ତାମିଲନାଡୁ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ବଡିବିଲ୍ଡିଙ୍ଗ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସୁସ୍ମିତାଙ୍କୁ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର: ଓଡ଼ିଆ ଝିଅ ସୁସ୍ମିତା ସାହୁ ତାମିଲନାଡୁ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ବଡିବିଲ୍ଡିଙ୍ଗ ପ୍ରତିଯୋଗିତାରେ ରବିବାର ସ୍ୱର୍ଣ୍ଣ ପଦକ ହାସଲ କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ସୁସ୍ମିତାଙ୍କୁ ସମାରୋହର ମୁଖ୍ୟ ଅତିଥି ଜେ.ପି ସାମୁଏଲ (୨ ଆଇ/ସି ଡିଆଜିପି ଚେନ୍ନାଇ ରେଞ୍ଜ) ଟ୍ରଫି ସହିତ ପ୍ରମାଣପତ୍ର ଦେଇ ପୁରସ୍କୃତ କରିଛନ୍ତି। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଦ୍ଭୁତପୂର୍ଣ୍ଣ ସଫଳତା ପରେ ସୁସ୍ମିତା ଆଗାମୀ ଫେବ୍ରୁଆରିରେ ଚଣ୍ଡିଗଡ଼ରେ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ପ୍ରସ୍ତୁତି କରି ଦେଇଛନ୍ତି।

ସୂଚନାଯୋଗ୍ୟ ତିର୍ଚି ଇଞ୍ଜିନୟରିଂ କଲେଜ ପରିସରେ ଅନୁଷ୍ଠିତ ଜୋନାଲ ୱେଟ୍‌ ଲିଫ୍ଟିଙ୍ଗ ପ୍ରତିଯୋଗିତାର ମହିଳା ବର୍ଗରେ ଅଂଶଗ୍ରହଣ କରି ସୁସ୍ମିତା ଗତ ବର୍ଷ ଡିସେମ୍ବର ୨ରେ ସ୍ୱର୍ଣ୍ଣପଦକ ହାସଲ କରିବା ସହିତ ଓଡ଼ିଶାର ଗୌରବ ବଢ଼ାଇଥିଲେ। ଶକ୍ତିଉତ୍ତୋଳକ ସୁସ୍ମିତା ନିକଟରେ ସାଲେମ ଠାରେ ଅନୁଷ୍ଠିତ ତାମିଲନାଡୁ ରାଜ୍ୟ ସିନିୟର ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କାଂସ୍ୟ ପଦକ ହାସଲ କରିଥିଲେ।

ଭୁବନେଶ୍ୱରର ଭରତପୁର ଗ୍ରାମରେ ୧୯୯୯ ମାର୍ଚ୍ଚ ୧୬ରେ ଜନ୍ମିତ ସୁସ୍ମିତା ହେଉଛନ୍ତି ସିଆରପିଏଫ୍‌ (ଚେନ୍ନାଇ)ରେ କାର୍ଯ୍ୟରତ ସୁକାନ୍ତ କୁମାର ସାହୁଙ୍କ ଝିଅ। ପିତାଙ୍କ ଚାକିରି ତାମିଲନାଡୁରେ ଥିବା କାରଣରୁ ସେଠାରେ ପିଲାଟି ଦିନରୁ ରହିଆସୁଛନ୍ତି। କମ୍ପ୍ୟୁଟର ଇଞ୍ଜିନିୟରିଂ (୩ୟ ବର୍ଷ)ରେ ଅଧ୍ୟୟନରତ ସୁସ୍ମିତା ଅନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର