ଓଡ଼ିଶା ବାଳକ ବିଜେତା; ବାଳିକା ଦ୍ୱିତୀୟ

ଜାତୀୟ ବିଦ୍ୟାଳୟ ରଗ୍‌ବି ଫୁଟ୍‌ବଲ୍‌

ଭୁବନେଶ୍ୱର: ଭାରତୀୟ ରଗ୍‌ବି ଫୁଟ୍‌ବଲ୍‌ ସଂଗଠନ ଓ ଓଡ଼ିଶା ରଗ୍‌ବି ସଂଗଠନର ମିଳିତ ସହଯୋଗରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବିଭାଗ ତରଫରୁ ଆୟୋଜିତ ଜାତୀୟ ବିଦ୍ୟାଳୟସ୍ତରୀୟ (୧୪ ବର୍ଷରୁ କମ୍‌) ରଗ୍‌ବି ଫୁଟ୍‌ବଲ୍‌ ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଛି। ବାଳକ ବର୍ଗରେ ଓଡ଼ିଶା ଏବଂ ବାଳିକା ବର୍ଗରେ ଗୁଜରାଟ ବିଜେତା ହୋଇଛି। ଭୁବନେଶ୍ୱରସ୍ଥିତ ୟୁନିଟ୍‌-୬ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଖେଳାଯାଇଥିବା ବାଳକ ଫାଇନାଲ୍‌ରେ ଆସାମକୁ ୫-୦ରେ ପରାସ୍ତ କରି ଓଡ଼ିଶା ଟ୍ରଫି କରାୟତ କରିଥିଲା ବେଳେ ବାଳିକାରେ ଗୁଜରାଟଠୁ ୦-୫ରେ ହାରି ଓଡ଼ିଶା ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ବାଳକରେ ଦିଲ୍ଲୀ ଏବଂ ବାଳିକାରେ ତେଲେଙ୍ଗାନା ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ।

ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ଉପ ନିର୍ଦେଶକ ସ୍ନେହମୟୀ ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ବିଧାୟକ ବିଜୟ କୁମାର ମହାନ୍ତି, ଗଣଶିକ୍ଷା ବିଭାଗର ଅନୁଶାସନ ସଚିବ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ଶିକ୍ଷା ନିର୍ଦେଶାଳୟର ସହ ନିର୍ଦେଶିକା (ଶାରୀରିକ ଶିକ୍ଷା) ଲକ୍ଷ୍ମୀପ୍ରିୟା ଦେଇ ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରତିଯୋଗିତାର ସଫଳ ରୁପାୟନ ପାଇଁ ସହଯୋଗ କରିଥିବା ୟୁନିଟ୍‌-୬ ଦୌଡ଼କୁଦ ସଂଘର ସମ୍ପାଦକ ଦିଲ୍ଲୀପ ଦାସ, ଦଧିବାମନ ଉଚ୍ଚବିଦ୍ୟାଳୟର ଶାରୀରିକ ଶିକ୍ଷକ ପ୍ରମୋଦ ରାଉତ ଏବଂ ୟୁନିଟ୍‌-୨ ସରକାରୀ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷକ ଅଜୟ ତୁଙ୍ଗ ସାମନ୍ତଙ୍କୁ ମୁଖ୍ୟ ଅତିଥି ସମ୍ବର୍ଧିତ କରିଥିଲେ।

ସମ୍ବନ୍ଧିତ ଖବର