କଟକ: ଏଠାରେ ଆରମ୍ଭ ହୋଇଥିବା ମହିଳା ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମରୁ ପରାଜୟ ବରଣ କରିଛି। ଶନିବାର ନିମପୁର ପଡ଼ିଆରେ ଅନୁଷ୍ଠିତ ମ୍ୟାଚ୍ରେ ହାଇଦ୍ରାବାଦ ୨୮ ରନ୍ରେ ଓଡ଼ିଶାକୁ ହରାଇଥିଲା। ହାଇଦ୍ରାବାଦ ୭ ଵିକେଟ୍ ବିନିମୟରେ ୧୮୩ ରନ୍ କରିଥିଲା। ଜି ତ୍ରିଶା ୪୭, ଏସ୍କେ ଶ୍ରାବନ୍ତି ନାଇଡୁ ୪୯ ରନ୍ କରିଥିଲେ। ଘରୋଇ ଦଳ ପାଇଁ ପ୍ରିୟଙ୍କା ପ୍ରିୟଦର୍ଶିନୀ, ମଧୁସ୍ମିତା ବେହେରା ଓ ସୁଶ୍ରୀ ଦିବ୍ୟଦର୍ଶିନୀ ଦୁଇଟି ଲେଖାଏଁ ଵିକେଟ୍ ପାଇଥିଲେ। ଜବାବରେ ଓଡ଼ିଶା ୮ ଵିକେଟ୍ ବିନିମୟରେ ୧୫୫ ରନ୍ କରିପାରିଥିଲା। ପ୍ରାରମ୍ଭିକ ଝଟ୍କା ପରେ ମଧ୍ୟକ୍ରମରେ ପ୍ରଜ୍ଞା ପାରମିତା ମହାନ୍ତି ଓ ସୁଶ୍ରୀ ଦଳକୁ ସମ୍ଭାଳିଥିଲେ। ହେଲେ ପ୍ରଜ୍ଞା (୪୩)ଙ୍କ ଵିକେଟ୍ ଯିବା ପରେ ଓଡ଼ିଶା ବ୍ୟାଟି˚କ୍ରମ ପୁଣି ଭୁଶୁଡି ପଡ଼ିଥିଲା। ଶେଷ ପର୍ଯ୍ୟନ୍ତ ସ˚ଘର୍ଷ କରି ସୁଶ୍ରୀ ଅର୍ଧଶତକ (୫୦*) ଅର୍ଜନ କରିଥିଲେ ବି ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ। ଏହି ଗ୍ରୁପ୍ରେ ଖେଳାଯାଇଥିବା ଅନ୍ୟମ୍ୟାଚ୍ଗୁଡ଼ିକ ମଧ୍ୟରେ ସନ୍ସାଇନ୍ ପଡ଼ିଆରେ ହିମାଚଳ ପ୍ରଦେଶ ୯ ଵିକେଟ୍ରେ ଝାଡ଼ଖଣ୍ତକୁ, ବୋସ୍ ପଡ଼ିଆରେ ମଧ୍ୟପ୍ରଦେଶ ୫ ଵିକେଟ୍ରେ ଆସାମକୁ ହରାଇଥିଲା। ପ୍ଲେଟ୍ ଗ୍ରୁପ୍ରେ ରେଭେନ୍ସା ବିଶ୍ବବିଦ୍ୟାଳୟ ୧ ନମ୍ବର ପଡ଼ିଆରେ ମିଜୋରାମ ୧୯୬ ରନ୍ରେ ଅରୁଣାଚଳ ପ୍ରଦେଶକୁ ହରାଇଥିଲା ବେଳେ ପରାଜିତ ଦଳର ୮ଜଣ ଖାତା ବି ଖୋଲିପାରିନଥିଲେ। ୨ ନମ୍ବର ପଡ଼ିଆରେ ନାଗାଲାଣ୍ତ ୧୨୪ ରନ୍ରେ ବିହାରକୁ, କିଟ୍ରେ ପଣ୍ତିଚେରୀ ୭ ଵିକେଟ୍ରେ ମଣିପୁରକୁ ପରାସ୍ତ କରିଥିଲେ।