ଜାତୀୟ ଟେନିସବଲ୍ କ୍ରିକେଟ୍: ଓଡ଼ିଶା ବିଜେତା

ବ୍ରହ୍ମପୁର: ମହାରାଷ୍ଟ୍ରର ନାଗପୁର ଠାରେ ଅନୁ‌ଷ୍ଠିତ ୨୩ତମ ଜାତୀୟ ଉପ ‌କନିଷ୍ଠ ଟେନିସ୍‌ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ଦଳ ବିଜେତା ହୋଇଛି। ଦିବ୍ୟପ୍ରକାଶ ସାହୁ ଏବଂ ରାହୁଲ ମୁଖିଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦ୍ବାରା ଫାଇନାଲରେ ଓଡ଼ିଶା ଶକ୍ତିଶାଳୀ ଉତ୍ତରପ୍ରଦେଶକୁ ୮ୱିକେଟରେ ପରାସ୍ତ କରି ଏହି ସଫଳତା ହାସଲ କରିଛି। ପ୍ରବନ୍ଧକ ରଂଜନ କୁମାର ନାୟକ, ପ୍ରଶିକ୍ଷକ ଚକ୍ରଧର ମାଝୀଙ୍କ ନେତୃତ୍ବରେ ଯାଇଥିବା ଏହି ଓଡ଼ିଶା ଦଳ ଲିଗ୍‌ରେ କର୍ଣ୍ଣାଟକକୁ ୪୩ରନ୍‌ରେ, ପ୍ରିକ୍ବାର୍ଟରରେ ଦିଲ୍ଲୀକୁ ୫ୱିକେଟରେ, କ୍ବାର୍ଟରରେ ଜମ୍ମୁ କଶ୍ମୀରକୁ ୧୦ରନ୍‌ରେ ଏବଂ ସେମିଫାଇନାଲରେ ବିହାରକୁ ୧୦ରନ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲ୍‌ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଉତ୍ତରପ୍ରଦେଶ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୬ୱିକେଟ୍‌ ହରାଇ ୬୯ରନ୍ ସଂଗ୍ରହ କରିଥିଲା। ଦିବ୍ୟପ୍ରକାଶ ୩ଟି ଏବଂ ରାହୁଲ ମୁଖି ୨ଟି ୱିକେଟ ଅକ୍ତିଆର କରିଥିଲେ। ପରେ ଓପନିଂ ବ୍ୟାଟିଂ କରିବାକୁ ଆସି ଦିବ୍ୟପ୍ରକାଶ ୩୨ ରନ୍ ଏବଂ ରାହୁଲ ମୁଖି୨୭ରନ୍ ସଂଗ୍ରହ କରିବା ସହ ଓଡ଼ିଶା ୬.୨ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦିବ୍ୟପ୍ରକାଶ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ସଫଳତା ପାଇଁ ବିଜେତା ଦଳକୁ ଓଡ଼ିଶା ଟେନିସ୍‌ବଲ୍ କ୍ରିକେଟ୍ ସଂଘ ଅଧ୍ୟକ୍ଷ ମନୋରଂଜନ ମହାପାତ୍ର, ସମ୍ପାଦକ ଶିଥିଲ୍ କୁମାର ପଣ୍ଡା, କୋଷାଧ୍ୟକ୍ଷ ଅଶୋକ ଦାସ, ଯୁଗ୍ମ ସହ ସମ୍ପାଦକ ସୋମନାଥ ପରିଡ଼ା, ସଂଜୟ କୁମାର ବିଷୋୟୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର