ମୁମ୍ବାଇ ଯୁବ କ୍ରିକେଟର୍‌ ୩ ବର୍ଷ ନିଲମ୍ବିତ

ମୁମ୍ବାଇ: ଡ୍ରେସିଂ ରୁମ୍‌ରେ ସାଥୀ ଖେଳାଳିଙ୍କ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ମୁମ୍ବାଇର ଯୁବ କ୍ରିକେଟର୍‌ ମୁସିର୍‌ ଖାନ୍‌ ୩ ବର୍ଷ ପାଇଁ ନିଲମ୍ବିତ ହୋଇଛନ୍ତି। ମୁସିର୍‌ ମୁମ୍ବାଇ ୧୬ ବର୍ଷରୁ କମ୍‌ ଦଳର ନେତୃତ୍ବ ନେଇଥିଲେ। ସେ ଜଣେ ବାମହାତୀ ସ୍ପିନର ମଧ୍ୟ। ମୋଟାମୋଟି ନିଜ ବୟସ ବର୍ଗରେ ମୁସିର୍‌ ଜଣେ ଦକ୍ଷ ଖେଳାଳି। ଗତ ଡିସେମ୍ବରରେ ଏକ ସର୍ବଭାରତୀୟ ପ୍ରତିଯୋଗିତା ବେଳେ ଏହି ୧୪ ବର୍ଷ ବୟସ୍କ ଅଲ୍‌ରାଉଣ୍ଡର ଦଳର ଜଣେ ସାଥୀ ଖେଳାଳିଙ୍କୁ ପ୍ୟାଣ୍ଟ୍‌ ଖୋଲି ଅଭଦ୍ରାମି ବ୍ୟବହାର ଦେଖାଇଥିଲେ। ସେ ନାବାଳକ ଥିବାରୁ ତାଙ୍କ ଖରାପ କାର୍ଯ୍ୟ ସଂପର୍କରେ ଅଧିକ ପ୍ରଘଟ ନକରିବାକୁ ମୁମ୍ବାଇ କ୍ରିକେଟ୍‌ ସଂଘ ଚାହିଁଛି। ତଥାପି ସାଥୀ ଖେଳାଳିଙ୍କଠୁ ଅଭିଯୋଗ ପାଇବା ପରେ ତାଙ୍କର କଦର୍ଯ୍ୟ କାର୍ଯ୍ୟକାଳପ ପାଇଁ ଗୁରୁବାର ସଂଘ ତାଙ୍କୁ ୩ ବର୍ଷ ନିଲମ୍ବିତ କରିଛି। ମୁସିର୍‌ଙ୍କ ଉପରେ ନିଲମ୍ବନ ୨୦୨୨ ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। କୌଣସି ଯୌନ କେଳେଙ୍କାରି ଅବରାଧରେ ଦଣ୍ଡିତ ହେବାରେ ମୁସିର୍‌ ଭାରତର ପ୍ରଥମ ଖେଳାଳି ବୋଲି ମୁମ୍ବାଇ ସଂଘ କହିଛି। ମୁସିର୍‌ଙ୍କୁ ପକ୍ଷ ରଖିବା ପାଇଁ ସଂଘ ସୁଯୋଗ ଦେଇଛି। ଅଭିଯୁକ୍ତ ମୁସିର୍‌ ୨୦୧୩ରେ ପୃଥ୍ବୀ ସ’ଙ୍କ ସହ ମିଶି କିମ୍ବଦନ୍ତୀ କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକରଙ୍କ ହାତରୁ ସ୍ବତନ୍ତ୍ର ପୁରସ୍କାର ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର