ନୂଆଦିଲ୍ଲୀ : ଭାରତର ଅନ୍ୟତମ ଇ-ବାଣିଜ୍ୟ ଏବଂ ଡିଜିଟାଲ ୱାଲେଟ୍ କଂପାନି ପେଟିଏମ୍ ଭାରତୀୟ କ୍ରିକେଟ୍ ଦଳର ଟାଇଟଲ ପ୍ରାୟୋଜକ ହୋଇଛି। ପେଟିଏମ୍ ୪ (୨୦୧୯ରୁ ୨୦୨୩) ବର୍ଷ ପାଇଁ ଭାରତରେ ହିଁ ଆନ୍ତର୍ଜାତିକ ଏବଂ ଘରୋଇ ମ୍ୟାଚ୍ ପ୍ରାୟୋଜନ କରିବାର ଅଧିକାର ହାସଲ କରିଛି ବୋଲି ବୁଧବାର ବିସିସିଆଇ (ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ) ଘୋଷଣା କରିଛି। ଏଥିପାଇଁ ସଂପୃକ୍ତ କଂପାନି ବୋର୍ଡକୁ ୩୨୬.୮୦ କୋଟି ଟଙ୍କା ଦେବ। ଯାହାକି ବିସିସିଆଇ ପ୍ରତି ମ୍ୟାଚ୍ ପିଛା ୫୮ ପ୍ରତିଶତ ରାଜସ୍ବ ଅଧିକ ଆୟ କରିବ। ଏହା ପୂର୍ବରୁ ୨୦୧୫ରେ ପ୍ରଥମ ଥର ଲାଗି ପ୍ରାୟୋଜକ ବାବଦରେ ପେଟିଏମ୍ ବୋର୍ଡକୁ ୨୦୩.୨୮ କୋଟି ଟଙ୍କା ଦେଇଥିଲା। ଫଳରେ ପୂର୍ବରୁ ମ୍ୟାଚ୍ ପିଛା ୨୪ ମିଲିୟନ୍ ଟଙ୍କା ପାଉଥିବା ବିସିସିଆଇ ଏଣିକି ମ୍ୟାଚ୍ ପିଛା ୩୮ ମିଲିୟନ୍ ଟଙ୍କା ପାଇବ। ପେଟିଏମ୍ ଆମ ସହ ଲମ୍ବା ସମୟ ପାଇଁ ସଂପର୍କ ଯୋଡ଼ିଥିବାରୁ ବିସିସିଆଇ ଗର୍ବିତ ବୋଲି ସିଇଓ ରାହୁଲ୍ ଜୋହରି କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ବିସିସିଆଇର ଘରୋଇ ଋତୁ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତରୁ ଆରମ୍ଭ ହେବ। ଏହି ଗସ୍ତ ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେବ ଏବଂ ସେଥିରେ ଦକ୍ଷିଣ ଆଫ୍ରିକା ୩ ଟ୍ବେଣ୍ଟି-୨୦ ଓ ୩ ଟେଷ୍ଟ୍ ଖେଳିବ।
Comments are closed.