ଉପକନିଷ୍ଠ ଜାତୀୟ ବଲ୍‌ ବ୍ୟାଡ୍‌ମିଣ୍ଟନ୍‌ ଲିଗ୍‌ ପର୍ଯ୍ୟାୟରୁ ଓଡ଼ିଶା ବିଦା

ଭୁବନେଶ୍ୱର: ଗତବର୍ଷ କର୍ଣ୍ଣାଟକରେ ଆୟୋଜିତ ଜାତୀୟ ଉପକନିଷ୍ଠ ବଲ୍‌ ବ୍ୟାଡ୍‌ମିଣ୍ଟ୍‌ନ ପ୍ରତିଯୋଗିତାର ୩୬ତମ ସଂସ୍କରଣରେ ଓଡ଼ିଶାର ଉଭୟ ବାଳକ ଓ ବାଳିକା ଦଳ କ୍ୱାର୍ଟର ଫାଇନାଲ୍‌ ଖେଳିଥିଲେ। ହେଲେ ଏଥର ନିଜ ରାଜ୍ୟରେ ଆୟୋଜିତ ୩୭ତମ ସଂସ୍କରଣରେ ଉଭୟ ଦଳ ଲିଗ୍‌ ପର୍ଯ୍ୟାୟରୁ ହିଁ ବିଦାୟ ନେଲେ। ଲିଗ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ୬ ଲେଖାଏଁ ମ୍ୟାଚ୍‌ ଖେଳିଥିଲେ। ସେଥିରୁ ୫ ମ୍ୟାଚ୍‌ ଜିତିଥିଲେ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଥାନ୍ତେ। ବୁଧବାର ଗୋଟିଏ ଦିନରେ କ୍ରମାଗତ ୪ ମ୍ୟାଚ୍‌ ଜିତି ଓଡ଼ିଶା ବାଳକ ଦଳ ସମ୍ଭାବନା ରଖିଥିଲା। ହେଲେ ପ୍ରଥମ ଦିବସ ଭଳି ଗୁରୁବାର ତୃତୀୟ ଦିବସରେ ବି ବାଳକ ଦଳ ମ୍ୟାଚ୍‌ ହାରିଗଲା। ଫଳରେ ୬ ମ୍ୟାଚ୍‌ରୁ ୪ ବିଜୟ ଓ ୨ ପରାଜୟ ସହ ବାଳକ ଦଳ କ୍ୱାର୍ଟର ଫାଇନାଲ୍‌ ପୂର୍ବରୁ ଅଭିଯାନ ଶେଷ କଲା। କ୍ୱାର୍ଟର ଫାଇନାଲ୍‌ ପ୍ରବେଶ ପାଇଁ ଗୁରୁବାରର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଓଡ଼ିଶା ବାଳକ ୨୭-୩୫ ଓ ୧୨-୩୫ ପଏଣ୍ଟ୍‌ରେ ତାମିଲନାଡୁ ନିକଟରୁ ହାରିଗଲା। ସେହିପରି ବାଳିକା ଦଳ ୬ ମ୍ୟାଚ୍‌ରୁ ୩ ବିଜୟ ଓ ୩ ପରାଜୟ ସହ କ୍ୱାର୍ଟର ଫାଇନାଲ୍‌ ପୂର୍ବରୁ ବିଦାୟ ନେଲା। ବାଳିକା ଦଳ ଗୁରୁବାର ୩୦-୩୫, ୩୫-୨୬ ଓ ୨୮-୩୫ରେ ମୁମ୍ବାଇଠୁ ପରାସ୍ତ ହେଲା।

ସମ୍ବନ୍ଧିତ ଖବର