ଫେଡେରର୍‌ଙ୍କୁ ଫିକା କଲେ ସିସିପାସ୍‌: ସିଲିକ୍‌, କର୍ବର, ସାରାପୋଭା ବିଦା

କ୍ବାର୍ଟର୍‌ରେ ନାଦାଲ, କ୍ବିତୋଭା

ମେଲ୍‌ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ରବିବାର ଏକାଧିକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପୁରୁଷ ଏକକରେ ତୃତୀୟ ମାନ୍ୟତା ତଥା ବିଜେତା ‌ରୋଜର ଫେଡେରର୍‌ ଓ ଷଷ୍ଠ ମାନ୍ୟତା ମାରିନ୍‌ ସିଲିକ୍‌ଙ୍କ ସହ ମହିଳା ଏକକରେ ଦ୍ବିତୀୟ ମା‌ନ୍ୟତା ଆଞ୍ଜେଲିକ୍‌ କର୍ବର ଏବଂ ୫ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ମାରିଆ ସାରାପୋଭା ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରୁ ବିଦାୟ ନେଇଛନ୍ତି। ତେବେ ପୁରୁଷ ଏକକରେ ଦ୍ବିତୀୟ ମାନ୍ୟତା ରାଫେଲ୍‌ ନାଦାଲ ଏବଂ ମହିଳା‌ରେ ଅଷ୍ଟମ ମାନ୍ୟତା ପେଟ୍ରା ‌କ୍ବିତୋଭା ସହଜ ବିଜୟ ସହ କ୍ବାର୍ଟର୍‌ ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ୨୦ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ତଥା ସ୍ବିଜରଲାଣ୍ଡ ତାରକା ଫେଡେରର୍‌ଙ୍କୁ ୬-୭, ୭-୬, ୭-୫, ୭-୬ ସେଟ୍‌ରେ ଗ୍ରିସ୍‌ର ୨୦ ବର୍ଷୀୟ ଯୁବକ ଷ୍ଟିଫାନୋସ ସିସିପାସ୍‌ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ଫଳରେ ଗତ ଦୁଇ ଥର ବିଜେତା ହୋଇଥିବା ଫେଡେରର୍‌ ହ୍ୟାଟ୍ରିକ୍‌ ମୁକୁଟ ହାସଲରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଫେଡେରର୍‌ଙ୍କୁ ବିଦା କରିଦେଇଥିବା ଚର୍ତୁଦଶ ମାନ୍ୟତା ସିସିପାସ ପ୍ରଥମ ଗ୍ରିସ୍‌ ଖେଳାଳି ଭାବେ ଗ୍ରାଣ୍ଡ୍‌ ସ୍ଲାମ୍‌ର କ୍ବାର୍ଟର୍‌ ଫାଇନାଲ୍‌ ଖେଳିବାକୁ ‌ଯୋଗ୍ୟତା ଅର୍ଜନ କରିଛନ୍ତି। କ୍ବାର୍ଟର୍‌ ଫାଇନାଲ୍‌ରେ ସେ ଦ୍ବିବିଂଶ ମନ୍ୟତା ସ୍ପେନ୍‌ର ରବର୍ଟୋ ବତିସ୍ତା ଅଗୁଟ୍‌ଙ୍କୁ ଭେଟିବେ। ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ଅଗୁଟ୍‌ ୬-୭, ୬-୩, ୬-୨, ୪-୬, ୬-୪ ସେଟ୍‌ରେ ପୂର୍ବ ଫାଇନାଲି‌ଷ୍ଟ କ୍ରୋଏସିଆର ସିଲିକ୍‌ଙ୍କୁ ମାତ୍‌ ଦେଇ ପ୍ରଥମ ଥର ଲାଗି କ୍ବାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ‌୧୭ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜେତା ସ୍ପେନ୍‌ର ନାଦାଲ ସିଧାସଳଖ ୬-୦, ୬-୧, ୭-୬ ସେଟ୍‌ରେ ଚେକ୍‌ଗଣରାଜ୍ୟର ଥୋମାସ ବର୍ଡିଚ୍‌ଙ୍କୁ ହରାଇ ଥିଲେ। କ୍ବାର୍ଟର୍‌ରେ ନାଦାଲ ଆମେରିକାର ଫ୍ରାନ୍‌ସିସ୍‌ ତିଆଫୋଏଙ୍କୁ ଭେଟିବେ। ନିଜର ୨୧ତମ ଜନ୍ମ ଦିନରେ ଅଣମାନ୍ୟତା ତିଆଫୋଏ ୭-୫, ୭-୬, ୬-୭, ୭-୫ ସେଟ୍‌ରେ ବିଂଶ ମାନ୍ୟତା ବୁଲ୍‌ଗେରିଆର ଗ୍ରି‌ଗୋର୍‌ ଦିମିତ୍ରୋଭଙ୍କୁ ମାତ୍‌ ଦେଇଥିଲେ। ଫଳରେ ଶେଷ ଆମେରିକୀୟ ପୁରୁଷ ଖେଳାଳି ଭାବେ ତିଆଫୋଏ ଏହି ପ୍ରତିଯୋଗିତାରେ ତିଷ୍ଠି ରହିଛନ୍ତି। ମହିଳା ଏକକରେ ଅଣମାନ୍ୟତା ଆମେରିକାର ଡାନିଏଲ୍‌ ରୋଜ୍‌ କଲିନ୍‌ ସିଧାସଳଖ ୬-୦, ୬-୨ ସେଟ୍‌ରେ ୨୦୧୬ ବିଜୟିନୀ ଜର୍ମାନିର ଆଞ୍ଜେଲିକ୍‌ କର୍ବର୍‌ଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଥିଲେ। ପ୍ରଥମ ଥର ଲାଗି ଏଠାରେ କ୍ବାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିବା କଲିନ୍‌ ରୁଷିଆର ଆନାସ୍ତେସିଆ ପାଭ୍‌ଲ୍ୟୁଚେଙ୍କୋଭାଙ୍କୁ ଭେଟିବେ। ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ପଞ୍ଚମ ମାନ୍ୟତା ଷ୍ଟିଫେନ୍ସଙ୍କୁ ୬-୬, ୬-୩ ଓ ୬-୩ ସେଟ୍‌ରେ ରୁଷିଆର ଆନାସ୍ତେସିଆ ପାଭ୍‌ଲ୍ୟୁଚେଙ୍କୋଭା ପରାସ୍ତ କରିଥିଲେ। ସେହିଭଳି ଦୁଇ ଥର ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ ଚେକ୍‌ ଗଣରାଜ୍ୟର କ୍ବିତୋଭା ୬-୨, ୬-୧ ସେଟ୍‌ରେ ଆମେରିକାର ଆମନ୍ଦା ଆନିସିମୋଭାଙ୍କୁ ହରାଇଥିଲେ। କ୍ବାର୍ଟର୍ ଫାଇନାଲ୍‌ରେ କ୍ବିତୋଭା ପଞ୍ଚଦଶ ମାନ୍ୟତା ଆସ‌ିଲେ ବାର୍ତିଙ୍କୁ ଭେଟିବେ। ଅଷ୍ଟ୍ରେଲିଆର ବାର୍ତି ୪-୬, ୬-୧, ୬-୪ ସେଟ୍‌ରେ ୩୦ ମାନ୍ୟତା ରୁଷିଆର ସାରାପୋଭାଙ୍କୁ ପରାଜିତ କରିଥି‌ଲେ।

ସମ୍ବନ୍ଧିତ ଖବର