ଖେଳରତ୍ନ ପାଇଁ ନୀରଜଙ୍କ ନାମ ସୁପାରିସ:ଦ୍ରୋଣାଚାର୍ଯ୍ୟ ସୁପାରିସ ତାଲିକାରେ ଓଡ଼ିଶାର ସଞ୍ଜୟ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜାଭେଲିନ୍‌ ଥ୍ରୋ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ନାମ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳରତ୍ନ ପାଇଁ ସୁପାରିସ କରାଯାଇଛି। ଭାରତୀୟ ଦୌଡ଼କୁଦ ସଂଘ ଶୁକ୍ରବାର ଏହି ସୁପାରିସ କରିଛି। ୨୦୧୬ ବିଶ୍ୱ କନିଷ୍ଠ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିବା ୨୦ ବର୍ଷ ବୟସ୍କ ନୀରଜଙ୍କ ନାମକୁ ମଧ୍ୟ ଭାରତୀୟ ଦୌଡ଼କୁଦ ସଂଘ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ଅନ୍ୟପକ୍ଷରେ ଜାଭେଲିନ୍‌ ଫିଙ୍ଗାଳି ଅନୁ ରାଣୀ ଏବଂ ୪ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତା ଡିସ୍‌କସ୍‌ ଫିଙ୍ଗାଳି ସୀମା ଅନ୍ତିଲ ପୂନିଆଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସଂଘ ସୁପାରିସ କରିଛି। ୨୦୧୪ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ସୀମାଙ୍କ ନାମ ପୂର୍ବରୁ ୨୦୧୫ରେ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଥିଲେ ମଧ୍ୟ ପୁରସ୍କାର ସମିତି ଡୋପ୍‌ କଳଙ୍କ ଯୋଗୁଁ ତାଙ୍କ ନାମ ବିଚାରକୁ ନେଇନଥିଲା।

ଏବେ କିନ୍ତୁ ସେ ପୂରା ଦାବିଦାର ବୋଲି ଭାରତୀୟ ଦୌଡ଼କୁଦ ସଂଘର ଅର୍ଜୁନ ପୁରସ୍କାର ସୁପାରିସ ସମିତି ଅଧ୍ୟକ୍ଷ ବାହାଦୁର ସିଂହ କହିଛନ୍ତି। ଭାରତୀୟ ଦୌଡ଼କୁଦ ସଂଘ ମଧ୍ୟ କିମ୍ବଦନ୍ତୀ ଧାବିକାରୁ ପ୍ରଶିକ୍ଷିକା ପାଲଟି ଯାଇଥିବା ପିଟି ଉଷା ଏବଂ ଭାରତୀୟ ଯୁବ ଦଳର ପ୍ରଶିକ୍ଷକ ତଥା ଅନ୍ୟତମ ଓଡ଼ିଆ ଗୁରୁ ସଞ୍ଜୟ ଗଡ଼ନାଏକଙ୍କ ନାମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିସ କରିଛି। ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଗି ସୁପାରିସ ହେବାରେ ସଞ୍ଜୟ ପ୍ରଥମ ଓଡ଼ିଆ ଦୌଡ଼କୁଦ ପ୍ରଶିକ୍ଷକ ହୋଇଛନ୍ତି। ଗତବର୍ଷ ପ୍ରଥମ ଓଡ଼ିଆ ଭାବେ ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ବ୍ରଜଭୂଷଣ ମହାନ୍ତି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିଲେ। ଏମାନଙ୍କ ବ୍ୟତୀତ ସଂଘ ବବି ଆଲୋସିୟସ୍‌, କୁଲ୍‌ଦୀପ୍‌ ସିଂହ ଭୁଲାର ଓ ଜାତା ଶଙ୍କରଙ୍କ ନାମ ମଧ୍ୟ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିସ କରିଥିଲା ବେଳେ ଆଜୀବନ ଅବଦାନ ପୁରସ୍କାର ପାଇଁ ଟିପି ଓସେଫ୍‌ଙ୍କ ନାମ ସୁପରିସ କରିଛି।

ସମ୍ବନ୍ଧିତ ଖବର