଲାଭ କରିଥିଲା। ସେହିଭଳି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଦଳ ନିଜ ଦ୍ବିତୀୟ ପାଳିରେ ୪ ୱିକେଟ୍ ବିନିମୟରେ ୧୩୨ ରନ୍ କରି ନେଇ ମୋଟ ଉପରେ ୧୭୫ ରନ୍ରେ ଆଗୁଆ ରହିଛି। କଙ୍ଗାରୁ ଦଳ ହାତରେ ଆହୁରି ୬ ୱିକେଟ୍ ଥିବାରୁ ପର୍ଥରେ ଏବେ ଭାରତ ତୁଳନାରେ ଅଷ୍ଟ୍ରେଲିଆ ପଲ୍ଲା ଆଶିଂକ ଭାରି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
କ୍ୟାଚ୍ ବିବାଦ, ଲିୟନଙ୍କୁ ପାଞ୍ଚ
ରବିବାର ଦ୍ବିତୀୟ ପାଳିରେ ଭାରତୀୟ ଦ୍ରୁତ ବୋଲର ଜବରଦସ୍ତ ବୋଲିଂ କରିଥିଲେ। ତଥାପି ଅଷ୍ଟ୍ରେଲିଆ ତା’ ପାଳିକୁ ଆଶାଜନକ ଭାବେ ଆଗଇ ନେଇଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମାର୍କସ ହାରିସ୍ (୨୦), ସନ୍ ମାର୍ସ (୫), ପିଟର ହ୍ୟାଣ୍ଡ୍ସକମ୍ବ (୧୩) ଓ ଟ୍ରାଭିସ୍ ହେଡ୍ (୧୯) ଅବଶ୍ୟ ବଡ଼ ସ୍କୋର କରିବାରୁ ବଞ୍ଚିତ ହୋଇଥିଲେ। ଶୃଙ୍ଖଳାରେ ପ୍ରଥମ ଥର ପାଇଁ ଉସ୍ମାନ ଖୱାଜା (୪୧*) ବ୍ୟକ୍ତିଗତ ଭାବେ ଏକ ବଡ଼ ସ୍କୋର କରିବାକୁ ଦୃଢ଼ ମୂଳଦୁଆ ପକାଇ ଅଷ୍ଟ୍ରେଲିଆ ପ୍ରତି ଆକ୍ରମଣର ନେତୃତ୍ବ ନେଇଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ତାଙ୍କ ସହ ଅଧିନାୟକ ଟିମ୍ ପାଇନ୍ ୮ ରନ୍ କରି ଅପରାଜିତ ରହିଛନ୍ତି। ଏହା ପୂର୍ବରୁ ମହମ୍ମଦ ସାମିଙ୍କ ବଲ୍ରେ ଆହତ ହୋଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଆରୋନ ଫିଞ୍ଚ୍ (୨୫) ଡାକ୍ତରଖାନା ଯିବା ଘରୋଇ ଦଳ ପାଇଁ ଚିନ୍ତାର ବିଷୟ ହୋଇଥିଲା। ତେବେ ସଂଧ୍ୟା ସୁଧା ସେ ସଂପୂର୍ଣ୍ଣ ସୁସ୍ଥ ଘୋଷିତ ହେବା ଅଷ୍ଟ୍ରେଲିଆକୁ ଆଶ୍ବସ୍ତ କରିଥିଲା। ମଜାଦାର କଥା ହେଲା ପର୍ଥ ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇବ ବୋଲି ମ୍ୟାଚ୍ ଆରମ୍ଭରୁ ଜୋରଦାର ଚର୍ଚା ହେଉଥିଲା। ଭାରତକୁ ୩୦୦ ରନ୍ ତଳେ ସୀମିତ ରଖିବାରେ କିନ୍ତୁ ଅଷ୍ଟ୍ରେଲୀୟ ସ୍ପିନର୍ ନାଥନ ଲିୟନ (୩୪.୫-୭-୬୭-୫) ଆଶ୍ଚର୍ଯ୍ୟଜନକ ଭାବେ ନିର୍ଣ୍ଣାୟକ ଭୂମିକା ତୁଲାଇଥିଲେ। ଏକାକି ପାଞ୍ଚ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ଶିକାର କରି ପର୍ଥର ଉଚ୍ଛାଳଭରା ପିଚ୍ରେ ସେ ଚତୁର୍ଦଶ ଥର ପାଇଁ ପାଞ୍ଚ ୱିକେଟ୍ ସଫଳତା ଲାଭ କରିଥିଲେ। ତେବେ ଆଜି ସବୁଠାରୁ ଅଧିକ ପ୍ରଶଂସା ସାଉଣ୍ଟିଥିଲେ ଭାରତୀୟ ଅଧିନାୟକ କୋହଲି। ସକାଳେ ଅଷ୍ଟ୍ରେଲିଆ ବୋଲରଙ୍କ ଅଗ୍ନିବର୍ଷୀ ବୋଲିଂକୁ ପ୍ରତିହତ କରି ପର୍ଥରେ ସେ ଆଜି ନିଜ ଟେଷ୍ଟ୍ ଜୀବନର ୨୫ତମ ଶତକ ପୂରଣ କରିଥିଲେ। ଯାହା ଅଷ୍ଟ୍ରେଲିଆ ମାଟିରେ ତାଙ୍କର ଷଷ୍ଠ ଶତକ ଥିଲା। ଏହା କରି କୋହଲି ୨୫ ଶତକ ହାସଲରେ ସାର୍ ଡନ୍ ବ୍ରାଡ୍ମ୍ୟାନ୍ଙ୍କ ପଛକୁ ଦ୍ବିତୀୟ ଦ୍ରୁତତମ ଏବଂ ଅଷ୍ଟ୍ରେଲିଆରେ ୬ ଶତକ ହାସଲ କରିବାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଥିଲେ। କୋହଲି ଏକ ବିବାଦୀୟ କ୍ୟାଚ୍ରେ ଆଉଟ୍ ହେବା ପରେ ଭାରତୀୟ ପାଳି ଆଉ ମାତ୍ର ୩୨ ରନ୍ ମଧ୍ୟରେ ଶେଷ ହୋଇ ଯାଇଥିଲା। ପ୍ୟାଟ୍ କମିନ୍ସଙ୍କ ଅଫ୍ ଷ୍ଟିକ୍ରେ ଥିବା ବଲ୍କୁ କୋହଲି ଡ୍ରାଇଭ୍ କଲା ବେଳେ ଏହା ତାଙ୍କ ବ୍ୟାଟ୍ ଧାର ଛୁଇଁ ଦ୍ବିତୀୟ ସ୍ଲିପ୍ରେ କ୍ଷେତ୍ରରକ୍ଷଣ କରୁଥିବା ହ୍ୟାଣ୍ଡ୍ସକମ୍ବଙ୍କ ହାତକୁ ଚାଲି ଯାଇଥିଲା। ଅମ୍ପାୟାର କ୍ରିସ୍ ଗଫାନି ତୁରନ୍ତ ତାଙ୍କୁ ଆଉଟ୍ ଘୋଷଣା କରିଥିଲେ। ହେଲେ ଲେଗ୍ ଅମ୍ପାୟାର ଥିବା କୁମାର ଧର୍ମସେନାଙ୍କ ମନରେ କ୍ୟାଚ୍ର ବୈଧତା ନେଇ ସନ୍ଦେହ ହେବାରୁ ଟିଭି ଅମ୍ପାୟାରଙ୍କ ସହାୟତା ନିଆ ଯାଇଥିଲା। ରିପ୍ଲେରୁ ବଲ୍ ଘାସକୁ ଛୁଇଁଥିବା ଜଣାପଡ଼ୁଥିଲେ ମଧ୍ୟ ଠୋସ୍ ପ୍ରମାଣର ଅଭାବ ପାଇଁ ଟିଭି ଅମ୍ପାୟାର ପଡ଼ିଆ ଅମ୍ପାୟାର ଗଫାନିଙ୍କ ନିଷ୍ପତ୍ତିକୁ କାୟମ ରଖିଥିଲେ। ଫଳରେ କୋହଲିଙ୍କ ଚିତ୍ତାକର୍ଷକ ପାଳି ସେହିଠାରେ ଶେଷ ହୋଇ ଯାଇଥିଲା। କୋହଲି ମଧ୍ୟ ନିରାଶାର ସହ ପଡ଼ିଆ ଛାଡ଼ିଥିଲେ। ଏହି ରବିବାର ଆଉଟ୍ ସାମାଜିକ ଗଣମାଧ୍ୟମରେ ପ୍ରମୁଖ ଚର୍ଚାର ବିଷୟ ହୋଇଥିଲା। ସେପଟେ ଭାରତୀୟ ୱିକେଟ୍ ରକ୍ଷକ ଋଷବ ପନ୍ତ (୩୬ ରନ୍, ୫୦ ବଲ୍, ୨ ଚୌକା, ୧ ଛକା)ଙ୍କ ଦ୍ରୁତ ବ୍ୟାଟିଂ ମଧ୍ୟ ବିତର୍କର ବିଷୟ ହୋଇଥିଲା।
ପୁଣି ୱିକେଟ୍ ଫିଙ୍ଗିଲେ ରାହାଣେ
ଆଜି ଭାରତ ତା’ର ଅସମାପ୍ତ ପ୍ରଥମ ପାଳି ସ୍କୋର ୧୭୨/୩ରୁ ଖେଳ ଆରମ୍ଭ କରିଥିଲା। ଉପଅଧିନାୟକ ଅଜିଙ୍କ୍ୟ ରାହାଣେ କୌଣସି ରନ୍ ଯୋଡ଼ିବା ପୂର୍ବରୁ ଲିୟନଙ୍କୁ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ସେ ଆଜି ମାତ୍ର ଚାରିଟି ବଲ୍ ପର୍ଯ୍ୟନ୍ତ କ୍ରିଜ୍ରେ ତିଷ୍ଠି ରହି ପାରିଥିଲେ। ମାତ୍ର ଦ୍ବିତୀୟ ଥର ପାଇଁ ଟେଷ୍ଟ୍ ଖେଳୁଥିବା ହନୁମା ବିହାରୀ (୨୦) କୋହଲିଙ୍କୁ ଦୃଢ଼ ସମର୍ଥନ ଦେଇଥିଲେ। କୋହଲି ଓ ସେ ପଞ୍ଚମ ୱିକେଟ୍ରେ ୫୦ ରନ୍ ଯୋଡ଼ିଥିଲେ। ସେହି ଭିତରେ କୋହଲି କେତେକ ଦର୍ଶନୀୟ ସଟ୍ ସହ ୨୧୪ ବଲ୍ରୁ ୧୧ ଚୌକା ସହାୟତାରେ ନିଜ ୨୫ତମ ଟେଷ୍ଟ୍ ଶତକ ପୂରଣ କରିଥିଲେ। ତେବେ ଠିକଣା ସମୟରେ ବିହାରୀଙ୍କୁ ହାଜେଲଉଡ୍ ପ୍ୟାଭିଲିୟନ ଫେରାଇ ଅଷ୍ଟ୍ରେଲିଆ ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ଏହା ପରେ କୋହଲି ବିବାଦୀୟ ଢଙ୍ଗରେ କ୍ରିଜ୍ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସାଥୀ ସରିଯିବା ଭୟରେ ପନ୍ତ ଦ୍ରୁତ ବ୍ୟାଟିଂ କରି ସୀମା ରେଖା ପାଖରେ ଧରା ପଡ଼ିଥିଲେ। ଭାରତ ୧୦୫.୫ ଓଭରରେ ୨୮୩ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା।