ଅଭାବ ଅନାଟନରେ ଜୀବନ କଟିଥିଲା। ଆଦ୍ୟ ଗୁରୁ ଚିତ୍ତରଞ୍ଜନ ମହାପତ୍ରଙ୍କ ପ୍ରେରଣାରେ ଖେଳକୁ ଆସିଥିଲି। ଏବେକାର ଗୁରୁ ନାଗପୁରୀ ରମେଶଙ୍କ ମାର୍ଗଦର୍ଶନରେ ସଫଳତାର ସିଡ଼ି ଚଢ଼ିିଛି। ବଡ଼ ଉଉଣୀ ସରସ୍ୱତୀ ଚାନ୍ଦଙ୍କୁ ମଧ୍ୟ ମୁଁ ମୋ ଅନ୍ୟତମ ଗୁରୁ ବୋଲି ଭାବେ। ଏଠାରେ ମୋ ଗାଁର ଅନେକ ଗରିବ ବୁଣାକାର ଭାଇ ଭଉଣୀ ଅଛନ୍ତି। ସେମାନଙ୍କ ଜୀବନ ଖେଳାଳି ଜୀବନ ସହ ପ୍ରାୟ ସମାନ। ଜଣେ ଖେଳାଳି ଭଳି ସେମାନେ ଭୋର ୪ଟାରୁ ଉଠି ରାତି ୧୦ଟା ପର୍ଯ୍ୟନ୍ତ କଠିନ ପରିଶ୍ରମ କରନ୍ତି। ତନ୍ତ ବୁଣିଲା ବେଳେ ସେମାନଙ୍କ ହାତ, ପାଦ ଓ ଆଖି ସହ ମସ୍ତିସ୍କ ମଧ୍ୟ ଚାଲିଥାଏ। ଟିକିଏ ଭୁଲ ହେଲେ ସୁତା ଅଡୁଆ ହୋଇଯାଏ। ମୋ ପରିଶ୍ରମକୁ କେବଳ ସେମାନେ ହିଁ ବୁଝି ପାରିବେ। ମୋ ମା’କୁ ମୁଁ ଏଭଳି କଠିନ ପରିଶ୍ରମ କରିଥିବାର ଦେଖିଛି। ମୋ ପ୍ରଶିକ୍ଷକ ମୋତେ ସବୁବେଳେ କୁହନ୍ତି, ତୁ ଏମିତି ଏକ କଥା ଭାବନା କର, ଯାହା ତତେ ସାହାସ ଦେବ। ସେତେବେଳେ ମୁଁ ମୋ ମା’ କଥା ଭାବେ। ସେ କେମିତି, ରାତି ୧୦ଟା ପର୍ଯ୍ୟନ୍ତ ତନ୍ତ ବୁଣୁଥାଏ, ସେକଥା ମନେ ପଡ଼ିଯାଏ। କଷ୍ଟ ହେଉଥିଲେ ବି ଆହୁରି ପରିଶ୍ରମ କରିବାରେ ଲାଗିପଡ଼େ। ମୋ ବାପା-ମା’ ବହୁତ କଷ୍ଟ କରିଛନ୍ତି। ଭଗବାନଙ୍କ ଆଶୀର୍ବାଦରୁ ଆଜି ମୁଁ ସେମାନଙ୍କ ପାଇଁ କିଛି କରି ପାରିଛି। ଆପଣମାନଙ୍କ ଭଲ ପାଇବା, ଆଶୀର୍ବାଦ ଏବଂ ସମର୍ଥନ ଥିଲେ ମୁଁ ନିଶ୍ଚିତ ଭାବେ ଆହୁରି ଆଗକୁ ବଢ଼ିବି ବୋଲି ଦୌଡ଼ରାଣୀ ଦୂତି ଚାନ୍ଦ ସୋମବାରର ସମ୍ବର୍ଧନା ଉତ୍ସବରେ ଆବେଗଭରା କଣ୍ଠରେ କହିଥିଲେ। ସେହିଭଳି ଖେଳାଳି ଜୀବନରେ ପ୍ରତିଭା ଭଳି ଅର୍ଥର ମଧ୍ୟ ଢେର ଗୁରୁତ୍ୱ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୋତେ ଆଗକୁ ବଢ଼ିବାକୁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବହୁତ ସାହାଯ୍ୟ କରିଛନ୍ତି। ସାର୍ ଦେଇଥିବା ପ୍ରଥମ ଜୋତାରେ ଦୌଡ଼ି ମୁଁ ସଫଳତା ପାଇଥିଲି। ସେହିଭଳି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ୩ କୋଟିର ଆର୍ଥିକ ପୁରସ୍କାର ଦେଇଛନ୍ତି। ଏହା ମୋତେ ଆଗକୁ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ନେବାରେ ବହୁତ ସହାୟକ ହେବ। ପିଲାଦିନେ ମୋତେ ଦୌଡ଼ିବା ଛାଡ଼ି, କ୍ରିକେଟ୍ ଖେଳିବାକୁ ଅନେକ ଲୋକ କହୁଥିଲେ। ଦୌଡ଼ିଲେ କିଛି ହେବ ନାହିଁ ବୋଲି ସେମାନେ କଟାକ୍ଷ କରୁଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପରେ ଅନ୍ୟ ଖେଳରୁ ବି ଜଣେ ଖେଳାଳି ଧନୀ ହୋଇ ପାରିବ ବୋଲି ପ୍ରମାଣିତ ହୋଇଛି ବୋଲି ଦୂତି ଏହି ଅବସରରେ ପ୍ରକାଶ କରିଥିଲେ। ଉପସ୍ଥିତ ଅତିଥିଙ୍କ ସହ ଓଡ଼ିଶାର ସାଢ଼େ ଚାରିକୋଟି ଜନତାଙ୍କୁ ସେମାନଙ୍କ ସମର୍ଥନ ଓ ଭଲ ପାଇବା ପାଇଁ ସେ ଧନ୍ୟବାଦ ଦେଇଥିଲେ।