ଓଡ଼ିଆ ପୁଅ ଅଶ୍ୱିନୀ ବିଶ୍ୱ ଦୃଷ୍ଟିହୀନ କ୍ରିକେଟ୍‌ ମୁଖ୍ୟ

କଟକ: ଗତ ମାସରେ ଭାରତ ବିଶ୍ୱ ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ ବିଜେତା ହୋଇଥିଲା। ଫାଇନାଲ୍‌ରେ ପାକିସ୍ତାନକୁ ହରାଇଥିବାରୁ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଥିଲା। ଓଡ଼ିଶାରେ ମଧ୍ୟ ଜାଫର ଇକ୍‌ବାଲ୍‌ ଓ ପଙ୍କଜ ଭୁଇଙ୍କୁ ମଧ୍ୟ ଅନେକ ସାବାସୀ ମିଳିଛି। ହେଲେ ବିଶ୍ୱ କ୍ରିକେଟକୁ ଅଧିକ ଲୋକପ୍ରିୟ କରାଇବା ପଛରେ ଆଉ ଜଣେ ଓଡ଼ିଆ ଲୋକଙ୍କ ହାତ ଅଛି ତାହା ଅନେକ ଜାଣିନାହାନ୍ତି। କଟକ ନନ୍ଦୀ ସାହିର ନିବାସୀ ଅଶ୍ୱିନୀ ସାହୁ ବର୍ତ୍ତମାନ ବିଶ୍ୱ ଦୃଷ୍ଟିହୀନ କ୍ରିକେଟ ସଂଘର ମୁଖ୍ୟ କାର୍ଯନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କ ଉଦ୍ୟମରେ ଦୁବାଇରେ ଅନୁଷ୍ଠିତ ବିଶ୍ୱକପ୍‌ ଅଧିକ ଲୋକପ୍ରିୟ ହୋଇପାରିଥିଲା। ଅଶ୍ୱିନୀ ପୂର୍ବରୁ ଦୁବାଇ ଓ ଆଫ୍‌ଗାନିସ୍ଥାନରେ ୟୁଏସ୍‌ଏଆଇଡି ପାଇଁ କାର୍ଯ୍ୟ କରୁଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ସ୍ଥାନୀୟ ରେଡିଓ ଷ୍ଟେସନ୍‌ର ବ୍ୟବସାୟିକ ମୁଖ୍ୟ ଏବଂ କିଛି ମିଡ଼ିଆ ଗ୍ରୁପ୍‌ର ବ୍ୟୁରୋ ମୁଖ୍ୟ ଭାବେ କାର୍ଯ୍ୟ କରିସାରିଛନ୍ତି। ତେଣୁ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହିତ ତାଙ୍କର ଘନିଷ୍ଠତା ରହିଛି। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ଭାରତରେ ଭିନ୍ନକ୍ଷମଙ୍କ ପାଇଁ ଥିବା ସମରଥାନମ୍‌ ଟ୍ରଷ୍ଟ ସହିତ ସେ ସାମିଲ ହୋଇଥିଲେ। ଭାରତୀୟ ଦୃଷ୍ଟିହୀନ କ୍ରିକେଟ ସଂଘର ସଭାପତିଙ୍କ ନିଜସ୍ୱ ଟ୍ରଷ୍ଟ ହୋଇଥିବାରୁ ତାଙ୍କ ସହିତ ସେ ବିଶ୍ୱକପ୍‌ ବେଳେ ଭାରତୀୟ ଦଳ ସହିତ ଦୁବାଇ ମଧ୍ୟ ଯାଇଥିଲେ। ଦୁବାଇରେ ତାଙ୍କର ଯୋଗାଯୋଗ ଓ ଲୋକ ସଂପର୍କକୁ ନଜରରେ ରଖି ଅଶ୍ୱିନୀଙ୍କୁ ବିଶ୍ୱ ଦୃଷ୍ଟିହୀନ କ୍ରିକେଟ ସଂଘର ସିଇଓ ଭାବେ ଗତ ଜାନୁଆରି ୧୨ ତାରିଖରେ ନିଯୁକ୍ତି ପାଇଛନ୍ତି। ସେବେଠାରୁ ସେ ବିଶ୍ୱରେ ଦୃଷ୍ଟିହୀନ କ୍ରିକେଟର ଉନ୍ନତି ପାଇଁ ଏକାଧିକ ଯୋଜନା ଚିନ୍ତା କରିଛନ୍ତି।

‘ଦୃଷ୍ଟିହୀନ କ୍ରିକେଟକୁ ସ୍ୱୀକୃତି ମିଳୁ’
ବିଶ୍ୱସ୍ତରରେ ଭାରତୀୟ ଦୃଷ୍ଟିହୀନ ଦଳ ଏକାଧିକ ଶୃଙ୍ଖଳା ଜିତିଲେଣି। ୫ ଥର ବିଶ୍ୱ ବିଜେତା ମଧ୍ୟ ହୋଇସାରିଲେଣି। ଦେଶ ପାଇଁ ଗୌରବ ଆଣୁଛନ୍ତି। ତେଣୁ ଦୃଷ୍ଟିହୀନ କ୍ରିକେଟକୁ ସ୍ୱୀକୃତି ମିଳିବା ଆବଶ୍ୟକ ରହିଛି। ଅଧିକ ପାଣ୍ଠି ଓ ପ୍ରୋତ୍ସାହନ ମିଳିଲେ ସାଧାରଣ କ୍ରିକେଟ ପରି ଏମାନେ ମଧ୍ୟ ବିଶ୍ୱସ୍ତରରେ ନିଜର ଦବ୍‌ଦବା ରଖିପାରିବେ। ଏଥିପାଇଁ ସଚିନ୍‌ ତେନ୍ଦୁଲକର ଦେଇଥିବା ପ୍ରସ୍ତାବକୁ ସ୍ୱାଗତ କରୁଛି ବୋଲି ବିଶ୍ୱ ଦୃଷ୍ଟିହୀନ କ୍ରିକେଟ ସଂଘର ସିଇଓ ଅଶ୍ୱିନୀ ସାହୁ ‘ସମ୍ବାଦ’କୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାର ଅବସରରେ କହିଛନ୍ତି। ପୂର୍ବରୁ ଦୃଷ୍ଟିହୀନ କ୍ରିକେଟକୁ ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ସ୍ୱୀକୃତି ପ୍ରଦାନ କରିବାକୁ ସଚିନ୍‌ ପରାମର୍ଶ ଦେଇଥିଲେ। ଦେଶ ପାଇଁ ଭାରତୀୟ ଦଳ ବିଶ୍ୱ କପ୍‌ ଟ୍ରଫି ଜିତିଲା ଓ ତାହାକୁ ଭାରତୀୟ ସେନାକୁ ଉତ୍ସର୍ଗ କରିଥିଲା। ଏହାଠୁ ଅଧିକ ଗର୍ବର ବିଷୟ କ’ଣ ହୋଇପାରେ। ସବୁଠାରୁ ବଡ଼ କଥା ହେଉଛି ଫାଇନାଲ୍‌ରେ ଭାରତ ଚିରାଚରିତ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇଥିଲା। ତେଣୁ ଭାରତରେ ଦୃଷ୍ଟିହୀନ କ୍ରିକେଟକୁ ସ୍ୱୀକୃତି ଦିଆଗଲେ ତାହାର ପ୍ରଭାବ ସାରା ବିଶ୍ୱରେ ପଡ଼ିବ। ବର୍ତ୍ତମାନ ଖେଳୁଥିବା ୧୦ଟି ଦେଶର କ୍ରିକେଟ ବୋର୍ଡ ସେମାନଙ୍କ ଦେଶର ଦୃଷ୍ଟିହୀନ କ୍ରିକେଟକୁ ଆପଣାଇନେଲେ ଏହାର ବିକାଶ ଘଟିବ। ଏଥସହିତ ଗଣମାଧ୍ୟମ ଦ୍ୱାରା ଏହି କ୍ରିକେଟ ପ୍ରତି ସଚେତନତା ସୃଷ୍ଟି କରାଯିବା ଆବଶ୍ୟକତା ରହିଛି। ତୃଣମୂଳସ୍ତରରୁ ଦୃଷ୍ଟିହୀନ କ୍ରିକେଟକୁ ଯେତେ ପ୍ରଶଂସା ଓ ପ୍ରୋତ୍ସାହନ ମିଳିବ, ଏହାଦ୍ୱାରା ଖେଳାଳିମାନେ ଉତ୍ସାହିତ ହେବେ। ଦଳ ଭଲ ଖେଳିଲେ କର୍ପୋରେଟ୍‌ ସଂସ୍ଥାମାନେ ପାଣ୍ଠି ଯୋଗାଇ ଦେବାକୁ ଆଗକୁ ଆସିବେ। ସମସ୍ତଙ୍କ ପାଖରେ ପ୍ରତିଭା ରହିଛି। ବର୍ତ୍ତମାନ ବି ଯେଉଁମାନେ ଖେଳୁଛନ୍ତି, ସେମାନେ ଅନେକ ସଂଘର୍ଷ କରି ଉପରକୁ ଆସିଛନ୍ତି। ତେଣୁ ନିଜକୁ କେବେ ଭିନ୍ନକ୍ଷମ ନଭାବି ସକରାତ୍ମକ ଦିଗରେ ଚିନ୍ତା କରିବା ଆବଶ୍ୟକ ରହିଛି। ସବୁକିଛି ଠିକ୍‌ଠାକ୍‌ ଚାଲିଲେ ଦୃଷ୍ଟିହୀନ କ୍ରିକେଟରେ ଆଉ ଜଣେ ସଚିନ୍‌, ଗାଙ୍ଗୁଲି, ଗାଭାସ୍କର, ଧୋନି ସୃଷ୍ଟି ହେବା ଅସମ୍ଭବ ନୁହେଁ। ତେଣୁ ଏସବୁ ପାଇଁ ଏବେ ସଚେତନତା ସୃଷ୍ଟି କରିବା ମୂଳ ଲକ୍ଷ୍ୟ ରହିଥିବା ଅଶ୍ୱିନୀ କହିଛନ୍ତି। ତେବେ ବିଶ୍ୱସ୍ତରରେ ଏହାର କୌଣସି କାର୍ଯ୍ୟାଳୟ ନଥିବାରୁ ଦୁବାଇରେ ମୁଖ୍ୟ କାର୍ଯ୍ୟାଳୟ ଖୋଲାଯିବାକୁ ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର