ଶେଷ ୪ ଓଭରରେ ୮୪ ଦେବା ମହଙ୍ଗା ପଡ଼ିଲା:ଏବି ଡି’ଭିଲିୟର୍ସ

ମୁଁ ଆଗରୁ କହିଛି ଏବଂ ଏବେ ବି କହି ରଖୁଛି, ଆଇପିଏଲ୍‌ରେ ସଫଳତା ଲାଗି ମୋମେଣ୍ଟମ୍‌ ବା ଗତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣ ଯେତେ ମ୍ୟାଚ୍‌ ଜିତିବେ ପ୍ରତିଦ୍ୱନ୍ଦ୍ୱିତା ସେତେ ମଜା ଲାଗିବ। ସେହିଭଳି ପରାଜିତ ହେଲେ ପରବର୍ତୀ ଆହ୍ଵାନ ଅତ୍ୟନ୍ତ କଷ୍ଟକର ମନେହେବ। ବୋଲର ସେମାନଙ୍କ ଲେନ୍ଥ ପାଇବାକୁ ସଂଘର୍ଷ କରିବେ, ବ୍ୟାଟ୍ସମ୍ୟାନ୍‌ ସଟ୍‌ ତ ଖେଳିବେ ହେଲେ ତାହା ସିଧା କ୍ଷେତ୍ରରକ୍ଷକଙ୍କ ହାତକୁ ଚାଲିଯିବ, ଏମିତିକି ସବୁକିଛି ହାତରୁ ଖସି ଯାଉଥିଲା ଭଳି ଲାଗିବ। ତିନିଟି ମ୍ୟାଚ୍‌ରୁ ଦୁଇଟି ପରାଜୟ ଏବଂ ଗୋଟିଏ ବିଜୟ ସହ ଆମେ ଏବେ ସଠିକ୍‌ ଗତି ଓ ଦିଗ ପାଇବାକୁ ସଂଘର୍ଷ କରୁଛୁ। ବିଶେଷ କରି ରବିବାର ଘରୋଇ ପରିବେଶରେ ରାଜସ୍ଥାନ ରୟାଲ୍ସଠାରୁ ହାରିବା ଆମକୁ ନିରାଶ କରିଛି। କାରଣ ଆମେ ବିଜୟଠାରୁ ବେଶୀ ଦୂରରେ ନଥିଲୁ। ଶେଷ ୪ ଓଭରରୁ ସେମାନେ ୮୪ ରନ୍‌ ସଂଗ୍ରହ କରିନେବା ପରେ ହିଁ ସମ୍ଭବତଃ ମ୍ୟାଚ୍‌ର ମୋଡ଼ ବଦଳି ଯାଇଥିଲା।

ଦୁଃଖର କଥା ଯେ ଆମେ ଦୁଇଟି ନୋ ବଲ୍‌ ପକାଇଲୁ ଏବଂ ଦୁଇଟି ଯାକ ଛକା ହୋଇଗଲା। ଏସବୁ କଥା ଉପରେ ଆମକୁ ଏବେ ନଜର ରଖିବାକୁ ହେବ। ରାଜସ୍ଥାନର ଯୁବ ତାରକା ସଞ୍ଜୁ ସାମସନ ଏକ ସ୍ୱତନ୍ତ୍ର ଓ ସ୍ମରଣୀୟ ପାଳି ଖେଳିଥିଲେ। ତାଙ୍କ ଦଳରେ ନଥିଲେ ମଧ୍ୟ ଗତ କିଛି ବର୍ଷ ହେବ ମୁଁ ତାଙ୍କ ସହ ଇ-ମେଲ୍‌ରେ ଯୋଗାଯୋଗ ରଖିଛି। ଭାରତରୁ ତାଙ୍କ ଭଳି ପ୍ରତିଭା ବାହାରିବା ମୋତେ ବେଶ୍‌ ଆନନ୍ଦ ଦେଇଛି। ତାଙ୍କ ପାଇଁ ସଫଳତାର କୌଣସି ସୀମା ରହିବ ନାହିଁ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି। ମଙ୍ଗଳବାର ଆମେ ଆମ ପରବର୍ତୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବୁ। ଦୁଇ ଜଣ ଯାକ ବିଜୟ ପାଇଁ ପଡ଼ିଆକୁ ଓହ୍ଲାଇବୁ। ମନଦୀପ ସିଂହ ଏବଂ ଓ୍ଵାସିଂଟନ ସୁନ୍ଦରଙ୍କ ଭଳି ଖେଳାଳିଙ୍କ ପ୍ରତିଭାକୁ ଠିକ୍‌ ଭାବେ ଉପଯୋଗ କରି ପାରିଲେ ଆମେ ନିଶ୍ଚିତ ବିଜୟୀ ହେବୁ ବୋଲି ମୋର ବିଶ୍ୱାସ। ଆମକୁ ଗୋଟିଏ ଦିନର ବିଶ୍ରାମ ମିଳିଛି। ଆଉ ମୁଁ ଏହାର ଭରପୁର ମଜା ନେଉଛି। ବେଙ୍ଗାଲୁରୁର ସବୁଜ ଦିନଗୁଡ଼ିକ ମୋତେ ବହୁତ ଭଲ ଲାଗେ। ହେଲେ ଆମେ ଏବେ ମୁମ୍ବାଇରେ ଅଛୁ ଏବଂ ବିଜୟ ପାଇଁ ସମସ୍ତେ ପୂରା ବ୍ୟଗ୍ର। (ଟିସିଏମ୍‌)

ସମ୍ବନ୍ଧିତ ଖବର