‘ପଦ୍ମ ଭୂଷଣ’ ପୁରସ୍କାର ଗ୍ରହଣ କରିବାକୁ ସେନା ବେଶରେ ଚାଲିଲେ ଏମ୍‌.ଏସ୍‌. ଧୋନି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ସ୍ନୋକର/ବିଲିୟାର୍ଡରେ ବିଶ୍ୱ ବିଜେତା ପଙ୍କଜ ଆଡଭାନୀ ଦେଶର ୩ୟ ମର୍ଯ୍ୟାଦାଜନକ ପୁରସ୍କାର ‘ପଦ୍ମ ଭୂଷଣ’ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଭବ୍ୟ ସମାରୋହରେ ସୋମବାର ଉଭୟ ଖେଳାଳି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଧୋନି ସମାରୋହକୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ୟୁନିଫର୍ମରେ ଜଣେ ସେନା କର୍ମଚାରୀ ବେଶରେ ଆସିଥିଲେ। ସେନା ବେଶରେ ପୁରସ୍କାର ଗ୍ରହଣ କରିବା ସମୟରେ ଉପସ୍ଥିତ ବିଜ୍ଞମଣ୍ଡଳୀ ଧୋନିଙ୍କ ଆଡ଼କୁ ନଜର ପକାଇଥିଲେ। ଧୋନିଙ୍କ ନେତୃତ୍ୱରେ ଭାରତ ତା’ର ୨ୟ ବିଶ୍ୱ କପ୍‌ ୨୦୧୧ରେ ଚମ୍ପିଅନ୍‌ ହୋଇଥିଲା।

ଘୋଷଣାର ୭ ବର୍ଷ ପରେ ଧୋନି ଏହି ପୁରସ୍କାର ଗ୍ରହଣ କରିଛନ୍ତି। ୨୦୧୧ ଏପ୍ରିଲ ୨ରେ ଭାରତ ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିିୟମରେ ବିଶ୍ୱ କପ୍‌ ଚମ୍ପିଅନ୍‌ ହୋଇଥିଲା।

କପିଳ ଦେବଙ୍କ ପରେ ୩୭ ବର୍ଷିଅ ଧୋନି ହେଉଛନ୍ତି ୨ୟ ଭାରତୀୟ ଅଧିନାୟକ, ଯାହାଙ୍କ ନେତୃତ୍ୱରେ ଭାରତ ୨ୟ ଥର ପାଇଁ ବିଶ୍ୱ କପ୍‌ରେ ଚମ୍ପିଅନ୍‌ ହୋଇଥିଲା। ୨୦୦୮ ଓ ୨୦୦୯ରେ ଆଇସିସି ଓଡିଆଇ ଖେଳାଳିରେ ବାର୍ଷିକ ପୁରସ୍କାର, ୨୦୦୭ରେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର, ୨୦୦୯ରେ ଭାରତର ୪ର୍ଥ ସର୍ବୋର୍ଚ୍ଚ ନାଗରିକ ପୁରସ୍କାର ସହିତ ଧୋନିଙ୍କୁ ଅନେକ ପୁରସ୍କାର ମିଳିଛି।

ଧୋନିଙ୍କ ଭଳି ସ୍ନକର/ବିଲିୟାର୍ଡ ଖେଳାଳି ପଙ୍କଜ ଆଡ଼ଭାନୀଙ୍କୁ ମଧ୍ୟ ପଦ୍ମ ଭୂଷଣ ପୁରସ୍କାର ମିଳିଛି। ସେ ୨୦୦୬ ଦୋହା ଓ ୨୦୧୦ ଗୁଆନଜୁରେ ଅନୁଷ୍ଠିତ ଏସିୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର