ଅନ୍ତିମ ଓଭର ବୋଲିଂ ଆର୍‌ସିବିର ସମସ୍ୟା : ସୁନୀଲ ଗାଭାସ୍କର

ଦିଲ୍ଲୀ ଡେୟାର ଡେଭିଲ୍‌ସ ବିପକ୍ଷ ବୃହତ୍‌ ପରାଜୟରୁ ମୁକୁଳି ପାରିଲେ କୋଲ୍‌କାତା ନାଇଟ୍‌ ରାଇଡର୍ସ ପାଇଁ ଏହା ମଜାଦାର ମୁହୂର୍ତ ହେବ। ଶୁକ୍ରବାର ଶ୍ରେୟସ ଆୟରଙ୍କ ଅତି ଉତ୍କର୍ଷ ପାଳି ହିଁ ଦୀନେଶ କାର୍ତିକଙ୍କ ଦଳକୁ ପରାଜୟ ମୁହଁକୁ ଠେଲି ଦେଇଥିଲା। ସଫଳ ପଶ୍ଚାତଧାବନ ଲାଗି ଯେଭଳି ଆରମ୍ଭ ଆବଶ୍ୟକ ସେମାନେ ମଧ୍ୟ ତାହା କରି ପାରିନଥିଲେ। ଦଳର ୩ ଜଣ ଶୀର୍ଷ ଭାଗ ଖେଳାଳି ସର୍ଟ ବଲ୍‌ରେ ଶିକାର ହୋଇଥିବାରୁ ରବିବାର ଆର୍‌ସିବି ଏହି କୌଶଳରେ କୋଲ୍‌କାତାକୁ ଫସାଇବାକୁ ଚାହିଁବ। ବଲ୍‌ ତାଙ୍କ ସାମନାରେ ପଡ଼ିବାକୁ ସୁନୀଲ ନରିନ୍‌ ପସନ୍ଦ କରନ୍ତି। ବଲ୍‌ କିନ୍ତୁ ତାଙ୍କ ଗଳା ଆଡ଼କୁ ଆସିଲେ ସେ ତାକୁ ଏଠାକୁ, ସେଠାକୁ ତଥା ସବୁଆଡକୁ ପଠାଇବାକୁ ଭଲ ପାଆନ୍ତି। ରବିନ୍‌ ଉଥପ୍ପା ସର୍ଟ ବଲ୍‌ର ଜଣେ ଭଲ ଖେଳାଳି।

ଘରୋଇ ବାଙ୍ଗାଲୋର୍‌ ପ୍ରଶଂସକଙ୍କ ସାମ୍‌ନାରେ ସେ ନିଶ୍ଚିତ ଭଲ କରିବାକୁ ଚାହିଁବେ। କ୍ରିସ୍‌ ଲିନ୍‌ ଏବଂ ଉଥପ୍ପା ଦଳ ପାଇଁ ଚାବିକାଠି ହେବେ, କାରଣ ଉଭୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାରେ ଦକ୍ଷ। ଏହା ପରେ ଅଛନ୍ତି ଆନ୍ଦ୍ରେ ରସେଲ୍‌ ଯିଏକି ପଡ଼ିଆର ଚତୁଃର୍ଦିଗକୁ ଛକା ମାରି ବିପଦଜ୍ଜନକ ଅଞ୍ଚଳ ସୃଷ୍ଟି କରିପାରନ୍ତି। ଶୁଭମନ ଗିଲ୍‌ ମଧ୍ୟ ଗତ ମ୍ୟାଚ୍‌ରେ ସନ୍ତୋଷଜନକ ବ୍ୟାଟିଂ କରିଥିଲେ। ତାଙ୍କ ବ୍ୟାଟିଂରେ ଭଲ ସନ୍ତୁଳନ ଦେଖିବାକୁ ମିଳିଥିଲା। ବ୍ୟାଟିଂ କ୍ରମରେ ତାଙ୍କ ପଦୋନ୍ନତି ଆବଶ୍ୟକ, କିନ୍ତୁ ଦଳୀୟ ଶିବିର ନିଶ୍ଚିତ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଚିନ୍ତା କରିବେ।

ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ପାଇଁ ଏ ପର୍ଯ୍ୟନ୍ତ ଉତ୍‌ଥାନ ପତନ ଚାଲିଛିି। କିନ୍ତୁ ଦଳର ଯେଭଳି ବ୍ୟାଟିଂକ୍ରମ ରହିଛି ତାହା କୌଣସି ବିଜୟ ଲକ୍ଷ୍ୟକୁ ବି ପଛରେ ପକାଇ ପାରିବ। ସ୍ଥିର ତଥା ସଂଗତିପୂର୍ଣ୍ଣ ପ୍ରଦର୍ଶନ ନି ମିଳିବା ସେମାନଙ୍କ ପାଇଁ ସମସ୍ୟା ରହିଛି। ପାଳି ପ୍ରାରମ୍ଭ ଏବଂ ଶୀର୍ଷକ୍ରମରେ ମଧ୍ୟ ଭଲ ଆରମ୍ଭ ମିଳୁ ନାହିଁ। ଏବି ଡି’ଭିଲିୟର୍ସ ବଲ୍‌କୁ ମଧୁର ସ୍ୱପ୍ନ ଭଳି ପ୍ରହାର କରୁଛନ୍ତି। ନିଜର ପ୍ରଶଂସାଯୋଗ୍ୟ ବ୍ୟାଟିଂ ବଳରେ ସେ ପ୍ରତିପକ୍ଷଙ୍କୁ ଉଡ଼ାଇ ଦେଇପାରନ୍ତି। ଦଳର ଏକମାତ୍ର ଚିନ୍ତା ହେଉଛି ଅନ୍ତିମ ଓଭର ଗୁଡ଼ିକରେ ବୋଲିଂ। ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଭୟଙ୍କର ବ୍ୟାଟସମ୍ୟାନ୍‌ଙ୍କ ବିପକ୍ଷରେ କୋରି ଆଣ୍ଡରସନ୍‌ଙ୍କୁ ଶେଷ ଓଭର ବୋଲିଂ ଦେବା ଚତୁର ଚାଲ୍‌ ନ ଥିଲା। ସେ ଏଇ ମାତ୍ର ବୋଲିଂ ଆରମ୍ଭ କରିଛନ୍ତି ଏବଂ ଆହତ ସମସ୍ୟାରୁ ଫେରିଥିବାରୁ ସ୍ଲଗ୍‌ ଓଭରରେ ବୋଲିଂ ଲାଗି ଆତ୍ମବିଶ୍ୱାସରେ ନ ଥିଲେ। ଏହି କାରଣରୁ ବାଙ୍ଗାଲୋର୍‌ ଜିତିବା ମ୍ୟାଚ୍‌ ହାରିଗଲା।
ରବିବାର ଉଭୟ ଆର୍‌ସିବି ଏବଂ କେକେଆର୍‌ ବିଜୟ ଲୟକୁ ଫେରିବାକୁ ଚାହିଁବେ। ନିଜ ନିଜ ଗତ ମ୍ୟାଚ୍‌ରେ ବଡ଼ ପରାଜୟ ବରଣ କରିଛନ୍ତି। ଉଭୟ ଦଳରେ ପ୍ରଭାବୀ ଖେଳାଳି ଥିବାରୁ ଏହି ମୁକାବିଲା ରୋମାଞ୍ଚଭରା ରହିବାର ପ୍ରତିଶ୍ରୁତି ରଖୁଛି। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର