ଶ୍ରେଷ୍ଠ ଗୁରୁ ହରିହରଙ୍କ ସହ ୫ ସମ୍ମାନିତ

ଏମ୍‌ବି ସ୍ମାରକୀ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର: ଗୁରୁ ଶିଷ୍ୟ ପରମ୍ପରାକୁ ଆଗକୁ ନେବା ଲକ୍ଷ୍ୟରେ ମୁକୁନ୍ଦ ବରାଳ ମେମୋରିଆଲ୍‌ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କ୍ରୀଡ଼ା ପ୍ରତିଭା ସମ୍ମାନ ଏଥର ମୋଟ ୬ ଜଣଙ୍କୁ ମିଳିଛି। ସ୍ୱର୍ଗତ ବରାଳଙ୍କ ଶିଷ୍ୟ ହରିହର ସିଂହଙ୍କୁ ଏମ୍‌ବି ସ୍ମାରକୀ ଶ୍ରେଷ୍ଠ କ୍ରୀଡ଼ାଗୁରୁ ସମ୍ମାନ ମିଳିଥିବାବେଳେ ୫ ଉଦୀୟମାନ ପ୍ରତିଭାଙ୍କୁ ସମ୍ବର୍ଧିତ କରାଯାଇଛି। ଏସୀୟ ଶକ୍ତିଉତ୍ତୋଳନ ସ୍ୱର୍ଣ୍ଣ ବିଜୟିନୀ ତଥା ଜଣାଶୁଣା କରାଟେକା ଅନୁପମା ସ୍ୱାଇଁ, ସ୍କୁଲ ଗେମ୍ସରେ ଖେଳିଥିବା ଫୁଟ୍‌ବଲର୍‌ ଫରନାମ ଫିରଦୋସ୍‌, ଜାତୀୟ ବିଦ୍ୟାଳୟ ଭାରୋତ୍ତୋଳନରେ କାଂସ୍ୟ ବିଜୟିନୀ ମୋତି ଜାନି, ଜାତୀୟ ଉପକନିଷ୍ଠ ଜୁଡ଼ୋରେ ସ୍ୱର୍ଣ୍ଣ ବିଜୟିନୀ ସଲ୍‌ମା ମୁର୍ମୁ ଏବଂ ଜାତୀୟ ଓ ଦକ୍ଷିଣ ଏସୀୟ କ୍ରୀଡ଼ା କନିଷ୍ଠ ବର୍ଗରେ ପଦକ ବିଜୟିନୀ ଧାବିକା ପ୍ରଜ୍ଞା ପ୍ରଶାନ୍ତି ସାହୁଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ ପୂର୍ବକ ଏମ୍‌ବି ମେମୋରିଆଲ୍‌ କ୍ରୀଡ଼ା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି। ଶନିବାର ସଂଧ୍ୟାରେ ଜୟଦେବ ଭବନଠାରେ ମ୍ୟାନେଜିଂ ଟ୍ରଷ୍ଟି ପୀୟୂଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଓଟିଡିସି ଅଧ୍ୟକ୍ଷ ଦିଲୀପ ତିର୍କି, ବିଧାୟକ ପ୍ରିୟଦର୍ଶି ମିଶ୍ର, ଅଭିନେତା ସବ୍ୟସାଚୀ ମିଶ୍ର, ଆଇନଜୀବୀ ପ୍ରଦୀପ୍ତ କୁମାର ବର୍ମା, ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ, ମା’ ଶୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ହରିପ୍ରସାଦ ପଟ୍ଟନାୟକ, ମୁକୁନ୍ଦ ବରାଳଙ୍କ ସୁପୁତ୍ର ନବକିଶୋର ବରାଳ, କୈବଲ୍ୟ ବରାଳ, ଗୌରୀଶଙ୍କର ମିଶ୍ର, ଦିଲ୍ଲୀପ କୁମାର ଦାସ, ଜଗନ୍ନାଥ ପ୍ରଧାନ, ସନ୍ତୋଷ ପ୍ରଧାନ, ମନୋରଂଜନ ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର