ଓଡ଼ିଶା ଦଳ ବିଜେତା: ପୂର୍ବାଞ୍ଚଳ ଟେନିସ୍‌ କ୍ରିକେଟ୍‌

ଭୁବନେଶ୍ୱର: ରାଞ୍ଚିରେ ଗୁରୁବାର ଉଦ୍‌ଯାପିତ ଦ୍ୱିତୀୟ ପୂର୍ବାଞ୍ଚଳ ଟେନିସ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ବିଜେତା ହୋଇଛି। ଏଥି ସହ ପୂର୍ବାଞ୍ଚଳରେ ଓଡ଼ିଶାର ପ୍ରାଧାନ୍ୟ ଅବ୍ୟାହତ ରହିଛି। ଫାଇନାଲରେ ଓଡ଼ିଶା ୬ ଓ୍ଵିକେଟ୍‌ରେ ଝାଡ଼ଖଣ୍ଡକୁ ପରାସ୍ତ କରିଥିଲା। ୧୨୧ ରନ୍‌ର ବିଜୟ ଲକ୍ଷ୍ୟକୁ ଓଡ଼ିଶା ସୁଧୀର ସୋନୀଙ୍କ ୭୨* ରନ୍‌ ବଳରେ ୧୦ ଓଭରରେ ୪ ଓ୍ଵିକେଟ୍‌ ବିନିମୟରେ ହାସଲ କରି ନେଇଥିଲା। ପୂର୍ବରୁ ଝାଡ଼ଖଣ୍ଡ ନିର୍ଧାରିତ ୧୫ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୨୦ ରନ୍‌ କରିଥିଲା। ସୁଧୀର ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ହେବା ସହିତ ପ୍ରତିଯୋଗିତାର ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ପୁରସ୍କାର ପାଇଥିଲେ। ଓଡ଼ିଶାର ଦ୍ରୁତ ବୋଲର ଅମିତ୍‌ ଜୁଏଦ୍‌ ଶ୍ରେଷ୍ଠ ବୋଲର ସମ୍ମାନ ପାଇଥିଲେ। ପୂର୍ବରୁ ଓଡ଼ିଶା ଲିଗ୍‌ ପର୍ଯ୍ୟାୟରେ ଆସାମ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଥିଲା। ସେମିଫାଇନାଲ୍‌ରେ ଓଡ଼ିଶା ୫୬ ରନରେ ବିହାରକୁ ପରାସ୍ତ କରିଥିଲା। ଓଡ଼ିଶାର ୧୦୨ ରନ୍‌ ଜବାବରେ ବିହାର ୪୬ ରନ୍‌ କରିଥିଲା। ୭ ଦିନିଆ ପ୍ରଶିକ୍ଷଣ ଶିବିର ସହିତ ରାଞ୍ଚି ଗସ୍ତ କରିଥିବାରୁ ଓଡ଼ିଶା ଦଳ ଭଲ ପ୍ରଦର୍ଶନ କରିପାରିଲା ବୋଲି ଦଳକୁ ଅଭିନନ୍ଦନ ଜଣାଇବା ଅବସରରେ ପ୍ରକାଶ କରିଛନ୍ତି ଟେନିସ୍‌ କ୍ରିକେଟ୍‌ ଇଣ୍ଡିଆର ବୈଷୟିକ ମୁଖ୍ୟ ରିଣ୍ଟୁ ମିତ୍ର। ଓଡ଼ିଶା ଖେଳାଳିମାନଙ୍କୁ ଓଡ଼ିଶା ରାଜ୍ୟ ଟେନିସ୍‌ କ୍ରିକେଟ୍‌ ସଂଘ ଉପ ସଭାପତି ଅବିନାଶ ସାହୁ ଏବଂ ରାଜେନ୍ଦ୍ର ମହାରଣା ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଗଣେଶ କୁମାର ସେଠୀ ଅଧିନାୟକ ଏବଂ ଅମିତ୍‌ ଜୁଏଦ୍‌ ଉପ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ବାସୁଦେବ ଓଝା ପ୍ରବଂଧକ ଏବଂ ରଂଜିତ ସ୍ୱାଇଁ ପ୍ରଶିକ୍ଷକ ଦାୟିତ୍ୱକୁ ସଫଳତା ସହ ତୁଲାଇଥିଲେ।

ଓଡ଼ିଶା ଦଳ: ଗଣେଶ କୁମାର ସେଠୀ (ଅଧିନାୟକ), ଅମିତ୍‌ ଜୁଏଦ୍‌, ଅମରେନ୍ଦ୍ର ଚନ୍ଦ୍ର ଦାସ, ଦୀପକ କୁମାର ମଲ୍ଲିକ, ମୃଣାଲ ସ୍ୱରୂପ ସେଠୀ, ସୁଧୀର ସୋନୀ, ଉମାକାନ୍ତ ବେହେରା, ଏମ୍‌ ରାଜା ରାଓ, ପଙ୍କଜ କୁମାର ଦାସ, ଜଗମୋହନ ସ୍ୱାଇଁ, ଇସ୍‌ଲାମ ମିର୍ଜା, ଦୀପକ କୁମାର ପରିଡ଼ା, ଗୌରବ କୁମାର ରାଉତ, ମାନସ ମୁଖୀ, ବିକ୍ରମ କୁମାର ଦାସ, ପ୍ରସାଦ ଖୁଣ୍ଟି, ସ୍ମୃତି ରଂଜନ ଦାସ, ବିଶାଲ ବିଶ୍ୱଜିତ୍‌ ଦାସ। ପ୍ରବଂଧକ: ବାସୁଦେବ ଓଝା, ପ୍ରଶିକ୍ଷକ: ରଂଜିତ ସ୍ୱାଇଁ, ଟିସିଏଆଇ ଅଧିକାରୀ: ସୁଧାକର ମୁଦୁଲି।

ସମ୍ବନ୍ଧିତ ଖବର