ମନାଲିରେ ତାଲିମ ଦେଲେ ଓଡ଼ିଆ ପ୍ରଶିକ୍ଷକ

ଭୁବନେଶ୍ୱର: ହିମାଚଳ ପ୍ରଦେଶର ମନାଲିରେ ଆୟୋଜିତ ଦୁଇ ସପ୍ତାହ ବିଶିଷ୍ଟ ଦୁଃସାହସିକ ଶିବିରରେ ଓଡ଼ିଶାର ଉଦୀୟମାନ ପ୍ରଶିକ୍ଷକମାନେ ତାଲିମ ଦେବାର ନୂଆ ପରମ୍ପରା ଆରମ୍ଭ କରିଛନ୍ତି। ଅବଶ୍ୟ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ମନୋନୀତ ପ୍ରାୟ ୨୦୦ ପିଲା ଏହି ଶିବିରରେ ସାମିଲ ହୋଇଥିଲେ। କିନ୍ତୁ ପ୍ରଶିକ୍ଷଣ ପ୍ରଦାନରେ ରାଜ୍ୟର ଅଗ୍ରଣୀ ଦୁଃସାହସିକ ଅନୁଷ୍ଠାନ ‘ଆସା’ର ୬ ଜଣ ପ୍ରଶିକ୍ଷକ ଏହି ଦାୟିତ୍ୱ ତୁଲାଇବା ଉଲ୍ଲେଖନୀୟ କଥା ଥିଲା। ଏହି ୬ ଜଣ ହେଲେ-ଚିନ୍ମୟ ମହାରଣା, ଟୁଲୁ ସେନ, ଦେବ ସାମନ୍ତରାୟ, ସସ୍ମିତା ପ୍ରଧାନ, ଅନୀତା ସ୍ୱାଇଁ ଏବଂ ବିଭାରାଣୀ ପାତ୍ର। ମାର୍ଚ ୧୮ ରୁ ଏପ୍ରିଲ୍‌ ୨ ତାରିଖ ପର୍ଯ୍ୟନ୍ତ ଜାତୀୟ ଦୁଃସାହସିକ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି ଯୁବ ତାଲିମ ଶିବିରରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗରୁ ଦୁଇଟି ଦଫାରେ ପ୍ରାୟ ୨୦୦ ଜଣ ଭାଗ ନେଇଥିଲେ। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ଏନ୍‌ସିସି ଛାତ୍ରମାନେ ମଧ୍ୟ ସାମିଲ ହୋଇଥିଲେ। ତେବେ ତାଲିମଦାତା ୬ ଜଣଙ୍କୁ ଆସା ପକ୍ଷରୁ ସମ୍ପାଦକ ତଥା ଏଭେରେଷ୍ଟର୍‌ ଗଣେଶ ଚନ୍ଦ୍ର ଜେନା ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର