ବିଶ୍ୱକପ୍‌ ଅଭ୍ୟାସ ମ୍ୟାଚ୍‌:ଇଟାଲିକୁ ହରାଇଲା ଫ୍ରାନ୍‌ସ

ନାଇସ୍‌: ୧୯୯୮ ବିଜେତା ଫ୍ରାନ୍‌ସ ତା’ର ବିଶ୍ୱକପ୍‌ ପ୍ରସ୍ତୁତିକୁ ଦମ୍‌ଦାର ଢଙ୍ଗରେ ଆଗକୁ ବଢ଼ାଇ ଚାଲିଛି। ବିଶ୍ୱକପ୍‌ ଆଉ ୧୧ ଦିନ ବାକିଥିଲା ବେଳେ ଇତି ମଧ୍ୟରେ ଫ୍ରାନ୍‌ସ ଦଳ ଲଗାତାର ଦୁଇଟି ଅଭ୍ୟାସ ମ୍ୟାଚ୍‌ ଜିତି ନିଜକୁ ଶକ୍ତିଶାଳୀ ଭାବେ ପ୍ରମାଣିତ କରିଛି। ମୁଖ୍ୟତଃ ଆକ୍ରମଣକୁ ଅସ୍ତ୍ର କରି ଲାଗ ଲାଗ ବିଜୟ ପାଇଚାଲିଛି। ୪ ଦିନ ତଳେ ପ୍ୟାରିସ୍‌ରେ ଆୟର୍ଲାଣ୍ଡ୍‌ ଦଳକୁ ୨-୦ ଗୋଲ୍‌ରେ ପରାସ୍ତ କରିଥିବା ଫ୍ରାନ୍‌ସ ଶୁକ୍ରବାର ରାତିରେ ଏଠାରେ ଶକ୍ତିଶାଳୀ ଇଟାଲିକୁ ୩-୧ ଗୋଲ୍‌ରେ ପରାସ୍ତ କରିଦେଇଛି। ସାମୁଏଲ୍‌ ଉମିତି, ଆଣ୍ଟୋନି ଗ୍ରିଜ୍‌ମ୍ୟାନ୍‌ ଓ ଓସ୍‌ମାନେ ଡେମ୍ବେଲେ ଗୋଟିଏ ଲେଖାଏଁ ଗୋଲ୍‌ କରି ଫ୍ରାନ୍‌ସକୁ ବିଜୟ ଭେଟି ଦେଇଥିଲା ବେଳେ ଦୁର୍ଭାଗ୍ୟବଶତଃ ଏଥର ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିବା ଇଟାଲି ପାଇଁ ପରାଜୟ ବିଶେଷ ଫରକ୍‌ ପକାଇନାହିଁ। ତେବେ ଫ୍ରାନ୍‌ସ ଆସନ୍ତା ୯ ତାରିଖରେ ଲିୟନ୍‌ରେ ଆମେରିକା ସହ ଶେଷ ଅଭ୍ୟାସ ମ୍ୟାଚ୍‌ ଖେଳି ବିଶ୍ୱକପ୍‌ ପ୍ରସ୍ତୁତି ଶେଷ କରିବ। ଆଗାମୀ ବିଶ୍ୱକପ୍‌ରେ ଫ୍ରାନ୍‌ସ ଗ୍ରୁପ୍‌-ସିରେ ସ୍ଥାନ ପାଇଥିଲା ବେଳେ ଅଷ୍ଟ୍ରେଲିଆ, ପେରୁ ଓ ଡେନ୍‌ମାର୍କ ସହ ପ୍ରତିଦ୍ୱନ୍ଦିତା କରିବ।
ଟ୍ୟୁନିସିଆ ୨-ତୁର୍କି ୨
ଜେନେଭା, ୨|୬: ଏଥର ବିଶ୍ୱକପ୍‌ ପାଇଁ ଗ୍ରୁପ୍‌-ଜିରେ ସ୍ଥାନ ପାଇଥିବା ଟ୍ୟୁନିସିଆ ଶନିବାର ଖେଳିଥିବା ଏକ ଅଭ୍ୟାସ ମ୍ୟାଚ୍‌କୁ ଅମୀମାଂସିତ ରଖିଛି। ଏହି ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିପାରିନଥିବା ତୁର୍କି ସହ ଟ୍ୟୁନିସିଆ ଶୁକ୍ରବାର ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌କୁ ୨-୨ ଗୋଲ୍‌ରେ ଅମୀମାଂସିତ ରଖିପାରିଛି। ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଧରେ ସେଙ୍କ୍‌ ଟୋସୁନ୍‌ ଏକ ପେନାଲ୍‌ଟିରୁ ଗୋଲ୍‌ କରି ତୁର୍କିକୁ ଆଗୁଆ ରଖିଥିଲେ। ଏହାର ୨ ମିନିଟ୍‌ ମଧ୍ୟରେ ଆନିସେ ବଦ୍ରି ଏହାକୁ ଶୁଝି ଦେଇ ଟ୍ୟୁନିସିଆ ସ୍ଥିତି ସମାନ କରିଦେଇଥିଲେ। ଏହାପରେ ଫର୍ଜାନି ସାସିଙ୍କ ଗୋଲ୍‌ ପୁନର୍ବାର ତୁର୍କିକୁ ଅଗ୍ରଣୀ ଦେଇଥିଲେ ମଧ୍ୟ ଶେଷ କ୍ଷଣରେ କାଗ୍‌ଲାର ସୋୟୁଂଶୁଙ୍କ ଗୋଲ୍‌ ହିଁ ତୁର୍କିକୁ ବିଜୟରୁ ବଞ୍ଚିତ କରିଥିଲା। ତୁର୍କି ଦ୍ୱିତୀୟାର୍ଧରେ ୧୦ ଜଣଙ୍କୁ ନେଇ ଖେଳିଥିଲେ ମଧ୍ୟ ଟ୍ୟୁନିସିଆ ଏହାର ଫାଇଦା ଉଠାଇ ପାରିନଥିଲା।

ସମ୍ବନ୍ଧିତ ଖବର