ନାଡାକୁ ଚିଠି ଲେଖିଲେ ଜୋହରି

ନୂଆଦିଲ୍ଲୀ: ନ୍ୟାସନାଲ୍ ଡୋପ୍‌ ଟେଷ୍ଟିଂ ଲାବରଟୋରି (ଏନ୍‌ଡିଟିଏଲ୍‌)କୁ ୱାର୍ଲଡ ଆଣ୍ଟି ଡୋପିଂ ଏଜେନ୍‌ସି (ୱାଡା) ୬ ମାସ ପାଇଁ ନିଲମ୍ବିତ କରିବା ପରିପ୍ରେକ୍ଷୀରେ ବିସିସିଆଇ ଜଟିଳ ପରିସ୍ଥିତିରେ ପଡ଼ିଯାଇଛି। ଏବେ ଏବେ ନାଡ଼ା ଅଧୀନକୁ ଆସିଥିବା ବିସିସିଆଇ ପକ୍ଷରୁ ଏହ‌ାର ସିଇଓ ରାହୁଲ ଜୋହରି ନାଡ଼ା (ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍‌ସି)କୁ ପତ୍ର ଲେଖି କେତେକ ସ୍ପଷ୍ଟୀକରଣ ମାଗିଛନ୍ତି। ନିଲମ୍ବନ ସମୟ ମଧ୍ୟରେ ଘରୋଇ ପ୍ରତିଯୋଗିତା ଗୁଡ଼ିକରୁ କିଭଳି ନମୁନା ସଂଗ୍ରହ ଏବଂ ପରୀକ୍ଷା କରାଯିବ ଉତ୍ତର ମାଗିଛନ୍ତି। ନାଡ଼ାର ନମୂନା ସଂଗ୍ରହ ଏବଂ ବିସିସିଆଇ ଘରୋଇ ପ୍ରତିଯୋଗିତା କିଭଳି ପ୍ରଭାବିତ ହେବ ଜାଣିବାକୁ ଚାହିଁଛନ୍ତି ଜୋହରି। ଏନଡିଟିଏଲ୍ ଏବେ ଖେଳାଳିଙ୍କ ଡୋପ୍ ଟେଷ୍ଟ୍ କରିବାର ନ ଥିବାରୁ କ୍ରିକେଟରଙ୍କ ନମୁନାର ସମୀକ୍ଷା କିଭଳି ହେବ ଜୋହରି ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ବର୍ଷ ବର୍ଷ ଧରି ମନା କରିବା ପରେ ବିସିସିଆଇ ନାଡ଼ା ଅଧୀନକୁ ଆସିଥିଲା। କିନ୍ତୁ ଏଭଳି ସମୟରେ ସାମିଲ ହୋଇଛି ଯେତେବେଳେ ଏହାର ପରୀକ୍ଷା କେନ୍ଦ୍ର ଏନଡିଟିଏଲ୍‌ ବିଶ୍ବସ୍ତରୀୟ ବ୍ୟବସ୍ଥା ନଥିବା ଅଭିଯୋଗରେ ୱାଡାଦ୍ବାରା ନିଲମ୍ବିତ ହୋଇଛି। ଏବେ ୱାଡ଼ା ନମୁନା ସଂଗ୍ରହ କଲେ ବି ପରୀକ୍ଷା ପାଇଁ ବିଦେଶ ଉପରେ ନିର୍ଭର କରିବ। ଏହା ବ୍ୟହବହୁଳ ହୋଇଥିବାରୁ ଭାରତର ଅଲିମ୍ପିକ୍ ଅଭିଯାନକୁ ଶକ୍ତ ଝଟକା ଲାଗିଛି।

 

ସମ୍ବନ୍ଧିତ ଖବର